ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:
ଧାମନଗର ବ୍ଲକ କଟସାହି ପଞ୍ଚାୟତ ଜଗନ୍ନାଥପୁର ମହାଦେବ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରଖର ସୁଅରେ ଭାସିଯାଇ ଜଣେ ୯ ବର୍ଷର ଶିଶୁ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହାଦେବ ସାହି ପୋଲ ନିକଟରେ ବନ୍ୟା ଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମର ଶୁଭ୍ରାଂଶୁ ପଣ୍ଡା (୯) ନାମକ ଜଣେ ଛାତ୍ରଙ୍କ ଗୋଡ଼ ଅକସ୍ମାତ୍ ଖସିଯିବାରୁ ସେ ବନ୍ୟା ପାଣିର ପ୍ରଖର ସୁଅରେ ଭାସିଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ (Fire Brigade) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣିରେ ବ୍ୟାପକ ଖୋଜାଖୋଜି ଜାରି ରହିଛି। ତେବେ ଶେଷ ଖବର ମିଳିବା ସୁଦ୍ଧା ନିଖୋଜ ଶିଶୁଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।






