ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ

ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ – ସମୀକ୍ଷା ଖବର
ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ – ସମୀକ୍ଷା

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୨୯ ସେପ୍ଟେମ୍ବର: ଖୋରଧା ଜିଲ୍ଲାର ନରଣଗଡ଼ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଥଲେଟିକ୍‌ ମିଟ୍‌ରେ ଯୋଗଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ହେଉଛନ୍ତି ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ ସାହୁ। ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ଓ ସମ୍ପର୍କୀୟମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ତଦାରଖ ଏବଂ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ, କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସମ୍ପୃକ୍ତ କ୍ରୀଡ଼ା ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ପରିସରରେ ଗତକାଲିଠାରୁ ଖୋରଧା ଜିଲ୍ଲା ଆଥଲେଟିକ୍‌ ମିଟ୍‌ ଆରମ୍ଭ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବାଲିପାଟଣା ଆଦର୍ଶ ବିଦ୍ୟାଳୟରୁ ଅର୍ଣ୍ଣବଙ୍କ ସମେତ ୮ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଆଜି ସକାଳେ ଅର୍ଣ୍ଣବ ସ୍କୁଲ ନିକଟସ୍ଥ ଏକ ପୋଖରୀକୁ ଯାଇଥିବାବେଳେ ପାଣିରେ ବୁଡ଼ି ଯାଇଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ପରେ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିଲେ।

ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ; କ୍ରୀଡ଼ା ଶିକ୍ଷକ ନିଲମ୍ବିତ – ସମୀକ୍ଷା


ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କଠାରୁ ସୂଚନା ପାଇ ଅର୍ଣ୍ଣବଙ୍କ ପରିବାରବର୍ଗ ଓ ସମ୍ପର୍କୀୟମାନେ ଚିକିତ୍ସାଳୟରେ ପହଞ୍ଚିଥିଲେ। ଏହି ଘଟଣା ପାଇଁ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ତଦାରଖ ବ୍ୟବସ୍ଥା ଓ ପ୍ରତିଯୋଗିତାରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।
ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଚିକିତ୍ସାଳୟରେ ପହଞ୍ଚିଥିଲେ। ଘଟଣାକୁ ନେଇ କିଛି ସମୟ ଧରି ଚିକିତ୍ସାଳୟ ପରିସରରେ ଉତ୍ତେଜନା ଲାଗିରହିଥିଲା। ପରେ ଖୋରଧା ଆଦର୍ଶ ଥାନା ଅଧିକାରୀ ରମେଶ କୁମାର ଦେବତା ଓ ଏସ.ଡି.ପି.ଓ ପଙ୍କଜ କୁମାର ମାଝୀ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଆବଶ୍ୟକ ଯାଞ୍ଚ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ମୃତ ଛାତ୍ରଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣା ପରେ ଖୋରଧା ତହସିଲଦାର ବିଭାସ ପାଣିଗ୍ରାହୀ ଚିକିତ୍ସାଳୟରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ପରିବାରକୁ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାରେ ଆବଶ୍ୟକ ସହଯୋଗ କରାଯିବ ବୋଲି ସେ କହିଥିଲେ। ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ଆଧାରରେ ସମ୍ପୃକ୍ତ କ୍ରୀଡ଼ା ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ରିପୋର୍ଟ ମିଳିବା ପରେ ଅନ୍ୟ କାହାରି ଦାୟିତ୍ୱହୀନତା ସାମ୍ନାକୁ ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ କହିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା