ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା
ଝାରସୁଗୁଡ଼ା,୨୪/୯ : ସହରର ଅତ୍ୟନ୍ତ ବ୍ୟସ୍ତ ପୁରୁଣା ବସଷ୍ଟାଣ୍ଡଠାରୁ ଝଣ୍ଡାଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ପୌର ପରିଷଦ ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇଛି l ଏହି ଦୋକାନଗୁଡ଼ିକରେ ବହୁ ବ୍ୟବସାୟୀ ନିଜର ଜୀବିକା ନିର୍ବାହ କରୁଛନ୍ତି l ହେଲେ ଦୋକାନଗୁଡ଼ିକର ପଛପଟେ ଥିବା ରେଳବାଇ ଜମି ଏବେ ବ୍ୟବସାୟୀଙ୍କ ପାଇଁ ନିରାପତ୍ତାର ଚିନ୍ତାର କାରଣ ପାଲଟିଛି l ବଡ଼ ବଡ଼ ଗଛ, ଅନାବନା ଜଙ୍ଗଲ ଓ ଆବର୍ଜନାରେ ପରିପୂର୍ଣ୍ଣ ଏହି ଅଞ୍ଚଳ ଦିନକୁ ଦିନ ଅସାମାଜିକ ତତ୍ତ୍ୱଙ୍କ ନିରାପଦ ଆଶ୍ରୟସ୍ଥଳୀରେ ପରିଣତ ହେଉଥିବା ଅଭିଯୋଗ ହେଉଛି l ରେଳ କର୍ମଚାରୀଙ୍କ କ୍ୱାର୍ଟର ଓ ପୌର ଦୋକାନଗୃହ ମଧ୍ୟରେ ଥିବା ଏହି ଜମିରେ ଲୋକଙ୍କ ଯାତାୟାତ ନଥିବାରୁ ଏହାର ସୁଯୋଗ ନେଉଛନ୍ତି ଦୁର୍ବୃତ୍ତମାନେ l ଘଞ୍ଚ ଗଛଲତା ଓ ଆବର୍ଜନା ମଧ୍ୟରେ ଦିନବେଳେ ମଧ୍ୟ ଅନେକ ସମୟରେ ସନ୍ଦେହଜନକ ଗତିବିଧି ଦେଖାଯାଉଥିବାବେଳେ ରାତି ହେଲେ ଏହି ଅଞ୍ଚଳ ଆହୁରି ଅସୁରକ୍ଷିତ ହୋଇପଡ଼ୁଥିବା ସ୍ଥାନୀୟ ବ୍ୟବସାୟୀମାନେ କହୁଛନ୍ତି l

ଚୋରଙ୍କ ପାଇଁ ସହଜ ପ୍ରବେଶପଥ
ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ବର୍ଷ ଧରି ଏହି ଅଞ୍ଚଳରେ ଥିବା ଏକାଧିକ ଦୋକାନରେ ଚୋରି ଘଟଣା ଘଟିଛି l ଚୋରମାନେ ରେଳବାଇ ଜମି ପଟୁ ଦୋକାନ ନିକଟକୁ ପହଞ୍ଚି ଅପରାଧ ଘଟାଇବା ପରେ ସେହି ରାସ୍ତା ଦେଇ ଅନାୟାସରେ ଫେରାର ହେଉଥିବା ନେଇ ଅଭିଯୋଗ ରହିଛି l ଏହି ଅଞ୍ଚଳରେ ଆଲୋକ ବ୍ୟବସ୍ଥା, ନିୟମିତ ସଫେଇ ଓ ନିରୀକ୍ଷଣର ଅଭାବ ଦୁର୍ବୃତ୍ତଙ୍କୁ ଅଧିକ ସୁଯୋଗ ଦେଉଥିବା ବ୍ୟବସାୟୀମାନଙ୍କ ମତ l ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ରେଳବାଇ ଜମିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ କାହାର ଦାୟିତ୍ୱ l ଜମିରେ ଜଙ୍ଗଲ ଓ ଆବର୍ଜନା ଜମି ରହିଲେ ଏହା ଅପରାଧୀଙ୍କ ପାଇଁ ଆଶ୍ରୟସ୍ଥଳୀରେ ପରିଣତ ହେବାକୁ ରୋକିବ କିଏ l
