ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୩୦/୯/୨୬ – ଶିକ୍ଷା–ସ୍ୱାସ୍ଥ୍ୟ-ପାନୀୟ ଜଳ ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ନିମନ୍ତେ ଆଜି ଭଞ୍ଜସେନା, ବଡସାହି ବ୍ଲକ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଧେଶ୍ୟରେ ବଡ଼ସାହି ବ୍ଲକ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ମୟୂରଭଞ୍ଜର ବିଭିନ୍ନ ବିକାଶ କ୍ଷେତ୍ରରେ ଭଂଜସେନା ସର୍ବଦା ପ୍ରୟାସ ଜାରି ରଖିବା ବ୍ୟତୀତ ଆନ୍ଦୋଳନ କରୁଥିବା ନେଇ ଜିଲ୍ଲାରେ ସମସ୍ତଙ୍କ ପ୍ରିୟଭାଜନ ହୋଇଛି ।
ସବୁଜିମାରେ ଭରପୂର, ପ୍ରାକୃତିକ ସମ୍ପଦରେ ସମୃଦ୍ଧ, ଐତିହ୍ୟ, ସଂସ୍କୃତି, କଳା ଓ ପରମ୍ପରାରେ ଗୌରବମୟ ମୟୂରଭଞ୍ଜ ଓଡ଼ିଶାର ଏକ ଅନନ୍ୟ ଜିଲ୍ଲା। ଏହି ମାଟି ରାଜ୍ୟକୁ ଅନେକ ପ୍ରତିଭା, କଳାକାର, କ୍ରୀଡ଼ାବିତ୍, ଶିକ୍ଷାବିତ୍ ଓ ସମାଜସେବୀ ଦେଇଛି।
କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ, ଆଜି ମଧ୍ୟ ଏହି ଜିଲ୍ଲାର ଅନେକ ଅଞ୍ଚଳର ଜନତା କିଛି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି, ଯାହା ଏକ ସୁସ୍ଥ, ଶିକ୍ଷିତ ଓ ବିକଶିତ ସମାଜର ମୂଳ ଆବଶ୍ୟକତା । ଏହା କେବଳ କିଛି ସମସ୍ୟାର ତାଲିକା ନୁହେଁ, ବରଂ ଆମ ଶିଶୁମାନଙ୍କ ଭବିଷ୍ୟତ, ଆମ ଯୁବପିଢ଼ିର ସ୍ୱପ୍ନ ଓ ଆମ ଜିଲ୍ଲାର ସାମଗ୍ରିକ ଭବିଷ୍ୟତ ସହିତ ଜଡ଼ିତ ଏକ ଗଭୀର ଚିନ୍ତା ।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଷୟଗୁଡ଼ିକ ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ଭଂଜସେନା ତରଫରୁ ବୁଧବାର ଏକ ଲିଖିତ ଦାବିପତ୍ର ମାଧ୍ୟମରେ ବିନମ୍ର ନିବେଦନ କରାଯାଇଛି ।

ଖବରକ୍ରମେ ଉକ୍ତ ଦାବିପତ୍ର ଦ୍ୱାରା ମୟୁରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ଯୋଜନା ଗ୍ରହଣ କରାଯାଉ । ସେହିଭଳି ସ୍ୱାସ୍ଥ୍ୟସେବାର ସ୍ଥାୟୀ ଉନ୍ନତି କ୍ରମେ ମୟୂରଭଞ୍ଜର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଜିଲ୍ଲା ଏବଂ ଜିଲ୍ଲା ବାହାରୁ, ପଡୋଶୀ ରାଜ୍ୟରୁ ଆସୁଥିବା ରୋଗୀଙ୍କ ନିମନ୍ତେ ବାରିପଦାସ୍ଥିତ ପି.ଆର.ଏମ. