ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:
ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ସନ୍ତୋଷୀ ନଗର ରେ ଆସନ୍ତା ଦଶହରା ପାଇଁ ପ୍ରସ୍ତୁତି ବୈଠକରେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ଲଳିତ ସେଠି, ନାଗେଶ ପଟ୍ଟନାୟକ ଓ ସରୋଜ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦଶହରାକୁ ଆଡ଼ମ୍ବର ଓ ଭକ୍ତିମୟ ଭାବରେ ପାଳନ ପାଇଁ ନୂତନ ପୂଜା କମିଟି ଗଠନ କରାଯାଇଛି। ସମସ୍ତ ସଦସ୍ୟଙ୍କ ସହମତି ଓ ଆଲୋଚନା ଆଧାରରେ ପୂଜା ସମ୍ପର୍କିତ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ କୌଣସି ସଭାପତି ରଖାଯାଇନଥିବା ବେଳେ ସରୋଜ ମହାନ୍ତି, ମୋହିତ ଓ ଶୁଭମଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ବୁଧବାର, ୨୩ ସେପ୍ଟେମ୍ବରରେ ବିଧିବିଧାନ ଅନୁସାରେ ଦୁର୍ଗାପୂଜାର ଶୁଭଖୁଣ୍ଟ ସ୍ଥାପନ କରାଯାଇଛି।

ଉମରକୋଟ ଅଞ୍ଚଳର ନିଜସ୍ୱ ପରମ୍ପରା ଓ ରୀତିନୀତି ଅନୁଯାୟୀ ଏଠାରେ ଦଶହରା ପାଳନ ହୋଇଥାଏ। ବିଶେଷକରି ମହିଳାମାନଙ୍କ ସିନ୍ଦୂର ଖେଳ ଉତ୍ସବର ଅନ୍ୟତମ ଆକର୍ଷଣ ରହିଥାଏ। ମହାଷ୍ଟମୀ ଦିନ ଅନ୍ନପ୍ରସାଦ ଭୋଗ ଏବଂ ଦଶହରା ଦିନ ଗ୍ରାମାଞ୍ଚଳରୁ ଆସୁଥିବା ଶତାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା କରାଯିବ। ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଭକ୍ତମାନଙ୍କ ସୁବିଧା ନେଇ ମଧ୍ୟ କମିଟି ପକ୍ଷରୁ ଆଲୋଚନା କରାଯାଇଛି।
ସନ୍ତୋଷୀ ନଗର ଦୁର୍ଗା ଶକ୍ତି ପୀଠରେ ଶୁଭଖୁଣ୍ଟ ସ୍ଥାପନ ସହ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଚଳିତ ବର୍ଷ ମଧ୍ୟ ଭକ୍ତି ଓ ପରମ୍ପରାର ସହ ମା’ଙ୍କ ପୂଜା ପାଳନ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।






