ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:
ଝାରସୁଗୁଡ଼ା, ୬/୧୦ : ସହରର ଜଣାଶୁଣା ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ମୋହନ ଚନ୍ଦ୍ର ଭୋଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି l ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା l ତାଙ୍କ ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ଝାରସୁଗୁଡ଼ା ସହରରେ ଶୋକର ଛାୟା ଖେଳିଯାଇଛି l ସ୍ୱର୍ଗତ ଭୋଳ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ସକ୍ରିୟ ସମାଜସେବୀ ଭାବେ ସହରବାସୀଙ୍କ ମଧ୍ୟରେ ବେଶ ପରିଚିତ ଥିଲେ l ବିଟିଏମ୍ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରମୁଖ ସେବକ ଭାବେ ସେ ଦୀର୍ଘଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆସୁଥିବା ସହ ବିଟିଏମ୍ ଦୁର୍ଗାପୂଜା କମିଟିର ସକ୍ରିୟ ସଦସ୍ୟ ଭାବେ ସେ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଉଥିଲେ l ସମାଜସେବା ପ୍ରତି ତାଙ୍କର ନିଷ୍ଠା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା l ଦିନ ହେଉ କି ରାତି, ଆବଶ୍ୟକ ସମୟରେ ଲୋକଙ୍କ ସହାୟତା ପାଇଁ ସେ ସର୍ବଦା ଆଗେଇ ଆସୁଥିଲେ l ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ଦୀର୍ଘଦିନ ଧରି ଜଡ଼ିତ ରହି ସେ ନିଜର ସରଳତା, ସହୃଦୟତା ଓ ସେବାମନୋଭାବ ପାଇଁ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ l ତାଙ୍କ ବିୟୋଗରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ଆଜି ବିଟିଏମ୍ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି l ଶେଷକୃତ୍ୟରେ ପରିବାରବର୍ଗ, ବନ୍ଧୁବର୍ଗ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ l




