ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୨୭/୯: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଭବାନୀପାଟଣାଠାରେ ୫ କିମି ‘କଳାହାଣ୍ଡି ପ୍ରମୋ ରନ୍’ ଅନୁଷ୍ଠିତ ହୋଇଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ ହୋଇଥିବା ଏହି ପ୍ରମୋ ରନ୍ ବିନାୟକ ମହାବିଦ୍ୟାଳୟ ଦେଇ ପୁନର୍ବାର ବିଶ୍ୱବିଦ୍ୟାଳୟଠାରେ ଶେଷ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରନ୍ର ଶୁଭାରମ୍ଭ କରିଥିଲେ। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଯୁବ ଧାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ସଂସ୍କୃତିର ପ୍ରଚାର ସହ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ, ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା, ସୁରକ୍ଷା ଓ ପର୍ଯ୍ୟଟକଙ୍କ ପ୍ରତି ଉତ୍ତମ ଆତିଥ୍ୟର ବାର୍ତ୍ତା ପ୍ରସାର ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପୁରୁଷ ବର୍ଗରେ ରବି ନାରାୟଣ ନାଏକ ପ୍ରଥମ, ଧର୍ମେନ୍ଦ୍ର ସୁନା ଦ୍ୱିତୀୟ ଓ ଦିନେଶ ଭାଟି ତୃତୀୟ ହୋଇଥିବା ବେଳେ ମହିଳା ବର୍ଗରେ ହେମପ୍ରଭା ମାଝୀ ପ୍ରଥମ, ମେହେକ୍ ଦୁର୍ଗା ଦ୍ୱିତୀୟ ଓ ବାଲସିନି ଭୋଇ ତୃତୀୟ ସ୍ଥାନ ହାସଲ କରିଥିଲେ। ଆସନ୍ତା ୧୩ ଡିସେମ୍ବରରେ ପୁରୀଠାରେ ହେବାକୁ ଥିବା କୋଷ୍ଟାଲ ବିଚ୍ ମାରାଥନ୍/ପ୍ରମୋ ରନ୍ରେ କଳାହାଣ୍ଡିରୁ ଅଧିକ ସଂଖ୍ୟକ ଧାବକ ଅଂଶଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ, ଡିଆଇପିଆରଓ ମନୋଜ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତଙ୍କ ସମେତ ବହୁ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।





