ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼,୧୬। ୧୦
ବରଗଡ଼ସ୍ଥିତ ଇମ୍ପେରିଆଲ୍ କଲେଜ ପକ୍ଷରୁ ଯୁବା ସଙ୍ଗମ ୨୦୨୬ ଅନ୍ତର୍ଗତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନରେ ହିମାଚଳ ପ୍ରଦେଶର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଉଷ୍ମ ସ୍ୱାଗତ କରାଯାଇଥିଲା। ପାରମ୍ପରିକ କୀର୍ତ୍ତନ ଓ ଆକର୍ଷଣୀୟ ଘୁଡ଼କା ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଲୋକକଳା ଓ ପରମ୍ପରାର ଝଲକ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ ଓ ଆତିଥେୟତାର ଅନୁଭୂତି ଦେବା ପାଇଁ କଲେଜ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟର ପୋଷାକ ଓ ସଂସ୍କୃତିକୁ ନେଇ ଆକର୍ଷଣୀୟ ରାମ୍ପ୍ ୱାକ୍ ସହିତ ହିମାଚଳୀ ଓ ସମ୍ବଲପୁରୀ ଲୋକନୃତ୍ୟର ମନୋରମ ପରିବେଷଣ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଯୋଗଦେଇଥିଲେ। ତାଙ୍କର କାଳଜୟୀ ଗୀତ ‘ରଙ୍ଗବତୀ’ର ତାଳେ ତାଳେ ହିମାଚଳର ଛାତ୍ରଛାତ୍ରୀମାନେ ମଧ୍ୟ ନୃତ୍ୟ କରି ଉତ୍ସବର ଆନନ୍ଦକୁ ଦ୍ୱିଗୁଣିତ କରିଥିଲେ। ଏହି କାର୍ଯ୍ୟକ୍ରମ ଭାରତର ବିବିଧତା ମଧ୍ୟରେ ଏକତା, ସାଂସ୍କୃତିକ ଆଦାନପ୍ରଦାନ ଓ ଜାତୀୟ ସଂହତିର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲା। ଏହା ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀମାନଙ୍କ ମନରେ ଏକତା ଓ ଭାଇଚାରାର ଭାବନା ଜାଗ୍ରତ କରିଥିଲା






