ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:
ଭୁବନେଶ୍ୱର,୧୮/୧୦/୨୬- କେଦାରନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ଚଳିତବର୍ଷ ଲୋକନାଥ ଶତପଥୀ କଳା ସମ୍ମାନ ପ୍ରଦାନ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ମନୋନୀତ ହୋଇଛନ୍ତି।ଶ୍ରୀ ସାମଲ ନିଜର ସୃଜନଶୀଳ ଚିତ୍ରକଳା ପାଇଁ ଓଡ଼ିଶା ସମେତ ଜାତୀୟ ତଥା ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଓଡ଼ିଶାର ସୁନାମ ବୃଦ୍ଧି କରିଆସୁଛନ୍ତି।ତାଙ୍କର ଅନେକ ଚିତ୍ରକଳା ଦେଶ ମଧ୍ୟରେ ଓ ଅଷ୍ଟ୍ରେଲିଆ,ନେପାଳ,ବାଂଲାଦେଶ ଏବଂ କାନାଡାରେ ସଂରକ୍ଷିତ।ଏଥି ସହିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦରେ ରହି ଶିଳ୍ପୀ ଛାତ୍ରଛାତ୍ରୀମାନଙ୍କୁ ଗଢ଼ିବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଆଗକୁ ନେବାରେ ସଦା ସର୍ବଦା ଚେଷ୍ଟିତ।ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କାଳର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସମୟରେ ଜାତୀୟ ତଥା ଆନ୍ତର୍ଜାତୀୟ ପର୍ଦର୍ଶନୀର ଆୟୋଜନ କରିଥାନ୍ତି।ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ଆସନ୍ତା ଅକ୍ଟୋବର ୨୨ ତାରିଖରେ ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୫ତମ ଜୟନ୍ତୀ ସମାରୋହରେ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଶ୍ରୀ ସାମଲଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।ଏହି ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ସେ କେଦାରନାଥ ଗବେଷଣା ପ୍ରତିଷ୍ଠାନର କର୍ମକର୍ତ୍ତା ଓ ବିଚାରକ ମଣ୍ଡଳୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।ଏଥିପାଇଁ ଧଉଳି ଚାରୁକଳା ମହାବିଦ୍ୟାଳୟର ସମ୍ପାଦକ ,ଅଧ୍ୟାପକ ଅଧ୍ୟାପିକା , ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଶିଳ୍ପୀଙ୍କୁ ଶୁଭେଛା ଜଣାଇଛନ୍ତି।






