ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ପିପିଲି,ତା୨୧ା୯ ପିପିଲି ବ୍ଲକର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗ ସୁଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳ ରାଜକିଶୋର ଜେନା ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସଞ୍ଜୁ ଦାଶ,ପିପିଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ବିଡିଓ ସରୋଜ କୁମାର ରାଉତ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନି ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ ,ଜିଲ୍ଲାପରିଷଦ ଧରଣିଧର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗ ର ଅଭିଯୋଗ ଉପରେ ଜନ ଶୁଣାଣି କରିଥିଲେ । ପୁର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପିପିଲି ଟୋଲପ୍ଲାଜାର ଅବଧୀ କେବେ ସରୁଛି । ଏବଂ କେତେଦିନ ରହିଛି । ତାହାର ତଥ୍ୟ ମାଗିବା ସହ ଏହି ଟୋଲପ୍ଲାଜାରେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିରୁ ଜନସାଧାରଣଙ୍କୁ ଅର୍ଥନୈତିକ ଶୋଷଣ କରାଯାଉଥିବା ନେଇ ଅଭିଯୋଗ କରିଥିଲେ ।

ଅନ୍ୟ ଅଭିଯୋଗ ମଧ୍ୟରେ ପିପିଲି ଡେଲାଙ୍ଗ ବ୍ଲକର ବିଦ୍ୟାଳୟରୁ ଅଚାନକ ବିଦ୍ୟୁତ କାଟ,ଭକ୍ତ ଦାସିଆପୀଠର ସରକାର ଅର୍ଥ ମଞ୍ଜୁର ହୋଇଥିଲେ ସୁଧା କାର୍ଯ୍ୟ ନକରିବା,ପ୍ରତି ପଂଚାୟତରେ ଆଧାର ସଂଶୋଧନ କେନ୍ଦ୍ର ଖୋଲିବା, ଆବଲପୁର ଏବଂ ତେଇସିପୁର ସବସେଂଟର କାର୍ଯ୍ୟ ସରିଥିଲେ ମଧ୍ୟ ଜନସାଧାରଣଙ୍କ ସେବାରେ ନଲାଗିବା, ପୁର୍ତ ବିଭାଗ ଅଧିନରେ ଥିବା ପିପିଲି ରୁ ଦାଣ୍ଡମୁକୁନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ତାହା କେବେ କାର୍ଯ୍ୟ ହେବ ମଧ୍ୟ ଅଭିଯୋଗ ହୋଇଥିଲା । ସେହିପରି ପିପିଲି ପୁର୍ତ ବିଭାଗ ଅଧିନସ୍ଥ ସରଦେଇପୁର ସେକ୍ସସନର ଡାକବଙ୍ଗଳା କାର୍ଯ୍ୟ ନିମ୍ନମାନର ହେବା ସହ ବିନା ଟେଣ୍ଡରେ କାମ ହେବା, ଭଗବତୀ ହାଇସ୍କୁଲ ରୁପୁଦେଇପୁର ଶିକ୍ଷା କିମିଟି ଗଠନ ବେନିୟମ ଅଭିଯୋଗ, ତେଇସିପୁର ପଂଚାୟତର ମହିଳା ମହାସଂଘ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଖର୍ଚ୍ଚ ହୋଇ ପାରୁନଥିବା,ମଙ୍ଗଳପୁର (ସିଏଚସି)ର କାମ ନିମ୍ନମାନର ଅଭିଯୋଗ ଏବଂ ଟେଣ୍ଡର ହୋଇଥିବା ଅର୍ଥ ସାର୍ବଜାନିନ କରିବା, ସହଜପୁର ଗ୍ରାମ ପଂଚାୟତରେ ଦିର୍ଘଦିନଧରି ପିଇଓ ପଦବୀ ଖାଲି ପଡିବା ସମ୍ପର୍କରେ ଅଭିଯୋଗ,ନକଲି ମୃତ୍ୟୁ ପ୍ରମାଣ ପତ୍ର ଦେଇ ଶ୍ରମିକ କଲ୍ୟାଣ ବୋର୍ଡ ଅର୍ଥକୁ ତୋଷରପାତ କରିବା ଅଭିଯୋଗ, ଜାତୀୟ ରାଜପଥ ଉପରେ ବୁଲା ଗାଇଗୋରୁ ଷଣ୍ଢଙ୍କ ପ୍ରାଦୃଭାବ ବଢିଥିବା ବେଳେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ।

ଅସ୍ଥାୟୀ ଗୋଶାଳା ନିର୍ମାଣ କରିବା ପାଇଁ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଅଭିଯୋଗ କରିଥିଲେ । ସେହିଭଳି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ପ୍ରାଥମିକ ସ୍କୁଲ ନିକଟରେ ପବ୍ଲିକ ସ୍କୁଲ ଖୋଲିବା ବେନିୟମ ଏବଂ ଘରୋଇ ବସ ଗୁଡିକ ପିପିଲି ବଜାର ଦେଇ ଆସିବାକୁ ଅଭିଯୋଗ କରିଥିଲେ ଭାଗିରଥୀ ଦାଶ । କଂଟି ଗ୍ରାମ ପଂଚାୟତର ଗ୍ରାମୀଣ ପାର୍କ ଦିର୍ଘଦିନ ଧରି କାମ ସରିଥିଲେ ସୁଧା ବିଲ ନମିଳୁଥିବାରୁ ପୁର୍ବତନ କଂଟି ପଂଚାୟତର ସରପଂଚ ପ୍ରକାଶ ଧଳ ଅଭିଯୋଗ କରିଥିଲେ । ଏଥିରେ ମୋଟ ୩୮ଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ୩୦ଟି ଗ୍ରୁପ ଅଭିଯୋଗ ୮ ରହିଥିବା ନେଇ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ସୁଚନା ଦେଇଛନ୍ତି । ପ୍ରଚାର ପ୍ରସାର ଅଭାବରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରହସନରେ ପରିଣତ ହୋଇଥିବା ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ସାହୁ କହିଛନ୍ତି । ଅନ୍ୟପଟେ ଅଧାରୁ ଅଧିକ ବିଭାଗୀୟ ଅଧିକାରୀ ମାନେ ଏହି ଜନ ଶୁଣାଣି ଶିବିରରେ ଅନୁପସ୍ଥତି ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ ।






