ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା
ଝାରସୁଗୁଡ଼ା, ୨୩/୯: ସହରର ବିକାଶ ଓ ନାଗରିକ ସେବାର ମୁଖ୍ୟ ଭରସା ଝାରସୁଗୁଡ଼ା ପୌର ପରିଷଦ l ୨୪ଟି ୱାର୍ଡକୁ ନେଇ ଗଠିତ ଏହି ପୌରସଂସ୍ଥା ଉପରେ ରାସ୍ତା ଓ ନାଳ ନିର୍ମାଣ-ରକ୍ଷଣାବେକ୍ଷଣ, ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ହୋଲ୍ଡିଂ ଟିକସ ଆଦାୟ, ଘରବାଡ଼ି ସର୍ବେ, ନକ୍ସା ଯାଞ୍ଚ, ଜବରଦଖଲ ଉଚ୍ଛେଦ, ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ସମେତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ଭଳି ଅନେକ ଦାୟିତ୍ୱ ରହିଛି l ମାତ୍ର ଆବଶ୍ୟକ ଅନୁପାତରେ କର୍ମଚାରୀ ନଥିବାରୁ ଏବେ ଏହି ବିଶାଳ ଦାୟିତ୍ୱର ଭାର ପୌର ପ୍ରଶାସନ ପାଇଁ ଦୁର୍ବିସହ ହୋଇପଡ଼ିଛି l କର୍ମଚାରୀ ଅଭାବ ଏବେ ଏପରି ସ୍ଥିତିରେ ପହଞ୍ଚିଛି ଯେ, ଜଣେ କର୍ମଚାରୀଙ୍କୁ ଏକାଧିକ କର୍ମଚାରୀଙ୍କ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ୁଛି l ଗୋଟିଏ ପଟେ ନିଜ ପଦର ଦୈନନ୍ଦିନ କାର୍ଯ୍ୟ, ଅନ୍ୟପଟେ ଖାଲି ପଡ଼ିଥିବା ପଦର ଅତିରିକ୍ତ ଦାୟିତ୍ୱ l

ଏହି ଦୁଇମୁହାଁ ଚାପରେ ପୌର କାର୍ଯ୍ୟାଳୟର ସାଧାରଣ କାର୍ଯ୍ୟଧାରା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି l ଫଳରେ କାମର ଚାପ କର୍ମଚାରୀଙ୍କ ଉପରେ ବଢ଼ୁଥିବା ବେଳେ ସେବା ପାଇବାକୁ ଆସୁଥିବା ସାଧାରଣ ଲୋକେ ଏହାର ପରୋକ୍ଷ ପ୍ରଭାବ ପଡୁଛି l ସୂଚନା ଅନୁଯାୟୀ, କିଛି ମାସ ପୂର୍ବେ ପୌର ପରିଷଦର ୫ ଜଣ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେମାନଙ୍କ ସ୍ଥାନରେ ଦୁଇ ଜଣ ଡେପୁଟେସନରେ ଆସି ଯୋଗଦେଇଛନ୍ତି l ଫଳରେ ଖାଲି ପଦ ପୂରଣ ହେବା ପରିବର୍ତ୍ତେ ମାନବସମ୍ବଳର ଅଭାବ ଆହୁରି ଗଭୀର ହୋଇଛି l ବର୍ତ୍ତମାନ ୨ ଜଣ କନିଷ୍ଠ କିରାଣୀ, ୫ ଜଣ ଟ୍ୟାକ୍ସ କଲେକ୍ଟର, ଜଣେ ଅମିନ ଓ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ମୁଖ୍ୟ କିରାଣୀ, ରାତ୍ରି ଜଗୁଆଳୀ, ମୁଖ୍ୟ ହିସାବରକ୍ଷକ ଆଦି ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ପଡ଼ିଥିବା ଜଣାପଡ଼ିଛି l

ବଢ଼ୁଛି ସହର, ବଢ଼ୁଛି କାମ; କମୁଛି କର୍ମଚାରୀ
ଝାରସୁଗୁଡ଼ା ଏକ ଶିଳ୍ପାଞ୍ଚଳ ଭାବେ ଦ୍ରୁତଗତିରେ ବିକଶିତ ହେଉଛି l ଜିଲ୍ଲାରେ ଏକାଧିକ କଳକାରଖାନା ଓ ଶିଳ୍ପ ପ୍ରତିଷ୍ଠାନ ଗଢ଼ିଉଠିବା ସହ ସହରର ଜନସଂଖ୍ୟା, ଗୃହ ନିର୍ମାଣ ଓ ନାଗରିକ ଆବଶ୍ୟକତା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି l ନୂଆ ଘର ନିର୍ମାଣ, ନୂତନ ହୋଲ୍ଡିଂ ନମ୍ବର ପଞ୍ଜୀକରଣ, ନକ୍ସା ସର୍ଭେ, ଘରବାଡ଼ିର ମୂଲ୍ୟାୟନ ଓ ହୋଲ୍ଡିଂ ଟିକସ ନିର୍ଦ୍ଧାରଣ ଭଳି କାର୍ଯ୍ୟ ବଢ଼ିବା ସ୍ୱାଭାବିକ l ମାତ୍ର ଏହି ବଢ଼ୁଥିବା କାର୍ଯ୍ୟ ପରିମାଣ ସହ ତାଳମେଳ ରଖି ପୌର ପ୍ରଶାସନରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇନାହିଁ l ଏପରି ସ୍ଥିତିରେ ସୀମିତ ସଂଖ୍ୟକ ଟ୍ୟାକ୍ସ କଲେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ଉପରେ ରାଜସ୍ୱ ଆଦାୟ ସହ ଅନ୍ୟାନ୍ୟ କାର୍ଯ୍ୟର ଚାପ ପଡ଼ୁଛି l ନୂତନ ହୋଲ୍ଡିଂ ପଞ୍ଜୀକରଣଠାରୁ ଆରମ୍ଭ କରି ଘରବାଡ଼ି ସର୍ବେ ଓ ମୂଲ୍ୟାୟନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟ ଅପେକ୍ଷାରେ ରହିଥିବା ବେଳେ ଉପଲବ୍ଧ କର୍ମଚାରୀଙ୍କ ଉପରେ ଦାୟିତ୍ୱର ବୋଝ ବଢ଼ିଚାଲିଛି l
୫୯୪୫ ହିତାଧିକାରୀଙ୍କ ଭତ୍ତା, ଦାୟିତ୍ୱ ମଧ୍ୟ ପୌର କର୍ମଚାରୀଙ୍କ ମୁଣ୍ଡରେ
ପୌରାଞ୍ଚଳର ୨୪ଟି ୱାର୍ଡରେ ପ୍ରତିମାସ ପ୍ରାୟ ୫୯୪୫ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହ ସମ୍ପୃକ୍ତ କାର୍ଯ୍ୟ ପୌର କର୍ମଚାରୀଙ୍କୁ ସମ୍ଭାଳିବାକୁ ପଡ଼ୁଛି l ଭତ୍ତା ବଣ୍ଟନ ଭଳି ନିୟମିତ କାର୍ଯ୍ୟ ସହ ପୌର କାର୍ଯ୍ୟାଳୟର ଅନ୍ୟାନ୍ୟ ପ୍ରଶାସନିକ କାମ ଚାଲିଥିବାରୁ କର୍ମଚାରୀଙ୍କ ଉପରେ ଚାପ ବଢ଼ିବା ସ୍ୱାଭାବିକ ହୋଇପଡ଼ିଛି l କର୍ମଚାରୀ ଅଭାବର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ସେବା ଉପରେ ପଡ଼ୁଥିବା ଅଭିଯୋଗ ମଧ୍ୟ ରହିଛି l ବିଭିନ୍ନ ଜରୁରୀ କାମ ନେଇ ପୌର କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ଅନେକ ସମୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି l କର୍ମଚାରୀ ଜଣକ ଏକାଧିକ ଶାଖାର କାମ ସମ୍ଭାଳୁଥିବାରୁ ଗୋଟିଏ କାମ ଛାଡ଼ି ଅନ୍ୟ କାମକୁ ଯିବାକୁ ପଡ଼ୁଛି l ଏହାର ପ୍ରଭାବରେ କାର୍ଯ୍ୟ ସମ୍ପାଦନର ଗତି ହ୍ରାସ ପାଇବା ସହ ନାଗରିକଙ୍କ ଅପେକ୍ଷା ସମୟ ବଢ଼ୁଛି l

ଖାଲି ପଦ ପୂରଣ ନହେଲେ ବିକାଶ ଅଟକିବା ଆଶଙ୍କା
ପୌର ପରିଷଦର ଦାୟିତ୍ୱ କେବଳ କାର୍ଯ୍ୟାଳୟ ଭିତରର ପ୍ରଶାସନିକ କାମରେ ସୀମିତ ନୁହେଁ l ସହରର ରାସ୍ତା, ନାଳ, ପରିମଳ, ସ୍ୱାସ୍ଥ୍ୟ, ରାଜସ୍ୱ ଆଦାୟ, ନିର୍ମାଣ କାର୍ଯ୍ୟର ନିରୀକ୍ଷଣ, ଜବରଦଖଲ ଉଚ୍ଛେଦ, ସହରୀ ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ନାଗରିକ ସେବା ପ୍ରଦାନ ଭଳି କାର୍ଯ୍ୟ ଏହା ଉପରେ ନିର୍ଭରଶୀଳ l ତେଣୁ ଆବଶ୍ୟକ ମାନବସମ୍ବଳ ନଥିଲେ କେବଳ କର୍ମଚାରୀଙ୍କ କାର୍ଯ୍ୟଭାର ବଢ଼ିବ ନାହିଁ, ବରଂ ସହରର ବିକାଶମୂଳକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି l ସହରର ଆକାର ଓ ଜନସଂଖ୍ୟା ବଢ଼ୁଥିବା ସମୟରେ ପୌର ପରିଷଦର ମାନବସମ୍ବଳ ସେହି ଅନୁପାତରେ ସୁଦୃଢ଼ ନହେବା ଏବେ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି l ଖାଲି ପଡ଼ିଥିବା ଗୁରୁତ୍ୱପୂର୍ଣ୍ଣ ପଦଗୁଡ଼ିକ ତୁରନ୍ତ ପୂରଣ ସହ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କର୍ମଚାରୀ ନିଯୁକ୍ତି କରାନଗଲେ ଆଗାମୀ ଦିନରେ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଉଛି l କର୍ମଚାରୀ ଅଭାବରେ ଯେଉଁଠି ଜଣେ କର୍ମଚାରୀଙ୍କୁ ଏକାଧିକ ପଦର କାମ ସମ୍ଭାଳିବାକୁ ପଡ଼ୁଛି, ସେଠାରେ ୨୪ଟି ୱାର୍ଡର ନାଗରିକଙ୍କୁ ଦ୍ରୁତ ଓ ସୁବ୍ୟବସ୍ଥିତ ସେବା ଯୋଗାଇବା କେତେଦୂର ସମ୍ଭବ, ତାହା ଏବେ ବଡ଼ ପ୍ରଶ୍ନ l ଏହି ପରିସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଲୋକେ ବ୍ୟଙ୍ଗାତ୍ମକ ଭାବେ କହୁଛନ୍ତି ୨୪ ୱାର୍ଡର ଭାର, କର୍ମଚାରୀ ହାତଗଣତି, ଆଇସିୟୁରେ ପୌର ପରିଷଦ l କର୍ମଚାରୀ ମରୁଡ଼ିରେ ପୌର ପ୍ରଶାସନ ଏବେ ଯେପରି ଅଚଳାବସ୍ଥାର ଦ୍ୱାରଦେଶରେ ପହଞ୍ଚିଛି, ତାହାକୁ ଦୂର କରିବା ପାଇଁ ଖାଲି ପଦ ପୂରଣ, ଆବଶ୍ୟକ ମାନବସମ୍ବଳ ଯୋଗାଣ ଓ କାର୍ଯ୍ୟ ବଣ୍ଟନରେ ସୁସଂଗଠିତ ବ୍ୟବସ୍ଥା କରିବା ଏବେ ସମୟର ଆହ୍ୱାନ l ନଚେତ୍ ନାଗରିକ ସେବାଠାରୁ ସହରର ବିକାଶ, ସବୁ କ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ରହିଛି l





