ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ରାୟଗଡ଼ା : ୦୭/୧୦ : ସୋମବାର ଦିନ ନାଗାଲାଣ୍ଡରେ ସହିଦ ହୋଇଛନ୍ତି ରାୟଗଡ଼ାର ଯୁବକ ଭି ତେଜା । ସେ ଭାରତୀୟ ସେନାର ଆସାମ ରାଇଫଲସରେ ଯବାନ ରୂପେ
କାର୍ଯ୍ୟରତ ଥିଲେ । ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଗୁଳି ବାଜିଥିଲା ଓ ସେଠାରେ ଟଳି ପଡ଼ିଥିଲେ ତେଜା । ଘଟଣା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୋମବାର ଖବର ପହଞ୍ଚିବା ପରେ ରାୟଗଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ବୁଧବାର ତେଜା ପାଳିଥାନ୍ତେ ପରିବାର ଓ ସାଙ୍ଗସାଥୀ ଙ୍କ ସଙ୍ଗେ ନିଜର ୩୧ତମ ଜନ୍ମଦିନ ।

ଡିସେମ୍ବର ୧୦ ତାରିଖରେ ହୋଇଥାନ୍ତା ତାଙ୍କ ବାହାଘର । ବାହାଘର ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ସାଙ୍ଗସାଥୀ ପରିବାର ଖୁସି ଥିଲେ । ୫୦ ଦିନ ପାଇଁ ଛୁଟି ମଧ୍ଯ ମଞ୍ଜୁରୀ ହୋଇଥିଲା କିନ୍ତୁ ବିଧିର ବିଧାନ ଥିଲ ଅଲଗା । ଲିଭିଗଲା ବଳିଦାନର ଅନ୍ୟ ଏକ ଉତ୍ସ। ଭି-ତେଜାଙ୍କ ମାନବିକତାର ଆଉ ଏକ ଉଦାହରଣ ହେଉଛି ତାଙ୍କ ଅଙ୍ଗଦାନର ନିଷ୍ପତ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ସେ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିବା ନେଇ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କର ସେହି ଇଚ୍ଛା ଅନୁଯାୟୀ, ମୃତ୍ୟୁ ପରେ ଡାକ୍ତରୀ ପ୍ରକ୍ରିୟା ଅନୁସାରେ ତାଙ୍କର ଦାନଯୋଗ୍ୟ ଅଙ୍ଗଗୁଡ଼ିକ ସଂଗ୍ରହ କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି। ଦେଶ ପାଇଁ ଜୀବନ ବଳିଦାନ ଦେବା ସହ ମୃତ୍ୟୁ ପରେ ମଧ୍ୟ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାର ଏହି ମହତ୍ ନିଷ୍ପତ୍ତି ତେଜାଙ୍କ ମାନବିକତା ଓ ମହାନ ଚିନ୍ତାଧାରାର ପରିଚୟ ଦେଇଛି।
ଯେଉଁ ଘରେ ବିବାହର ଶାହାନାଇ ବାଜିଥାନ୍ତା, ସେହି ଘରେ ଆଜି କାନ୍ଦଣାର ସ୍ୱର। ଯେଉଁ ଯୁବକଙ୍କ ଜନ୍ମଦିନ ପାଳନ ପାଇଁ ପରିବାର ଅପେକ୍ଷା କରିଥିଲା, ସେ ଆଜି ତିରଙ୍ଗାରେ ଢାଙ୍କା ସହୀଦ୍ ବୀର ଯବାନ। ଦେଶ ପାଇଁ ଜୀବନ ଦେଇଥିବା ରାୟଗଡ଼ାର ବୀର ଯବାନ ଭି. ତେଜାଙ୍କୁ ଶତ ଶତ ନମନ। ତାଙ୍କ ବଳିଦାନ ସଦା ଅମର ହୋଇ ରହିବ।





