Headlines

ରାଉଲକେଲା ୧୭ ଅଗଷ୍ଟରୁ ଆରମ୍ଭ ହେବ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ, ୨୨୮ ଜଣ ଆଶା କର୍ମୀ ଓ ୫୦ ଟି ସୁପରଭାଇସର ଙ୍କର ଟିମ ନିୟୋଜିତ

ଲିପିକା ଦାସ // ସ୍ୱତନ୍ତ୍ର ପ୍ରତିନିଧି // ସୁନ୍ଦରଗଡ : ରାଉଲକେଲା ୧୨/୮/୨୬ : କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ (Leprosy Case Detection Campaign–LCDC)–୨୦୨୬ ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଭିଯାନ ରେ ୨୨୮ଜଣ ଆଶା କର୍ମୀ ଓ ୫୦ ଟି ସୁପରଭାଇଜରଙ୍କର ଟିମ ନିୟୋଜିତ ହୋଇଛନ୍ତି ।
ଏହି ଅଭିଯାନ ନିମନ୍ତେ ରାଉରକେଲାରେ ସିଟି ଟାସ୍କ ଫୋର୍ସ ବୈଠକ ଯୁଗ୍ମ କମିଶନର, ଶ୍ରୀମତୀ ପଲ୍ଲଭି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ LCDC ଅଭିଯାନର ଉଦ୍ଦେଶ୍ୟ, ରଣନୀତି ଓ ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ।ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ କୁଷ୍ଠ ଅଧିକାରୀ ଏବଂ ରାଜ୍ୟ ଓ ଜିଲ୍ଲା ପରାମର୍ଶଦାତା ଙ୍କ ଦ୍ୱାରା ବୈଠକରେ ଉପସ୍ଥିତ ସମସ୍ତ ସେକ୍ଟର ମେଡିକାଲ ଅଫିସରଙ୍କୁ କୁଷ୍ଠ ରୋଗ ଓ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଅଭିଯାନ ସମୟରେ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ତାଲିମପ୍ରାପ୍ତ ସୁପରଭାଇସର ଦଳଗୁଡ଼ିକ ଘରକୁ ଘର ଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ, ଘରଦ୍ୱାରରେ ସ୍କ୍ରିନିଂ ଏବଂ କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା କରିବେ। ସନ୍ଦିଗ୍ଧ ମାମଲା ଚିହ୍ନଟ ହେଲେ ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବ।କୁଷ୍ଠ ରୋଗକୁ ନେଇ ସମାଜରେ ଥିବା ଭୟ, ଲଜ୍ଜା ଓ ଭ୍ରାନ୍ତ ଧାରଣା ଦୂର କରିବା ସହିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଉଚିତ ଚିକିତ୍ସା ସହିତ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ।କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଯୋଗ୍ୟ। ଶୀଘ୍ର ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ୱାରା ଅକ୍ଷମତାକୁ ରୋକାଯାଇପାରିବ। ତେଣୁ ରାଉରକେଲା ସହରବାସୀଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ନିଜ ପରିବାର ଓ ସମାଜରେ କୁଷ୍ଠ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *