ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ନୂଆଗାଁ, ୨୮/୦୯: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ଶିବରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବନ୍ତଳା କ୍ଲଷ୍ଟର ସିଆରସି କାର୍ଯ୍ୟାଳୟରେ ରବିବାର ମଧ୍ୟାହ୍ନରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାର୍ଯ୍ୟାଳୟର କେତେକ ଆସବାବପତ୍ର ସହ ଗୁରୁତ୍ୱପୂର୍ଣ୍ଣ ଅଫିସ୍ କାଗଜପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବନ୍ତଳା କ୍ଲଷ୍ଟରର ସିଆରସି ବୀରକିଶୋର ବଳବନ୍ତ ସିଂ ଶିକ୍ଷାଦାନ କାର୍ଯ୍ୟରେ ବଧୂଲିପୁର–ପୋଡ଼ାସାହି ବିଦ୍ୟାଳୟକୁ ଯାଇଥିବା ବେଳେ ଦିବା ପ୍ରାୟ ୧୨ଟା ସମୟରେ ସିଆରସି କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ପ୍ରାଥମିକ ଭାବେ ଏହା ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଘଟିଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ ତୁରନ୍ତ ସିଆରସି ବୀରକିଶୋର ବଳବନ୍ତ ସିଂଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଓଡ଼ଗାଁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ଭିତରେ ଧୂଆଁ ଭରିଯାଇଥିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ଭିତରକୁ ପ୍ରବେଶ କରି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରିଥିଲେ।
ଅଗ୍ନିକାଣ୍ଡରେ ବନ୍ତଳା କ୍ଲଷ୍ଟର ସିଆରସି କାର୍ଯ୍ୟାଳୟର କେତେକ ଚେୟାର, ଅନ୍ୟାନ୍ୟ ଆସବାବପତ୍ର ଏବଂ ଅଫିସ୍ର କିଛି ଜରୁରୀ କାଗଜପତ୍ର ପୋଡ଼ି ଯାଇଥିବା ସିଆରସି ବୀରକିଶୋର ବଳବନ୍ତ ସିଂ ସୂଚନା ଦେଇଛନ୍ତି।
ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ନିଆଁକୁ ସମୟରେ ଆୟତ୍ତ କରାଯାଇଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଏଡ଼ାଇ ପାରିଥିବା କୁହାଯାଉଛି।






