
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା, ୧୫ ଅକ୍ଟୋବର : ଖୋରଧା ଆଦର୍ଶ ଥାନା ପୁଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ କରିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୨ କିଲୋ ଗଞ୍ଜେଇ, ଗୋଟିଏ କାର, ଗୋଟିଏ ଇଲେକ୍ଟ୍ରିକ ସ୍କୁଟର, ୩ଟି ମୋବାଇଲ ଫୋନ ଓ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଛି। ତରତୁଆ ସ୍ଥିତ ଆଇଟିବିପି କ୍ୟାମ୍ପ ନିକଟରେ ପୁଲିସ ଏହି ଚଢ଼ଉ କରିଥିଲା।
ଗୁରୁବାର ଖୋରଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗତ ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୧୦ ମିନିଟରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ପୁଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାପରେ ଖୋରଧା ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରାଯାଇଥିଲା। ଉପନିରୀକ୍ଷକ ବସନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଦଳ ତରତୁଆସ୍ଥିତ ଆଇଟିବିପି କ୍ୟାମ୍ପ ନିକଟରେ ଦିନ ପ୍ରାୟ ୧୨ଟା ୩୫ ମିନିଟ୍ରେ ଅଭିଯୁକ୍ତ ମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ଯାନବାହନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ସଦର ଥାନା ଅଧୀନରେ ରହୁଥିବା କମଳାକାନ୍ତ କହଁର (୨୭) ଓ ବାଦଲ ବିଷୋୟୀ (୨୫) ଏବଂ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଛପଡ଼ା ଗ୍ରାମର ରତିରଞ୍ଜନ ପରିଡ଼ା (୪୩)। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରଥମ ଦୁଇ ଅଭିଯୁକ୍ତ ଗଞ୍ଜେଇର ଉତ୍ସ ଓ ଯୋଗାଣ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଥିବାବେଳେ ରତିରଞ୍ଜନ ଚାଲାଣ ହୋଇଥିବା ଗଞ୍ଜେଇ ନେଇ ତାହା ବିତରଣ କରୁଥିବା ସନ୍ଦେହ କରାଯାଉଛି।
ଜବତ ସାମଗ୍ରୀ ମଧ୍ୟରେ ୪୨ କିଲୋ ଗଞ୍ଜେଇ, ଓଡ଼ି ୦୨ ସିଜି ୫୦୬୬ ନମ୍ବର ବିଶିଷ୍ଟ ହୁଣ୍ଡାଇ ଭେନ୍ୟୁ କାର୍, ଓଡ଼ି ୩୩ ଏୟୁ ୬୮୫୭ ନମ୍ବର ବିଶିଷ୍ଟ ଭିଡା ଇଲେକ୍ଟ୍ରିକ୍ ସ୍କୁଟର, ୩ଟି ମୋବାଇଲ୍ ଫୋନ୍ ଓ ନଗଦ ୧୫ ହଜାର ଟଙ୍କା ରହିଛି।
ଏହି ଘଟଣାରେ ଖୋରଧା ଆଦର୍ଶ ଥାନାରେ କେସ ନଂ ୬୧୪, ତାରିଖ ୧୪ ଅକ୍ଟୋବର ୨୦୨୬ରେ ଏନ.ଡି.ପି.ଏସ ଆଇନର ଧାରା ୨୦(ବି)(ii)(ସି) ଓ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଉପନିରୀକ୍ଷକ ରଞ୍ଜନ ମଲ୍ଲିକ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି ଏବଂ ଉପନିରୀକ୍ଷକ ବସନ୍ତ କୁମାର ପଟ୍ଟନାୟକ ମାମଲାର ଅଭିଯୋଗକାରୀ ଅଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଏହି ଗଞ୍ଜେଇ କାରବାରରେ ଅର୍ଥ ନେଣଦେଣର ଉତ୍ସ ଖୋଜିବା, ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଚାଲାଣର ପୂର୍ବ ଓ ପରବର୍ତ୍ତୀ ସଂଯୋଗ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ତଦନ୍ତ ଜାରି ରହିଛି। ନିଶା କାରବାରରୁ ଅର୍ଜିତ ଅର୍ଥରେ କୌଣସି ସମ୍ପତ୍ତି କ୍ରୟ କରାଯାଇଛି କି ନାହିଁ, ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି।

‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଜିଲ୍ଲାରେ ନିଶାଦ୍ରବ୍ୟର ଅବୈଧ କାରବାର ରୋକିବାକୁ ପୁଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଥିବା ଏସ.ପି କହିଛନ୍ତି। ଗଞ୍ଜେଇ ସହିତ ବ୍ରାଉନ ସୁଗାର ଓ କୋଡିନ୍ଯୁକ୍ତ କଫ୍ ସିରପର ବେଆଇନ କାରବାର ଉପରେ ମଧ୍ୟ ପୁଲିସ ନଜର ରଖିଛି। ଏଭଳି କୌଣସି କାରବାର ସମ୍ପର୍କରେ ସୂଚନା ମିଳିଲେ ନିକଟସ୍ଥ ଥାନା, ଜରୁରୀକାଳୀନ ନମ୍ବର ୧୧୨ କିମ୍ବା ମାନସ ଜାତୀୟ ନିଶା ନିୟନ୍ତ୍ରଣ ହେଲ୍ପଲାଇନ ୧୯୩୩ରେ ଜଣାଇବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏସ.ପି ଏହି ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।





