ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା ଖବର
ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା


ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ :
କାଶୀପୁର, ୧୫/୯:
ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି। ଦେଶ ଚନ୍ଦ୍ରପୃଷ୍ଠରେ ଘର ନିର୍ମାଣର ସ୍ୱପ୍ନ ଦେଖୁଛି। ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଏକ ପାହାଡ଼ିଆ ଗାଁରେ ଆଜି ବି ଲୋକେ ପିଇବା ପାଣି ପାଇଁ ପ୍ରାୟ ୩୦୦ ଫୁଟ ତଳକୁ ଖସୁଛନ୍ତି। ଶିକ୍ଷା, ରାସ୍ତା, ପାନୀୟ ଜଳ, ଅଙ୍ଗନବାଡ଼ି ଓ ଷ୍ଟ୍ରିଟ୍‌ଲାଇଟ୍‌ ଭଳି ମୌଳିକ ସୁବିଧା ଏଠାରେ ଏବେ ବି ସ୍ୱପ୍ନ। କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅଧୀନ ମାଳିପଦର ଗାଁ, ୱାର୍ଡ ନମ୍ବର-୧୧ରେ ପ୍ରାୟ ୪୫ଟି ଆଦିବାସୀ ପରିବାରର ୨୨୧ ଜଣ ଲୋକ ବସବାସ କରୁଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଗାଁଟି ପ୍ରାୟ ୭ କିଲୋମିଟର ଦୂରରେ ପାହାଡ଼ ଉପରେ ଅବସ୍ଥିତ। ପିଢ଼ି ପିଢ଼ି ଧରି ଚାଷବାସ କରି ଏଠାରେ ରହୁଥିବା ଲୋକଙ୍କ ଜୀବନରେ ଆଜି ବି ବିକାଶର ମୌଳିକ ସୁବିଧା ପହଞ୍ଚି ପାରିନାହିଁ।

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା

ବିଦ୍ୟାଳୟ ଅଛି, ହେଲେ ପାଠପଢ଼ା କେଉଁଠି?

ଗାଁରେ ୨୦୦୬ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଗାଁର ପ୍ରତ୍ୟେକ ଶିଶୁ ଶିକ୍ଷାର ଅଧିକାର ପାଇବ। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ନିୟମିତ ପାଠପଢ଼ା ହେଉନାହିଁ। ଶିକ୍ଷକ ମାସ ମାସ ଧରି ବିଦ୍ୟାଳୟକୁ ଆସୁନଥିବା ଏବଂ କେବେ ଆସିଲେ ମଧ୍ୟ ନିୟମିତ ଶିକ୍ଷାଦାନ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିକ୍ଷକ ସିଲେନ୍ଦୁ ଭୋଇଙ୍କ କହିବା ଅନୁଯାୟୀ, ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଓ ୧୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। ରାସ୍ତା ଓ ପାନୀୟ ଜଳ ସମସ୍ୟା ଯୋଗୁଁ ବିଦ୍ୟାଳୟକୁ ଯିବାରେ ସମସ୍ୟା ହେଉଥିବା ସେ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯଦି ସତ, ତେବେ ପ୍ରଶ୍ନ ଉଠୁଛି—୨୦୦୯ର ଶିକ୍ଷା ଅଧିକାର ଆଇନ ଓ ୨୦୨୦ର ଜାତୀୟ ଶିକ୍ଷାନୀତିର ସୁଫଳ ମାଳିପଦରର ଶିଶୁମାନଙ୍କ ପାଖରେ କେବେ ପହଞ୍ଚିବ? ଗ୍ରାମବାସୀ ଆହୁରି ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଓ ବିଦ୍ୟାଳୟ ଉନ୍ନତି ପାଇଁ ଆସୁଥିବା ଅର୍ଥରେ ଅନିୟମିତତା ହେଉଛି। ଏହି ଅଭିଯୋଗର ସ୍ୱାଧୀନ ତଦନ୍ତ ହେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା

୩୦୦ ଫୁଟ ତଳକୁ ଯାଇ ପିଇବା ପାଣି!

ମାଳିପଦରର ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳ। ଗାଁରେ ନିରାପଦ ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଲୋକେ ପ୍ରତିଦିନ ପ୍ରାୟ ୨ କିଲୋମିଟର ଦୂର ପାହାଡ଼ ତଳେ ଥିବା ଏକ ଝରଣାରୁ ପାଣି ଆଣୁଛନ୍ତି। ପାହାଡ଼ରୁ ପ୍ରାୟ ୩୦୦ ଫୁଟ ତଳକୁ ଖସି ମହିଳା, ଶିଶୁ, ବୃଦ୍ଧ ଓ ଅନ୍ୟମାନେ ପାଣି ବୋହି ଆଣିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଦିନରେ ଏହି ଯାତ୍ରା ଆହୁରି ବିପଦପୂର୍ଣ୍ଣ ହୋଇପଡ଼େ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଝରଣା ପାଣି ବ୍ୟବହାର ଯୋଗୁଁ ବିଭିନ୍ନ ସମୟରେ ଜ୍ୱର, କାଶ, ଚର୍ମରୋଗ, ଝାଡ଼ାବାନ୍ତି ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଣିର ଗୁଣବତ୍ତା ପରୀକ୍ଷା ହେବା ଆବଶ୍ୟକ। ଆଶ୍ଚର୍ଯ୍ୟର ବିଷୟ, ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୧୭ ଆର୍ଥିକ ବର୍ଷରେ ପ୍ରାୟ ୧ ଲକ୍ଷ ଟଙ୍କା ସିଏପିସି ଅନୁଦାନରେ ଝରଣା ନିକଟରେ ଜଳକୂପ, ନନ୍ଦକୂଅ ଓ ସ୍ୱଜଳଧାରା ଭଳି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଏବେ ଲୋକଙ୍କ କାମରେ ଆସୁନାହିଁ। ଅଙ୍ଗନବାଡ଼ି ନାହିଁ, ସ୍ୱାସ୍ଥ୍ୟସେବା ପାଇଁ ୭ କିମି ପାହାଡ଼ ଓହ୍ଲାଇବାକୁ ପଡ଼ୁଛି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନିଜସ୍ୱ ଗୃହ ନଥିବାରୁ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ଓ ପୋଷଣ ସେବା ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି।ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପାହାଡ଼ରୁ ପ୍ରାୟ ୭ କିଲୋମିଟର ତଳକୁ ଆସିବାକୁ ପଡ଼ୁଛି। ଜରୁରୀ ସମୟରେ ଏହି ଦୂରତା ଜୀବନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ।

