ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଖରାମାଲରେ ଦୁଇ ଦିନିଆ ବିଶ୍ୱ ଖାଦ୍ୟ ଦିବସ ଉଦଯାପିତ

ଖରାମାଲରେ ଦୁଇ ଦିନିଆ ବିଶ୍ୱ ଖାଦ୍ୟ ଦିବସ ଉଦଯାପିତ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

୧୨୦୦ ଚାଷୀଙ୍କ ସମାଗମ, ଦେଶୀ ବିହନ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନ

ପାଇକମାଳ,୧୬।୧୦(ସମିସ): ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଖରାମାଲ ଗ୍ରାମରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ଦୁଇ ଦିନିଆ ବିଶ୍ୱ ଖାଦ୍ୟ ଦିବସ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଦେଶୀ ବିହନର ସୁରକ୍ଷା, ପାରମ୍ପରିକ ଖାଦ୍ୟର ପ୍ରଚାର ଓ କୃଷକଙ୍କ ଅବଦାନକୁ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମରୁ ପ୍ରାୟ ୧୨୦୦ ଚାଷୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପଦ୍ମଶ୍ରୀ ହଳଧର ନାଗ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଭାସ ପଣ୍ଡା, ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା ଏବଂ ରାଇଜ୍ ଏଗେନଷ୍ଟ ହଙ୍ଗର ଇଣ୍ଡିଆର ସୋଭରାଜ ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ କୃଷି ଓ ପାରମ୍ପରିକ ଖାଦ୍ୟ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଖାଦ୍ୟବୀର ଭାବେ ଧୀରେନ ମହାନ୍ତି ଓ ମାୟାଧର ସରାପଙ୍କୁ ଏବଂ ଖାଦ୍ୟବୀରା ଭାବେ ପରସଖଣ୍ଡି ଗ୍ରାମର କମଳା ବିଛିଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜାତୀୟ କୃଷି ମିଶନରେ କାର୍ଯ୍ୟରତ ୪୦ ଜଣ କୃଷିମିତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଖରାମାଲରେ ଦୁଇ ଦିନିଆ ବିଶ୍ୱ ଖାଦ୍ୟ ଦିବସ ଉଦଯାପିତ – ସମୀକ୍ଷା

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପାରମ୍ପରିକ ଖାଦ୍ୟ ଓ ଦେଶୀ କୃଷିଜାତ ଦ୍ରବ୍ୟର ପ୍ରଦର୍ଶନୀ। ବିଭିନ୍ନ ଗ୍ରାମର ୪୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ବିଭିନ୍ନ ପ୍ରକାରର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଏଥିରେ ମୁଗ ଟିଖିରି, ମୁଗ ମଣ୍ଡା, ରାହାଡ଼ି ଚାଟ୍, ଆରିସା ପିଠା, କଲରା ଚିପ୍ସ, ମାଣ୍ଡିଆ ପଖାଳ ଓ ମାଣ୍ଡିଆ ଟିଖିରି ଭଳି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସ୍ଥାନ ପାଇଥିଲା। ଏହାସହ ଚାଷୀମାନେ ନିଜ ଉତ୍ପାଦିତ କୃଷିଜାତ ଦ୍ରବ୍ୟ, ଦେଶୀ ବିହନ ଏବଂ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ କନ୍ଦମୂଳ ଓ ଶାଗ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀ ମାଧ୍ୟମରେ ସ୍ଥାନୀୟ ଖାଦ୍ୟ ବିବିଧତା, ପାରମ୍ପରିକ ଜ୍ଞାନ ଓ ଦେଶୀ ବିହନ ସଂରକ୍ଷଣର ଗୁରୁତ୍ୱ ପ୍ରତିଫଳିତ ହୋଇଥିଲା। ରାଇଜ୍ ଏଗେନଷ୍ଟ ହଙ୍ଗର ଇଣ୍ଡିଆ, ଅହିଂସା କ୍ଲବ୍, ପ୍ରଗତି କୋରାପୁଟ, ଆସ୍ଥା, ଭିତ୍ତିଭୂମି ସେବା ସଂଗଠନ, ନିର୍ମାଣ, ଡେକାନ ଡେଭଲପମେଣ୍ଟ ସୋସାଇଟି ହାଇଦ୍ରାବାଦ, ମିନି ହାଇଦ୍ରାବାଦ ଓ ଦେଶୀ ବିହନ ସୁରକ୍ଷା ମଞ୍ଚ, ଓଡ଼ିଶା ଆଦି ଅନୁଷ୍ଠାନର ସହଯୋଗରେ ଏହି ଆୟୋଜନ କରାଯାଇଥିଲା। ଅହିଂସା କ୍ଲବ୍ ଓ ଭିତ୍ତିଭୂମି ସେବା ସଂଗଠନର ସଦସ୍ୟଙ୍କ ସହ ଖରାମାଲ ଗ୍ରାମବାସୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଦଲିପାଳିକୁ ୫-୪ ଗୋଲରେ ହରାଇ ମୁଣ୍ଡାପଡା ବରଗଡ଼ ସେମିଫାଇନାଲ ରେ