ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋର୍ଦ୍ଧା, ଅକ୍ଟୋବର ୩: ଶିକ୍ଷା କେବଳ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାର ମାଧ୍ୟମ ନୁହେଁ; ବରଂ ଚରିତ୍ର ଗଠନ, ଦାୟିତ୍ୱବୋଧ ବିକାଶ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।
ଶନିବାର ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଐତିହାସିକ ଅବସର ଶିକ୍ଷା, ଚରିତ୍ର ଗଠନ ଓ ସେବାର ଦୀର୍ଘ ପରମ୍ପରାକୁ ସ୍ମରଣ କରିବାର ଏକ ସୁଯୋଗ ବୋଲି ସେ କହିଥିଲେ। ଏହି ଶିକ୍ଷାନୁଷ୍ଠାନ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ସହ ଓଡ଼ିଶାର ବୌଦ୍ଧିକ ଓ ସାମାଜିକ ବିକାଶରେ ଅବଦାନ ରଖିଆସିଛି ବୋଲି ସେ ଉଲ୍ଲେଖ କରିଥିଲେ।
ବିଦ୍ୟାଳୟର ନାମ ଓ ଏହାର ଅବସ୍ଥିତିର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ ବକ୍ସି ଜଗବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୧୮୧୭ର ପାଇକ ବିଦ୍ରୋହ ସମେତ ଓଡ଼ିଶାର ଇତିହାସରେ ଖୋର୍ଦ୍ଧାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ବୋଲି ସେ କହିଥିଲେ। ବକ୍ସି ଜଗବନ୍ଧୁଙ୍କ ସାହସ ଓ ତ୍ୟାଗ ଅନ୍ୟାୟ ବିରୋଧରେ ଲଢ଼େଇ କରିବା ଏବଂ ଦେଶସେବା ପାଇଁ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସୁଛି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ

।

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ – ସମୀକ୍ଷା


ଏହି ଐତିହ୍ୟ ସହ ଶିକ୍ଷାର ଭୂମିକାକୁ ଯୋଡ଼ି ରାଜ୍ୟପାଳ କହିଥିଲେ ଯେ, ଏକ ବିଦ୍ୟାଳୟର ପ୍ରକୃତ ଐତିହ୍ୟ କେବଳ ଏହାର କୋଠାବାଡ଼ି କିମ୍ବା ଉପଲବ୍ଧିରେ ସୀମିତ ନୁହେଁ; ବରଂ ବିଦ୍ୟାଳୟ ଯେଉଁ ଜୀବନଗୁଡ଼ିକୁ ଗଢ଼ି ତୋଳିଛି, ସେଥିରେ ଏହାର ପ୍ରକୃତ ପ୍ରତିଫଳନ ଦେଖିବାକୁ ମିଳେ। ପିଢ଼ି ପରେ ପିଢ଼ି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସଚ୍ଚୋଟତା, ଦୃଢ଼ତା, ସହାନୁଭୂତି, ସାହସ ଓ ଦାୟିତ୍ୱବୋଧର ବିକାଶ ଘଟାଇଆସିଛନ୍ତି ବୋଲି ସେ କହିଥିଲେ।
ଛାତ୍ରଛାତ୍ରୀମାନଙ୍କୁ ସାହସର ସହ ସ୍ୱପ୍ନ ଦେଖିବା, ସଚ୍ଚୋଟତାର ସହ ପରିଶ୍ରମ କରିବା ଏବଂ ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ମାନ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏକ ରାଷ୍ଟ୍ରର ଶକ୍ତି ତାହାର ଯୁବପିଢ଼ିର ଚରିତ୍ର ଉପରେ ନିର୍ଭର କରେ ବୋଲି ସେ ମତପ୍ରକାଶ କରିଥିଲେ।
ସମୟର ପରିବର୍ତ୍ତନ ସହ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ହେଲେ ମଧ୍ୟ ଏହା ମୂଲ୍ୟବୋଧ ସହ ଜଡ଼ିତ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। ଜାତୀୟ ଶିକ୍ଷା ନୀତି-୨୦୨୦ରେ ସାମଗ୍ରିକ ଓ ଅନୁଭୂତିଭିତ୍ତିକ ଶିକ୍ଷା, ସମାଲୋଚନାତ୍ମକ ଚିନ୍ତନ, ବୃତ୍ତିଗତ ଶିକ୍ଷା, ଡିଜିଟାଲ ସାକ୍ଷରତା, ଭାରତୀୟ ଜ୍ଞାନ ପରମ୍ପରା, କଳା, କ୍ରୀଡ଼ା ଓ ଜୀବନ କୌଶଳ ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖସ୍ଥ ଶିକ୍ଷାରୁ ଜିଜ୍ଞାସା, ସୃଜନଶୀଳତା, ଦକ୍ଷତା ଓ ଚରିତ୍ର ଗଠନ ଦିଗକୁ ଏହି ପରିବର୍ତ୍ତନ ବିଦ୍ୟାଳୟର ଏନ୍‌ସିସି, ସ୍କାଉଟ୍ସ, କ୍ରୀଡ଼ା ଓ ନୈତିକ ଶିକ୍ଷା ଉପରେ ଥିବା ଗୁରୁତ୍ୱ ସହ ସମନ୍ୱିତ ବୋଲି ସେ କହିଥିଲେ।
ଏହି ଐତିହାସିକ ଅବସରରେ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ୧୨୫ ବର୍ଷ ଓ ତା’ପରେ ମଧ୍ୟ ଏହି ଅନୁଷ୍ଠାନ ଯୁବପିଢ଼ିକୁ ଗଢ଼ି ତୋଳିବା ସହ ଓଡ଼ିଶାର ବିକାଶରେ ନିଜର ଅବଦାନ ଜାରି ରଖିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ – ସମୀକ୍ଷା


ସମାରୋହରେ ବିଦ୍ୟାଳୟର ଚାରିଜଣ ବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦ୍ୟାଳୟର ସ୍ମରଣିକା ‘ଅବକାଶ–୧୨୫’ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ସମ୍ବାଦ ଗ୍ରୁପର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲି ଏବଂ ଆୟୋଜକ ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ। ଆଲୁମନି ଆସୋସିଏସନର ମୁଖ୍ୟ ସଂଯୋଜକ ଶ୍ରୀ ବି.କେ. ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉତ୍ସବ କମିଟିର ସଭାପତି ପ୍ରଫେସର (ଡ.) ନାରାୟଣ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆପଡାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