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା

ରାସ୍ତା ନାହିଁ, ଷ୍ଟ୍ରିଟ୍‌ଲାଇଟ୍‌ ନାହିଁ, ସିସି ରୋଡ୍‌ ନାହିଁ

ମାଳିପଦରର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଯୋଗାଯୋଗ ବ୍ୟବସ୍ଥା। ଖରାପ ରାସ୍ତା ଯୋଗୁଁ ଗାଁକୁ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ଗାଁ ଭିତରେ ସିସି ରୋଡ୍‌ ଓ ଷ୍ଟ୍ରିଟ୍‌ଲାଇଟ୍‌ ଭଳି ମୌଳିକ ସୁବିଧା ମଧ୍ୟ ନଥିବା ଅଭିଯୋଗ ହୋଇଛି। “ଆମେ ଦାନ ମାଗୁନାହୁଁ, ଅଧିକାର ମାଗୁଛୁ” ଗ୍ରାମବାସୀଙ୍କ କଥାରେ ଅସନ୍ତୋଷ ଓ ଅସହାୟତା ସ୍ପଷ୍ଟ। “ଆମେ ସରକାରଙ୍କଠାରୁ ଦାନ ମାଗୁନାହୁଁ। ଆମର ମୌଳିକ ଅଧିକାର—ଶିକ୍ଷା, ପାନୀୟ ଜଳ ଓ ଭଲ ରାସ୍ତା ଦାବି କରୁଛୁ। ଆଦିବାସୀ ଅଞ୍ଚଳ ବୋଲି ଆମକୁ ଅବହେଳା କରାଯିବା ଉଚିତ ନୁହେଁ,” ବୋଲି ଗ୍ରାମବାସୀ କହିଛନ୍ତି। ୱାର୍ଡ ସଭ୍ୟ ଉମୁରଦେଇ ମାଝୀଙ୍କ ସମେତ ରାମ ମାଝୀ, ବାଲି ମାଝୀ, ଦେବରାଜ ମାଝୀ, ମଞ୍ଜୁଳା ମାଝୀ, ମିତୁଲା ମାଝୀ, ମଦନସିଂ ମାଝୀ, ହୁନଦେଇ ମାଝୀ ଓ ସୁନ୍ଦୁରି ମାଝୀ ପ୍ରମୁଖ ଗ୍ରାମବାସୀ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ବିଦ୍ୟାଳୟ ଅଛି, ଶିକ୍ଷା ନାହିଁ; ଅଙ୍ଗନବାଡ଼ି ଗୃହ ନାହିଁ, ରାସ୍ତା ନାହିଁ ,ମୌଳିକ ଅଧିକାର ପାଇଁ ଲଢ଼ୁଛନ୍ତି ୪୫ ଆଦିବାସୀ ପରିବାର – ସମୀକ୍ଷା

ସରକାରଙ୍କ ପାଇଁ ବଡ଼ ପ୍ରଶ୍ନ

ମାଳିପଦରର ଏହି ଚିତ୍ର କେବଳ ଗୋଟିଏ ଗାଁର ସମସ୍ୟା ନୁହେଁ; ଏହା ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ପହଞ୍ଚକୁ ନେଇ ଏକ ବଡ଼ ପ୍ରଶ୍ନ ଉଠାଉଛି।୪୫ଟି ପରିବାର ଓ ୨୨୧ ଜଣ ଲୋକଙ୍କ ପାଇଁ ନିରାପଦ ପାନୀୟ ଜଳ, ରାସ୍ତା ଓ ଶିକ୍ଷା ଭଳି ମୌଳିକ ସୁବିଧା ଯଦି ଏବେ ବି ସୁନିଶ୍ଚିତ ହୋଇପାରିନାହିଁ, ତେବେ ଦୁର୍ଗମ ଅଞ୍ଚଳର ବିକାଶ ନେଇ ସରକାରଙ୍କ ଦାବି କେତେ ଦୂର ବାସ୍ତବ—ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିତ ଭାବେ ମାଳିପଦରର ସ୍ଥିତିର ତୁରନ୍ତ ଅନୁଧ୍ୟାନ କରି ନିରାପଦ ପାନୀୟ ଜଳ, ନିୟମିତ ଶିକ୍ଷାଦାନ, ଅଙ୍ଗନବାଡ଼ି କେନ୍ଦ୍ର, ଯୋଗାଯୋଗ ରାସ୍ତା ଓ ଷ୍ଟ୍ରିଟ୍‌ଲାଇଟ୍‌ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