ତାଜା ଘଟଣା ପରେ ଉଠିଲା ସୁରକ୍ଷା ପ୍ରଶ୍ନ
ଏହି ଅଭିଯୋଗକୁ ଆହୁରି ଗମ୍ଭୀର କରିଛି ପୁରୁଣାବସ୍ତି ଛକ ନିକଟସ୍ଥ ମଙ୍ଗସପୁରିଆ ଜ୍ୱେଲେରୀ ଦୋକାନରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଚୋରି ଘଟଣା l ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ଦୋକାନରୁ ଏକ କୋଟିରୁ ଅଧିକ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଛନ୍ତି l ଘଟଣାଟି ସହରର ବ୍ୟବସାୟୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏହା ପରେ ରେଳବାଇ ଜମିର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଛି l ବ୍ୟବସାୟୀମାନଙ୍କ କହିବାନୁଯାୟୀ, ପ୍ରତିବର୍ଷ ଏହି ଅଞ୍ଚଳର ଏକାଧିକ ଦୋକାନ ଚୋରଙ୍କ ଟାର୍ଗେଟ ହେଉଥିବା ଅଭିଯୋଗ ରହିଛି l ତେବେ ଘଟଣା ପରେ ମଧ୍ୟ ସ୍ଥାୟୀ ପ୍ରତିକାର ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଉନଥିବା ନେଇ ଅସନ୍ତୋଷ ବଢ଼ୁଛି l

ଟାଉନ୍ ପୁଲିସର ହାତ ବନ୍ଧା
ସ୍ଥାନୀୟ ଲୋକଙ୍କ ଅନ୍ୟତମ ଅଭିଯୋଗ ହେଉଛି, ରେଳବାଇ ଅଞ୍ଚଳରେ ସାଧାରଣ ଟାଉନ୍ ପୁଲିସର ନିୟମିତ ପେଟ୍ରୋଲିଂକୁ ନେଇ ସୀମାବଦ୍ଧତା ରହିଛି l ଅନ୍ୟପଟେ ରେଳବାଇ ପୁଲିସ ଓ ଆରପିଏଫ୍ ପକ୍ଷରୁ ମଧ୍ୟ ଏହି ଅଞ୍ଚଳରେ ଆବଶ୍ୟକ ମାତ୍ରାରେ ନିୟମିତ ପେଟ୍ରୋଲିଂ ହେଉନଥିବା ଅଭିଯୋଗ ରହିଛି l ଏଭଳି ସ୍ଥିତିରେ ଅପରାଧ ଘଟିଲେ ଦାୟିତ୍ୱ କାହାର, ଏହି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ l ଯଦି ଅଞ୍ଚଳଟି ରେଳବାଇ ଅଧୀନରେ ରହିଛି, ତେବେ ସେଠାରେ ନିୟମିତ ନିରୀକ୍ଷଣ, ଆଲୋକୀକରଣ, ଆବର୍ଜନା ସଫେଇ ଓ ଅନଧିକୃତ ପ୍ରବେଶ ରୋକିବା ପାଇଁ କ’ଣ ବ୍ୟବସ୍ଥା ରହିଛି l ଯଦି ଏହି ଅଞ୍ଚଳକୁ ଅପରାଧୀମାନେ ବାରମ୍ବାର ବ୍ୟବହାର କରୁଛନ୍ତି, ତେବେ ରେଳ ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କେତେ ଫଳପ୍ରଦ ତାରି ଉପରେ ଉଠୁଛି ପ୍ରଶ୍ନ l
ରେଳ ବିଭାଗକୁ ସ୍ଥାନୀୟଙ୍କ ପ୍ରଶ୍ନ
ରେଳବାଇ ଜମିରେ ବର୍ଷବର୍ଷ ଧରି ଆବର୍ଜନା ଓ ଜଙ୍ଗଲ ଜମି ରହିଥିଲେ ଏହାକୁ ସଫା କରାଯାଉନାହିଁ କାହିଁକି l ରେଳ କ୍ୱାର୍ଟର ଓ ପୌର ଦୋକାନ ମଧ୍ୟବର୍ତ୍ତୀ ଅଞ୍ଚଳରେ ନିୟମିତ ପେଟ୍ରୋଲିଂ ହେଉନାହିଁ କାହିଁକି l ରେଳ ବିଭାଗ ଜମିକୁ ଅପରାଧୀମାନେ ପ୍ରବେଶପଥ ଭାବେ ବ୍ୟବହାର କରୁଥିବା ଅଭିଯୋଗ ଉପରେ କୌଣସି ସୁରକ୍ଷା ଅଡିଟ୍ କରାଯାଉ ନାହିଁ କାହିଁକି l ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ଓ ନିରୀକ୍ଷଣ ବ୍ୟବସ୍ଥା କରାଯାଉ ନାହିଁ କାହିଁକି l ରେଳବାଇ ପୁଲିସ ଓ ଆରପିଏଫ୍ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ନିୟମିତ ପେଟ୍ରୋଲିଂ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ଗ୍ରହଣ କରାଯାଉ ନାହିଁ କାହିଁକି l ଗତ କିଛି ବର୍ଷରେ ଏହି ଅଞ୍ଚଳରେ ଘଟିଥିବା ଚୋରି ଘଟଣା ପରେ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଉ ନାହିଁ କାହିଁକି l ବ୍ୟବସାୟୀଙ୍କ ସୁରକ୍ଷା ନିମନ୍ତେ ରେଳବାଇ ଜମି ସଫେଇ, ଆଲୋକୀକରଣ ଓ ନିୟମିତ ନିରୀକ୍ଷଣ କରାଯାଉ ନାହିଁ କାହିଁକି l
ଜମି ରେଳର, ବିପଦ ବ୍ୟବସାୟୀଙ୍କର
ରେଳବାଇ ଜମିର ସୀମା ଓ ପ୍ରଶାସନିକ ଦାୟିତ୍ୱକୁ ନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଥିଲେ ତାହାର ଶିକାର ହେଉଛନ୍ତି ସାଧାରଣ ବ୍ୟବସାୟୀ ଓ ନାଗରିକ l ଗୋଟିଏ ପଟେ ପୌର ପରିଷଦ ଦୋକାନ ନିର୍ମାଣ କରି ବ୍ୟବସାୟୀଙ୍କୁ ବ୍ୟବସାୟର ସୁଯୋଗ ଦେଇଛି, ଅନ୍ୟପଟେ ଦୋକାନ ପଛର ଅସୁରକ୍ଷିତ ପରିବେଶ ଯଦି ସେମାନଙ୍କ ସୁରକ୍ଷା ପାଇଁ ହିଁ ବିପଦ ସୃଷ୍ଟି କରେ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ l ଚୋରି ଘଟିବା ପରେ କେବଳ ତଦନ୍ତ କରି ଅପରାଧୀଙ୍କୁ ଖୋଜିବା ଅପେକ୍ଷା, ଚୋରି ଯେପରି ଘଟିବ ନାହିଁ ସେଥିପାଇଁ ପ୍ରତିରୋଧମୂଳକ ବ୍ୟବସ୍ଥା ଅଧିକ ଜରୁରୀ l ତେଣୁ ରେଳବାଇ ଜମିର ଆବର୍ଜନା ସଫେଇ, ଜଙ୍ଗଲ କଟା, ଆଲୋକୀକରଣ, ସିସିଟିଭି ନିରୀକ୍ଷଣ ଓ ନିୟମିତ ପେଟ୍ରୋଲିଂ ନେଇ ରେଳ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବ୍ୟବସାୟୀ ଓ ନାଗରିକମାନେ ଦାବି କରିଛନ୍ତି l





