ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର/ଅନୁଗୋଳ:
ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଆଜି ପ୍ରାୟ ଶେଷ ଦିନରେ ପହଞ୍ଚି ସାରିଛି। ପୂଜାର ଅନ୍ତିମ ପର୍ଯ୍ୟାୟରେ ଆଜି ସନ୍ଧ୍ୟା ବେଳକୁ ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ଲଡ଼ୁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ଚଳିତ ବର୍ଷ ତାଳଚେର ସହରର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଆକର୍ଷଣୀୟ ତଥା ସୁନ୍ଦର ମେଢ଼ମାନ ନିର୍ମାଣ କରାଯାଇଥିଲା। ଲିଙ୍ଗରାଜ କଲୋନୀ ପାଖରୁ ଆରମ୍ଭ କରି ହାଣ୍ଡିଧୁଆ, ଶର୍ମା ଛକ, ଆଇ.ଟି.ଆଇ ଛକ, ହାଟତୋଟା, ବାଇପାସ୍, ତାଳଚେର ଫାଷ୍ଟ ଗେଟ୍, ବଉଳ ଛକ, ବଡ଼ଦାଣ୍ଡ ସାହି ଦେଇ ରାଜବାଟୀ ପର୍ଯ୍ୟନ୍ତ ବହୁ ବିଶାଳକାୟ ମେଢ଼ ତଥା ତୋରଣ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣପତି ମହୋତ୍ସବରେ ପ୍ରତ୍ୟେକ ଦିନ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଏହି ସୁନ୍ଦର ମେଢ଼ଗୁଡ଼ିକୁ ଦର୍ଶନ କରିବା ପାଇଁ କେବଳ ତାଳଚେର ନୁହେଁ, ବରଂ ତାଳଚେର ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା। ଯଦିଓ ମଝିରେ ମଝିରେ ଲଗାଣ ବର୍ଷା ଦର୍ଶକଙ୍କ ବୁଲାବୁଲି ଏବଂ ମେଢ଼ ଦର୍ଶନରେ କିଛି ମାତ୍ରାରେ ବାଧକ ସୃଷ୍ଟି କରିଥିଲା, ତଥାପି ଲୋକଙ୍କ ଆଗ୍ରହ ଓ ଭକ୍ତିଭାବ ଆଗରେ ତାହା ଫିକା ପଡ଼ିଯାଇଥିଲା। ଲଗାତାର ଭିଡ଼ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ଏହି ବର୍ଣ୍ଣାଢ଼୍ୟ ଉତ୍ସବ ନିଜର ଶେଷ ସୋପାନରେ ପହଞ୍ଚିଛି।






