ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ନୂଆଗାଁ, ୦୫/୧୦: ଗୋଟିଏ ପଟେ ୯ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀଗୃହ ଓ ୩ ଜଣ ଶିକ୍ଷକ, ଅନ୍ୟପଟେ ରୋଷେଇ ଘର ନଥିବାରୁ ବିଦ୍ୟାଳୟ ପରିସରରେ କାଠ ଚୁଲିର ଧୂଆଁ ମଧ୍ୟରେ ପାଠପଢ଼ା। ଏହା ସହ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଚାଉଳରେ ପୋକ ଓ ମୂଷା ଲାଗିଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଆଦିବାସୀ ବହୁଳ କାପ୍ତାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିଶୁ ବାଟିକାକୁ ମିଶାଇ ୯ଟି ଶ୍ରେଣୀ ଚାଲୁଥିବା ବେଳେ ପାଠପଢ଼ା ପାଇଁ ମାତ୍ର ୩ଟି ଶ୍ରେଣୀଗୃହ ରହିଛି। ସେହିପରି ବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ରହିଥିବାରୁ ଏକାଧିକ ଶ୍ରେଣୀର ପାଠପଢ଼ା ପରିଚାଳନାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି। ଏଠାରେ ଜଣେ ରୋଷେୟାଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି। କିନ୍ତୁ ସ୍ୱତନ୍ତ୍ର ରୋଷେଇ ଘର ନଥିବାରୁ ବିଦ୍ୟାଳୟ ପରିସରରେ କାଠ ଜାଳି ରୋଷେଇ କରାଯାଉଛି। ଫଳରେ ଧୂଆଁ ଶ୍ରେଣୀଗୃହ ଆଡ଼କୁ ଯାଇ ପାଠପଢ଼ାର ପରିବେଶକୁ ପ୍ରଭାବିତ କରୁଥିବା ଅଭିଭାବକମାନେ କହିଛନ୍ତି। ଏହି ଧୂଆଁ ଯୋଗୁଁ ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିବା ନେଇ ମଧ୍ୟ କିଛି ଅଭିଭାବକ ଚିନ୍ତା ପ୍ରକାଶ କରିଛନ୍ତି।

ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ଗ୍ୟାସ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏକବର୍ଷରୁ ଅଧିକ ସମୟ ହେଲା ଗ୍ୟାସ୍ ଆସିନଥିବା ପ୍ରଧାନଶିକ୍ଷକ କହିଛନ୍ତି। ଫଳରେ କାଠ ଚୁଲିରେ ରୋଷେଇ କରିବାକୁ ପଡ଼ୁଥିବା ଜଣାପଡ଼ିଛି। ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳର ଅବସ୍ଥା। ଗୋଦାମ ଘରେ ୨୦ ବସ୍ତାରୁ ଅଧିକ ଚାଉଳ ରହିଥିବା ବେଳେ ସେଥିରେ ପୋକ ଲାଗିବା ସହ କେତେକ ବସ୍ତାକୁ ମୂଷା କାଟିଥିବା ଦେଖିବାକୁ ମିଳିଛି। ପୋକ ଲାଗିଥିବା ଚାଉଳକୁ ପାଛୁଡ଼ି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଖାଦ୍ୟ ସହ ଏହା ସିଧାସଳଖ ଭାବେ ଜଡ଼ିତ ଥିବାରୁ ଚାଉଳର ଗୁଣବତ୍ତା ଓ ଏହା ଖାଦ୍ୟୋପଯୋଗୀ କି ନୁହେଁ, ସମ୍ପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ଯାଞ୍ଚ କରାଯିବାକୁ ଦାବି ହୋଇଛି। ସେହିପରି ବିଦ୍ୟାଳୟରେ ପାଣି ପାଇଁ ଟ୍ୟାପ୍ ଓ ଟାଙ୍କି ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନଥିବା ଅଭିଯୋଗ ରହିଛି। ଫଳରେ ଛାତ୍ରଛାତ୍ରୀମାନେ ଏକ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ନଳକୂପର ପାଣି ବ୍ୟବହାର ଉପଯୋଗୀ ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ସହ ପିଲାମାନଙ୍କୁ ପାଠ୍ୟପୁସ୍ତକ, ପୋଷାକ, ଜୋତା ଓ ମଧ୍ୟାହ୍ନ ଭୋଜନ ଭଳି ବିଭିନ୍ନ ସୁବିଧା ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ତଥାପି ଆଦିବାସୀ ବହୁଳ ଅଞ୍ଚଳର ଏହି ବିଦ୍ୟାଳୟରେ ଶ୍ରେଣୀଗୃହ, ଶିକ୍ଷକ, ରୋଷେଇ ଘର, ପାନୀୟଜଳ ଓ ଖାଦ୍ୟ ସଂରକ୍ଷଣ ଭଳି ମୌଳିକ ବ୍ୟବସ୍ଥାରେ ସମସ୍ୟା ରହିବାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ଓ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ତୁରନ୍ତ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ଚାଉଳ, ପାନୀୟଜଳ, ରୋଷେଇ ବ୍ୟବସ୍ଥା, ଶ୍ରେଣୀଗୃହ ଓ ଶିକ୍ଷକ ସମସ୍ୟାର ବାସ୍ତବ ସ୍ଥିତି ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।





