Headlines

ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୩/୮: କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିରେ ନଦୀକଡ଼ ବାସୀଙ୍କ ଅବସ୍ଥା ସୁଧୁରି ନଥିବା ସମୟରେ ପୁଣି ଦୁଃଖ ଆଣିଛି ପ୍ରବଳ ବର୍ଷା ଓ ବନ୍ୟା । ଗତ ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ସମୟରେ ଜିଲ୍ଲା ଦେଇ ପ୍ରବାହିତ ସମସ୍ତ ନଦୀ, ନାଳ ଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ବୃଦ୍ଧି ନେଇ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ରହିଥିବା ବେଳେ ଗୁରୁବାର ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ଯିବାକୁ ବାରଣ ନିର୍ଦ୍ଦେଶ ରହିଥିଲା । ତେବେ ପ୍ରାୟତଃ ନଦୀକଡ଼ ବାସିନ୍ଦା କ୍ରମାଗତ ବନ୍ୟାଜଳ ବୃଦ୍ଧି ନେଇ ବ୍ୟାପକ କ୍ଷତି ଆଶଙ୍କାରେ ଭୟଭୀତ ରହିଛନ୍ତି । ବନ୍ୟାଜଳ ପ୍ରବେଶ ଯୋଗୁଁ ପୋଲ ଉପରେ ନଦୀଜଳ ପ୍ରବାହିତ ହେଉଥିବା ସମୟରେ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁଣି ଆସନ୍ତାକାଲି ପାଇଁ ଜିଲ୍ଲା ପ୍ରତି ଜୋର ବର୍ଷା ନେଇ ସୂଚନା ରହିଥିବା ସହ ଆକାଶ ମେଘାଚ୍ଛନ୍ନ ଓ ମଝିରେ ମଝିରେ ବର୍ଷା ଲାଗି ରହିଛି । ଗତ ବୁଧବାର ରାତି ଭଳି ବର୍ଷା ଲାଗିରହିଲେ ବନ୍ୟାଜଳର ଘୋର ବିପଦ ଆଶଙ୍କା ସୃଷ୍ଟି ହେବା ନେଇ ସମସ୍ତେ ଚିନ୍ତିତ । ବନ୍ୟା ଯୋଗୁଁ ଚାଷଜମି ମାନଙ୍କରେ ଚାଷୀ ଦୁଇ ଦୁଇଥର ରୁଆ କାମ ସାରି ଆଶ୍ୱସ୍ତ ହୋଇଥିବା ବେଳେ ପୁଣିଥରେ ଆଜିର ବନ୍ୟାଜଳ ଚାଷଜମିକୁ ଜଳମଗ୍ନ କରି ଓ ତଳାକୁ ଧୋଇନେଇ ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି ।

ତେବେ ବଡ଼ସାହି ନିର୍ବାଚନ ମଣ୍ଡଳୀର ବଡ଼ସାହି ବ୍ଲକ କୋଚିଳା ଖୁଣ୍ଟା ପଞ୍ଚାୟତ ଜୁଣପଦା ବା ପାଉଁଶିଆ ବନ୍ଧରେ ପାଉଁଶିଆ ଗ୍ରାମ ର ପ୍ରଫୁଲ ଖଟୁଆଳ ନାମକ ବ୍ୟକ୍ତି ଗୁରୁବାର ମାଛ ଧରିବାକୁ ଆସି ପାଣିରେ ବୁଡି ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ଦ୍ଵାରା ବ୍ୟକ୍ତି ଜଣକୁ ଉଦ୍ଧାର କରାଯାଇ ବଡ଼ସାହି ଡାକ୍ତରଖାନା ଅଣାଯିବା ସହ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି । ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଶାସନ ତରଫରୁ ନଦୀକଡ଼ ଗ୍ରାମ ଗୁଡ଼ିକରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *