ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର
ପାଟଣା, ୪/୧୦: କର୍ତ୍ତବ୍ୟରେ ଅବହେଳା ଏବଂ ଏସ୍ପିଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦୁଝର ଏସ୍ପି ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କ ଗୁଳିକାଣ୍ଡରେ ମୃତ୍ୟୁ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ନାକାବନ୍ଦି କରାଯାଉଛି। ଏହି କ୍ରମରେ ସାହାରପଡା ଅଞ୍ଚଳରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନାକାବନ୍ଦି କରିବାକୁ ନିର୍ଦ୍ଦେଶ ରହିଥିଲା।ତେବେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମ ପୂର୍ବାହ୍ନ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନାକାବନ୍ଦି କରିବା ପରେ ଫାଣ୍ଡିକୁ ଫେରି ଆସିଥିବା ଏସ୍ପି ନିଜେ ଦେଖିଥିବା ଜଣାପଡ଼ିଛି।

ଏସ୍ପି କରଞ୍ଜିଆ ପଟୁ ସାହାରପଡା ଆସୁଥିବା ସମୟରେ ଘଟଣା ସମ୍ପର୍କରେ ଜାଣିବା ପରେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ପଦକ୍ଷେପ ନେଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି ପାଟଣା, ତୁରୁମୁଙ୍ଗା, ଘଟଗାଁ ଓ ସଦର ଥାନା ଅଞ୍ଚଳର ବିଭିନ୍ନ ପ୍ରମୁଖ ସ୍ଥାନରେ ପୁଲିସ ପକ୍ଷରୁ ନାକାବନ୍ଦି ଜାରି ରହିଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ନାକାବନ୍ଦି କରାଯାଉଥିବା ଦେଖିବାକୁ ମିଳିଛି।





