ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ:
Anchor:ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ ମେରାଗାଁରେ ରବିବାର ଗୁଣି ଗାରେଡ଼ି ସନ୍ଦେହକୁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚ଼ନା ଯୋଗ୍ୟ ମେରାପଲ୍ଲୀ ପଞ୍ଚାୟତ ଅଧିନ ମେରାମା ଗ୍ରାମ କନ୍ଧ ସାହିର ରାମ ମଳିକ (୫୦) ଗ୍ରାମାଞ୍ଚଳର ରୋଗ ବ୍ୟାଧିରେ ପ୍ରପୀଡ଼ିତ ଲୋକଙ୍କୁ ଚେରମୂଳି ୱୌଷଧ ଦେଇ ରୋଗ ଉପଶମ କରୁଥିଲେ । ଏହାକୁ ଗ୍ରାମବାସୀ ଗୁଣି ଗାରେଡ଼ି କରି ଲୋକଙ୍କୁ ମାରିଦେବାର ଯୋଜନା କରୁଥିବା ସନ୍ଦେହ କରି ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଗ୍ରାମବାସୀଙ୍କ ଭୟରେ ସେ ନିକଟସ୍ଥ ବଗଡ଼ରେ ଅସ୍ଥାୟୀ ଘର ନିର୍ମାଣ କରି ସେଠାରେ କିଛି ବର୍ଷ ହେଲା ରହୁଥିଲେ । ସେ ଗ୍ରାମର କିଛି ମହିଳା ଓ ଶିଶୁଙ୍କୁ ଗୁଣି ଗାରେଡ଼ି କରି ମାରି ଦେଉଥିବାର ଲୋକେ ସନ୍ଦେହ କରି ଆସୁଥିଲେ । ରବିବାର ଗ୍ରାମବାସୀ ଏକତ୍ରୀତ ହୋଇ ରାମଙ୍କୁ ଗ୍ରାମରେ ଏକ ବୈଠକ କରି ଡ଼କାଇଥିଲେ । ସେ ଆସିବା ପରେ ଗ୍ରାମର କିଛି ବ୍ୟକ୍ତି କିଛି ମାସ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଓ ସେଥିରେ ସେ ସାମିଲ ଥିବା ଅଭିଯୋଗ କରିଥିଲେ । ଏସବୁକୁ ସେ ଅସ୍ୱୀକାର କରିବା ପରେ ଗ୍ରାମର କିଛି ବ୍ୟକ୍ତି ଏକତ୍ରୀତ ହୋଇ ତାଙ୍କୁ ବଗଡ଼ ନିକଟକୁ ଟେକି ନେଇ ବାଡ଼େଇ ବାଡ଼େଇ ମାରିଦେବା ପରେ ଜଙ୍ଗଲ ପାର୍ଶ୍ଵ ବଗଡ଼ରେ ପୋଡ଼ି ଦେଇଥିଲେ । ଖବର ପାଇ ଅପରାହ୍ନରେ ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ମୃତ ରାମଙ୍କର ୫ଟି ଝିଅ , ଗୋଟିଏ ପୁଅ ଓ ସ୍ତୀ ଅଛନ୍ତି ।





