ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ:
ଭବାନୀପାଟଣା, ୨/୧୦: ଭବାନୀପାଟଣାସ୍ଥିତ ଗାନ୍ଧୀ ପାର୍କଠାରେ ଆଜି ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସହ ନିର୍ଦ୍ଦେଶକ (ସଞ୍ଚୟ ଓ ଆର୍ଥିକ ସେବା) ବିବେକାନନ୍ଦ ମହାନନ୍ଦ, ଉପ ନିର୍ଦ୍ଦେଶକ (ଯୋଜନା ଓ ସମନ୍ୱୟ) ଶ୍ରୀକାନ୍ତ ଦଳେଇ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଷ୍ଟାଡିୟମ୍ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ପାର୍କସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପୂଜ୍ୟପୂଜା କରିଥିଲେ। ଜିଲ୍ଲା କ୍ରୀଡ଼ା ସଂଘର କର୍ମକର୍ତ୍ତାମାନେ ମଧ୍ୟ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରେ ସହଯୋଗ କରିଥିଲେ।

ଏହି ଅବସରରେ ପ୍ରଭାତ ଫେରିରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଭୋର ୪ଟା ୩୦ରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା। ଗାନ୍ଧୀ ପାର୍କରେ ଆୟୋଜିତ ସର୍ବଧର୍ମ ସମନ୍ୱୟ କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଓ ଶିଖ ଧର୍ମର ପ୍ରତିନିଧିମାନେ ନିଜ ନିଜ ପବିତ୍ର ଗ୍ରନ୍ଥରୁ ଭାତୃଭାବ, ଅହିଂସା, ଶାନ୍ତି ଓ ସର୍ବଧର୍ମ ସମନ୍ୱୟ ସମ୍ପର୍କିତ ବାଣୀ ପାଠ କରିଥିଲେ। ସରସ୍ୱତୀ ବିଦ୍ୟାମନ୍ଦିର, ବ୍ରଜବିହାରର ଛାତ୍ରୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଓ ଶେଷରେ ‘ରଘୁପତି ରାଘବ’ ପରିବେଷଣ କରିଥିଲେ। ପୂର୍ବରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଅତିଥିମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିବାବେଳେ ପୌର ପରିଷଦ ଓ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।





