ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :
ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ଆକର୍ଷଣୀୟ ଉତ୍ସବ ସୋହେଲା ଦୁର୍ଗାପୂଜା ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ବେଶ୍ ଧୂମଧାମରେ ପାଳିତ ହେଉଛି। ବରଗଡ଼ ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସୋହେଲା ବ୍ଲକର ଏହି ପୂଜା କେବଳ ଧାର୍ମିକ ଭାବନା ନୁହେଁ ବରଂ ନିଜର ସ୍ଵତନ୍ତ୍ର ପରମ୍ପରା, ଆକର୍ଷଣୀୟ ପେଣ୍ଡାଲ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସୋହେଲା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଭିନ୍ନ ଶୈଳୀର ବିରାଟ ପେଣ୍ଡାଲ ନିର୍ମାଣ କରାଯାଇଛି, ଯାହାକି ଦକ୍ଷିଣ ଭାରତୀୟ ମନ୍ଦିର କିମ୍ବା ତିରୁପତି ବାଲାଜୀ ମହାପ୍ରଭୁଙ୍କ ମନ୍ଦିରର ଥିମ୍ ଉପରେ ଆଧାରିତ ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ତୋରଣ ଓ ମେଢ଼କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ଏହା ସହିତ ସହର ସାରା କରାଯାଇଥିବା ଆଲୋକମାଳାର ସାଜସଜ୍ଜା ରାତ୍ରି ସମୟରେ ସହରକୁ ଅପୂର୍ବ ଶୋଭା ପ୍ରଦାନ କରୁଛି।

ସୋହେଲା ଦୁର୍ଗାପୂଜାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର ସାମ୍ପ୍ରଦାୟିକ ସଦ୍ଭାବନା ଓ ଭାଇଚାରା ପରମ୍ପରା। ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ପୂଜା କମିଟିରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକମାନେ ଏକାଠି ମିଶି ସମସ୍ତ ଦାୟିତ୍ଵ ତୁଲାଇଥାନ୍ତି, ଯାହା ଓଡ଼ିଶାର ସଂସ୍କୃତିର ମହାନତାକୁ ପ୍ରତିପାଦିତ କରେ। ପୂଜା ଅବସରରେ ମା’ଙ୍କ ଆରାଧନା ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା ଓ ନାଟକ ଆଦିର ଆୟୋଜନ କରାଯାଉଛି। ବିଶେଷ କରି ସୋହେଲାର ପ୍ରସିଦ୍ଧ ବିରାଟ ରାମଲୀଳା ଯାତ୍ରା ଓ ରାବଣ ମହାରାଜାଙ୍କ ନଗର ପରିକ୍ରମା ଭକ୍ତମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିଛି। ଏହା ବ୍ୟତୀତ ଶିଶୁ ତଥା ପରିବାର ମନୋରଞ୍ଜନ ପାଇଁ ବିରାଟ ମୀନା ବଜାର ପଡ଼ିଛି, ଯେଉଁଠାରେ ଚଳିତ ବର୍ଷ ‘ଜଳପରୀ ଶୋ’ ଏବଂ ଭିନ୍ନ ଭିନ୍ନ ଦୋଳି ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି।





