ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା, ଅକ୍ଟୋବର ୬: ଖୋରଧା ଜିଲ୍ଲାରେ ଦୀର୍ଘବର୍ଷ ଧରି ଜମି ଓ ଘରଡ଼ିହ ପଟ୍ଟାରୁ ବଞ୍ଚିତ ହୋଇଆସୁଥିବା ଭୂମିହୀନ ଦଳିତ ଓ ଆଦିବାସୀ ପରିବାରଙ୍କୁ ଆଇନ ଅନୁଯାୟୀ ଜମି ପଟ୍ଟା ଓ ଘରଡ଼ିହ ଯୋଗାଇ ଦେବାକୁ ଦାବି ଜୋର ଧରିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଜମିର ଅଧିକାର ପ୍ରଦାନ କରିବା ପାଇଁ ରାଷ୍ଟ୍ରୀୟ ଦଳିତ ମହାସଂଘ ପକ୍ଷରୁ ଖୋରଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ରାଷ୍ଟ୍ରୀୟ ଦଳିତ ମହା ସଙ୍ଘ ର ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ଆଦିବାସୀ ସମ୍ପ୍ରଦାୟ ର ମହିଳା ଓ ପୁରୁଷ ଖୋରଧା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ l ଦାବିପତ୍ରରେ କୁହାଯାଇଛି ଯେ, ଖୋରଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ ଗରିବ ଓ ଭୂମିହୀନ ଦଳିତ ଏବଂ ଆଦିବାସୀ ପରିବାର ବର୍ଷ ବର୍ଷ ଧରି ନିଜର ଘରଡ଼ିହ ଓ ଜମି ଅଧିକାର ପାଇଁ ଅପେକ୍ଷା କରିରହିଛନ୍ତି। ଏହି ପରିବାରଗୁଡ଼ିକର ଅନେକେ ପିଢ଼ି ପିଢ଼ି ଧରି ଉକ୍ତ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ନାମରେ ଜମିର ଆଇନଗତ ଅଧିକାର ନଥିବାରୁ ବିଭିନ୍ନ ସରକାରୀ ସୁବିଧା ପାଇବାରେ ସମସ୍ୟା ଦେଖାଦେଉଛି।
ମହସଂଘର ଅଭିଯୋଗ ଅନୁଯାୟୀ, ଗତ ପ୍ରାୟ ୧୦ ବର୍ଷ ଧରି ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ ପାଇଁ ସଂଗଠନ ପକ୍ଷରୁ ଲଗାତାର ଭାବେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଆସୁଛି। ଏନେଇ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ସହ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଦାବିପତ୍ର ଦିଆଯାଇଥିବା ମହାସଂଘ ପକ୍ଷରୁ କୁହାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ବହୁବାର ଅବଗତ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।

ଦୀର୍ଘ ୧୦ ବର୍ଷ ଧରି ଦାବି ଉଠାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିବାରୁ ସଂଗଠନ ଅସନ୍ତୋଷ ପ୍ରକାଶ କରିଛି। ଭୂମିହୀନ ପରିବାର ଗୁଡ଼ିକୁ ଜମି ଓ ଘରଡ଼ିହ ପଟ୍ଟା ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ହେବା ଯୋଗୁଁ ସେମାନଙ୍କ ସାମାଜିକ ଓ ଆର୍ଥିକ ଜୀବନ ମଧ୍ୟ ପ୍ରଭାବିତ ହେଉଥିବା ମହାସଭା ଅଭିଯୋଗ କରିଛି।