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ଆହୁରି ସୁଦୃଢ଼ କରି, ଆବଶ୍ୟକ ମାନବ ସମ୍ବଳ, ବିଶେଷଜ୍ଞ ଚିକିତ୍ସା, ଆଧୁନିକ ଚିକିତ୍ସା ଉପକରଣ, ଆବଶ୍ୟକ ଭିତ୍ତିଭୂମି ଓ ଜରୁରୀକାଳୀନ ସେବାକୁ ସୁଦୃଢ଼ କରିବା ସହିତ ସମଗ୍ର ଜିଲ୍ଲାର ସ୍ୱାସ୍ଥ୍ୟସେବା ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉ । ପୁଣି ମୟୁରଭଞ୍ଜର ଶିଶୁ ଓ ଯୁବପିଢ଼ି ହେଉଛନ୍ତି ଜିଲ୍ଲାର ସବୁଠାରୁ ବଡ଼ ସମ୍ପଦ । ସେମାନଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ବିନା ମୟୁରଭଞ୍ଜର ପ୍ରକୃତ ବିକାଶ ସମ୍ଭବ ନୁହେଁ । ଏହି ପରିପ୍ରେକ୍ଷୀରେ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କେଜିଭିବି ବାଳିକା ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ଏସ୍ଟି/ଏସ୍ସି ଓ ଅନ୍ୟାନ୍ୟ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ଆଶ୍ରମ ବିଦ୍ୟାଳୟ, ଏସ୍ଏସ୍ଡି ବାଳିକା ବିଦ୍ୟାଳୟ ଆଦିର ଶିକ୍ଷା ଓ ଭିତ୍ତିଭୂମି ସମସ୍ୟାର ସମୀକ୍ଷା କରି ସ୍ଥାୟୀ ସମାଧାନ କରାଯାଉ । ମହାବିଦ୍ୟାଳୟଠାରୁ ଏମ୍.ଏସ୍.ସି.ବି. ମେଡିକାଲ୍ କଲେଜ୍ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷାର ଭିତ୍ତିଭୂମି, ଶିକ୍ଷକ ଓ ଅଧ୍ୟାପକ ପଦବୀ, ଆଧୁନିକ ପରୀକ୍ଷାଗାର, ପୁସ୍ତକାଳୟ, ଛାତ୍ରାବାସ ଓ ଆବଶ୍ୟକ ଶିକ୍ଷା ସୁବିଧାକୁ ସୁଦୃଢ଼ କରିବା ଜରୁରୀ । ଡ୍ରପ୍-ଆଉଟ୍ ହ୍ରାସ ଓ ଶିଶୁ ଶ୍ରମ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ କୌଣସି ଶିଶୁର ହାତରେ ବହି ଓ କଲମ ଥିବା ସମୟରେ ତାଙ୍କ ହାତରେ ଶ୍ରମର ଭାର ରହିବା ଆମ ସମାଜ ପାଇଁ ଏକ ଗଭୀର ଯନ୍ତ୍ରଣାର ବିଷୟ । ତେଣୁ ମୟୁରଭଞ୍ଜରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ସଂଖ୍ୟା ହ୍ରାସ କରିବା, ବିଦ୍ୟାଳୟ ଛାଡ଼ୁଥିବା ଶିଶୁଙ୍କୁ ପୁନଃ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଏବଂ ଶିଶୁ ଶ୍ରମ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୃଢ଼ ଓ ନିରନ୍ତର ପଦକ୍ଷେପ ନିଆଯାଉ । ବାଲ୍ୟ ବିବାହ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ନେଇ ଆମ ଝିଅମାନଙ୍କ ଶୈଶବ ଓ ସ୍ୱପ୍ନକୁ ଅକାଳରେ ବିବାହର ବନ୍ଧନରେ ବାନ୍ଧିଦେବା କିମ୍ବା ବାନ୍ଧିହେବା ଏକ ଗଭୀର ସାମାଜିକ ସମସ୍ୟା । ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସଚେତନ କରାଯାଇ କିଶୋରୀମାନଙ୍କୁ ଉଚ୍ଚଶିକ୍ଷା ଓ କୌଶଳ ବିକାଶର ସୁଯୋଗ ଦେବା, ପରିବାର ଓ ସମାଜ ମଧ୍ୟରେ ଆବଶ୍ୟକ ସ୍ଥାନରେ ଆଇନର କଡ଼ା ଅନୁପାଳନ ପାଇଁ ଏକ ସମନ୍ୱିତ ଅଭିଯାନ ଗ୍ରହଣ କରିବା ମଧ୍ୟ ଅନ୍ୟ ଏକ ଆବଶ୍ୟକତା । ମୟୁରଭଞ୍ଜ ବାସୀ ଆଜି ମଧ୍ୟ ଅବନତି ନେଇ ସଂଗ୍ରାମ ଜାରି ରଖିଛନ୍ତି । ଯୁବକ ଓ ଯୁବତୀମାନେ ନିଜ ମାଟିରେ ସମ୍ମାନଜନକ ଜୀବନ ଓ ରୋଜଗାରର ସୁଯୋଗ ପାଆନ୍ତୁ ଏବଂ ସେମାନଙ୍କୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଭାବେ ଯିବାକୁ ନ ପଡ଼ୁ,ଏହା ମଧ୍ୟ ଦାବି ମଧ୍ୟରେ ମୂଳ ଆକାଂକ୍ଷା । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ବଡ଼ସାହି ବ୍ଲକ ବିଡ଼ିଓଙ୍କୁ ଏଭଳି ଏକ ଲିଖିତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ବୁଧବାର ଛାତ୍ର ସଭାପତି ଦୀପକ୍ କୁମାର ବେହରାଙ୍କ ନେତୃତ୍ବରେ ବଡସାହି ବ୍ଲକ ଅଞ୍ଚଳର ପ୍ରମୋଦ ବେହେରା, ସୁଭେନ୍ଦୁ ଶେଖର ଭକ୍ତା, ଫାୟାର ମଣ୍ଡଳ, ଶିବାଜୀ ପଣ୍ଡା, ତୁଷାର ରଞ୍ଜନ ମହାପାତ୍ର, ରତନ କୁମାର ମହାକୁଡ଼, ସିପୁନ ନାୟକ, ଚନ୍ଦନ ନାୟକ, ଅଶୋକ ବେହେରା, ଶିବ ଭକ୍ତା, ଲିପୁନ କଟୁଆଳ, ରାଜେଶ ଦାସ, ସାଲଖାନ ଭକ୍ତା,
ରିଥୁନ ଭକ୍ତା ପ୍ରମୁଖ ଯୁବ ଛାତ୍ର ସଂଗଠକ ମାନେ ସାମିଲ ଥିଲେ ।

ଉଲ୍ଲେଖ ଥାଉକି, ବିଭିନ୍ନ ସମୟରେ ଭଂଜସେନାର ପ୍ରୟାସ ଓ ଉଦ୍ୟମ କ୍ରମେ ବିଭିନ୍ନ ସମୟରେ ଜଙ୍ଗଲ ସୁରକ୍ଷା, ଆର୍ଥିକ ବିକାଶ ଭଳି ସର୍ବାଙ୍ଗୀନ ଉନ୍ନତି ସହ ଅନ୍ୟାନ୍ୟ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥାଏ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ଖିଚିଂ ଠାରେ ଥିବା ପ୍ରସିଦ୍ଧ ତଥା ଐତିହାସିକ ମା’ କୀଚକେଶ୍ୱରୀ ମନ୍ଦିରର ଏକ ବଡ଼ ଧରଣର ବିକାଶ ହେବା ଜିଲ୍ଲାବାସୀଙ୍କ ଉତ୍ସାହ ବଢ଼ାଇବା ବ୍ୟତୀତ ଏକ ଖୁସି ଖବର । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୪୪.୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ‘ପ୍ରସାଦ’ (PRASHAD) ଯୋଜନା ଅଧୀନରେ ଏହି ଅର୍ଥରାଶି ବ୍ୟୟ କରାଯିବ ବୋଲି ଜଣାପଡିଛି । ଏଭଳି ଅନ୍ୟାନ୍ୟ ଘଟଣା ଓ ଲଗାତର ସଂଘର୍ଷ ନେଇ ଭଞ୍ଜସେନାର ଜିଲାପ୍ରୀତିକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଛି ।





