ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନ୍ୟୁଜ : ୧୩.୧୦.୨୬
ଆସନ୍ତା ଧନୁଯାତ୍ରା ଆୟୋଜନ, ବ୍ୟୟ ଅଟକଳ ଏବଂ କଂସ ଚୟନ ପ୍ରକ୍ରିୟା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଧନୁଯାତ୍ରା ୨୦୨୬-୨୭ ପାଇଁ ତାରିଖ ଧାର୍ଯ୍ୟ ,ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଏବଂ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୭୮ତମ ବର୍ଷ ଆୟୋଜନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର ଆୟ-ବ୍ୟୟ ହିସାବ ସମୀକ୍ଷା କରାଯିବା ସହ ଆଗାମୀ ୨୦୨୬-୨୭ ବର୍ଷର ଧନୁଯାତ୍ରା ମହୋତ୍ସବ ସୁଚାରୁ ରୂପେ ପରିଚାଳନା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ୨,୧୩,୩୧,୨୩୯ ଟଙ୍କାର ବଳକା ପାଣ୍ଠି ରହିଥିବା ବେଳେ ୨୦୨୫-୨୬ ବର୍ଷ ପାଇଁ ମୋଟ ୩,୫୦,୮୭,୮୧୬ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମୀକ୍ଷା ସହିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ଏଥର ଧନୁଯାତ୍ରା ଶେଷ ହେବାର ୩୦ ଦିନ ମଧ୍ୟରେ ବିଭିନ୍ନ କମିଟି ଏବଂ ସେଗୁଡ଼ିକର ଆବାହକ (Convenors) ମାନେ ସେମାନଙ୍କର ସମସ୍ତ ଖର୍ଚ୍ଚ ହିସାବ ସମିତି ନିକଟରେ ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଧନୁଯାତ୍ରା ୨୦୨୬-୨୭ ଜାନୁଆରୀ ୧୨ ରୁ ୨୨ ତାରିଖ ଯାଏଁ ଆୟୋଜନ କରିବା ପାଇଁ ଧାର୍ଯ୍ୟ କରାଗଲା। ଏହା ବ୍ୟତୀତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ତଥା ମହାନାୟକ କଂସ ଭୂମିକା ପାଇଁ କଳାକାର ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ତର୍କସଙ୍ଗତ ଏବଂ ଉଚିତ ସାଂସ୍କୃତିକ ପ୍ରଣାଳୀ ଅନୁସରଣ କରି ଆସନ୍ତା ୧୫ ଦିନ ମଧ୍ୟରେ ସମ୍ପାଦନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ବୈଠକରେ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତିବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଆରକ୍ଷୀ ଅଧୀକ୍ଷକ ରବି ନାରାୟଣ ଶତପଥୀ,ଅତିରିକ୍ତ ଜିଲ୍ଲାପାଳ (ADM) ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ, ପ୍ରସନ୍ନ ପାଣ୍ଡେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏ.ବି ସିଲ୍ପାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସମିତିର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏହି ସଭାର ପରିଚାଳନା କରିଥିଲେ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ, ଶୃଙ୍ଖଳିତ ଏବଂ ଭବ୍ୟ ଭାବେ ଆୟୋଜନ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।