ଜମି ଅଧିକାର ନଥିବାର ପ୍ରଭାବ କେବଳ ବୟସ୍କ ମାନଙ୍କ ଉପରେ ସୀମିତ ରହୁନାହିଁ, ଏହାର ପ୍ରତ୍ୟକ୍ଷ ପ୍ରଭାବ ଶିଶୁମାନଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ପଡ଼ୁଥିବା ଦାବିପତ୍ରରେ କୁହାଯାଇଛି। ସଂଗଠନର ଅଭିଯୋଗ ଅନୁଯାୟୀ, ଆବଶ୍ୟକ ଦଲିଲ ଓ ଜମି ସମ୍ପର୍କିତ ପ୍ରମାଣପତ୍ର ଅଭାବରୁ କେତେକ ଦଳିତ ଓ ଆଦିବାସୀ ପରିବାରର ପିଲାମାନେ ଜାତିଗତ ପ୍ରମାଣପତ୍ର ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଫଳରେ ସେମାନେ ଆବାସିକ ବିଦ୍ୟାଳୟରେ ନାମଲେଖା, ଶିକ୍ଷାଗ୍ରହଣ ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷା ସୁବିଧା ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହୁଛି।
ସେହିପରି ଜମିର ଆଇନଗତ ଅଧିକାର ନଥିବା କାରଣରୁ ସରକାରଙ୍କ ବିଭିନ୍ନ ଆବାସ, ସାମାଜିକ ସୁରକ୍ଷା, ଜୀବିକା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର ଲାଭ ନେବାରେ ମଧ୍ୟ ଅନେକ ପରିବାର ସମସ୍ୟାର ସମ୍ମୁଖୀନ ହେଉଥିବା ମହାସଙ୍ଘ ପକ୍ଷରୁ ଦାବି କରାଯାଇଛି। ତେଣୁ ଜମିହୀନ ପରିବାରଙ୍କ ସମସ୍ୟାକୁ କେବଳ ରାଜସ୍ୱ ସମସ୍ୟା ଭାବେ ନଦେଖି ଏହାକୁ ସେମାନଙ୍କ ମୌଳିକ ଜୀବନ ଓ ସାମାଜିକ ଅଧିକାର ସହ ଯୋଡ଼ି ଦେଖିବାକୁ ସଂଗଠନ ଦାବି କରିଛି।
ମହାସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଖୋରଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୂମିହୀନ ଦଳିତ ଓ ଆଦିବାସୀ ପରିବାରଙ୍କ ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଉ। ସମ୍ପୃକ୍ତ ତହସିଲଦାରଙ୍କ ମାଧ୍ୟମରେ ପ୍ରତ୍ୟେକ ମାମଲାର ରାଜସ୍ୱ ରେକର୍ଡ ଓ ଜମିର ସ୍ଥିତି ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନିୟମାନୁଯାୟୀ ଘରଡ଼ିହ ଓ ଜମି ପଟ୍ଟା ପ୍ରଦାନ କରାଯାଉ।
ଏଥିସହ ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟାରେ ଥିବା ପ୍ରଶାସନିକ ଓ ରାଜସ୍ୱ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରାଯାଇ ଆବେଦନକାରୀଙ୍କୁ ତାଙ୍କ ଆବେଦନର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ମଧ୍ୟ ଦାବି ହୋଇଛି। ଏହାଦ୍ୱାରା ବର୍ଷ ବର୍ଷ ଧରି ଜମି ଅଧିକାର ପାଇଁ ଅପେକ୍ଷା କରୁଥିବା ଗରିବ ପରିବାରଗୁଡ଼ିକ ଉପକୃତ ହୋଇପାରିବେ ବୋଲି ସଂଗଠନ ଆଶା ପ୍ରକାଶ କରିଛି।
ଜିଲ୍ଲାପାଳ ସମସ୍ୟାଟିକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ତଦନ୍ତ କରାଇବା ସହ ଯୋଗ୍ୟ ଆଦିବାସୀ ଓ ଦଳିତ ପରିବାରଙ୍କୁ ଆଇନ ଓ ସରକାରୀ ନିୟମ ଅନୁଯାୟୀ ଜମି ପଟ୍ଟା ଓ ଘରଡ଼ିହ ଯୋଗାଇ ଦେବାକୁ ଦଳିତ ମହାସଙ୍ଘ ଅନୁରୋଧ କରିଛି। ଏହି ପଦକ୍ଷେପ ଦ୍ୱାରା ଭୂମିହୀନ ପରିବାରମାନେ ନିଜ ଜମିର ଆଇନଗତ ଅଧିକାର ପାଇବା ସହ ସେମାନଙ୍କ ପିଲାମାନଙ୍କ ଶିକ୍ଷା ଓ ସରକାରୀ ସୁବିଧା ପ୍ରାପ୍ତିରେ ଥିବା ବାଧା ଦୂର ହୋଇପାରିବ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।





