ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଝାରସୁଗୁଡ଼ା- ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ: ସାଟେଲାଇଟ୍ ହସ୍ପିଟାଲକୁ ନେଇ ଗର୍ଜିଲା ବିଜେଡି’

ଝାରସୁଗୁଡ଼ା- ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ: ସାଟେଲାଇଟ୍ ହସ୍ପିଟାଲକୁ ନେଇ ଗର୍ଜିଲା ବିଜେଡି’ – ସମୀକ୍ଷା ଖବର


ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:

ଝାରସୁଗୁଡ଼ା,୭/୯ : ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର, ଜରୁରୀକାଳୀନ ଚିକିତ୍ସାରେ ଅବହେଳା ଏବଂ ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ନେଇ ଅଭିଯୋଗ ତୀବ୍ର ହୋଇଛି l ଏହାକୁ ନେଇ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରିଛି l ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଦାବିପତ୍ର ଗ୍ରହଣ କରିଥିଲେ l ଦାବିପତ୍ରରେ ଦର୍ଶାଯାଇଛି ଯେ, ଗତ କିଛି ସପ୍ତାହ ଧରି ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କେତେକ ଡାକ୍ତର ଓ କର୍ମଚାରୀଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ ଆସୁଛି l ଗୁରୁତର ଓ ଜରୁରୀକାଳୀନ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ନମିଳି ଦୀର୍ଘ ସମୟ ଅପେକ୍ଷା କରାଯାଉଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହୁଥିବା ଅଭିଯୋଗ ହୋଇଛି l ଏଥିସହ କେତେକ ଡାକ୍ତର ରାଜନୈତିକ ପ୍ରଭାବ ଦେଖାଇ ମନମୁଖୀ ଭାବେ କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି l ସାଟେଲାଇଟ୍ ହସ୍ପିଟାଲ ଉପରେ ଆଖପାଖ ଆବାସିକ ଓ ଶିଳ୍ପାଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଥିବାରୁ ଏଭଳି ଅଭିଯୋଗ ସରକାରୀ ସ୍ୱାସ୍ଥ୍ୟସେବା ଉପରେ ଲୋକଙ୍କ ଆସ୍ଥାକୁ ପ୍ରଭାବିତ କରୁଥିବା ବିଜେଡି ପକ୍ଷରୁ କୁହାଯାଇଛି l ହସ୍ପିଟାଲ ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖିବା ସହ ଜରୁରୀକାଳୀନ ସେବା ନିରବଚ୍ଛିନ୍ନ ଓ ସୁନିଶ୍ଚିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି l

ଝାରସୁଗୁଡ଼ା- ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ: ସାଟେଲାଇଟ୍ ହସ୍ପିଟାଲକୁ ନେଇ ଗର୍ଜିଲା ବିଜେଡି’ – ସମୀକ୍ଷା


ଅଭିଯୋଗ ମଧ୍ୟରେ ଗତ ଶୁକ୍ରବାର ହସ୍ପିଟାଲ ପରିସରରେ ଘଟିଥିବା ଏକ ଘଟଣାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା l ମଙ୍ଗଳବଜାର ଅଞ୍ଚଳର ଓମପ୍ରକାଶ ଠକ୍କରଙ୍କ ୭ ବର୍ଷୀୟ ଝିଅ ଅସୁସ୍ଥ ହେବାରୁ ସେ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ହସ୍ପିଟାଲରେ ଟିକେଟ୍ କାଟି ଡାକ୍ତର ଅନିସ୍ ଅନସାରୀଙ୍କ ନିକଟକୁ ଯାଇଥିଲେ l ଶିଶୁଟିର ଅସୁସ୍ଥତା ଦୃଷ୍ଟିରୁ ଶୀଘ୍ର ଚିକିତ୍ସା କରିବାକୁ ସେ ଅନୁରୋଧ କରିଥିବା ବେଳେ ସକାଳ ୮ଟା ପରେ ରୋଗୀଙ୍କୁ ଦେଖାଯିବ ବୋଲି ଡାକ୍ତର କହିଥିବା ସେ ଅଭିଯୋଗ କରିଛନ୍ତି l ପୁନର୍ବାର ଅନୁରୋଧ କରିବାରୁ ଡାକ୍ତର ତାଙ୍କ ସହ ଦୁର୍ବ୍ୟବହାର କରିଥିବା ମଧ୍ୟ ଠକ୍କର ଅଭିଯୋଗ କରିଛନ୍ତି l ଘଟଣା ସମ୍ପର୍କରେ ଜାଣି ବରିଷ୍ଠ ଆଇନଜୀବୀ ସୀଆରାମ ଦାସ ଓ ତାପସ ରାୟ ଚୌଧୁରୀ ହସ୍ପିଟାଲରେ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ l ଏହି ସମୟରେ ଡାକ୍ତର ଓ ତାଙ୍କ ଡାକ୍ତର ପତ୍ନୀ ଉଭୟେ ଆଇନଜୀବୀଦ୍ୱୟଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ଘଟଣା ପ୍ରଚାରିତ ହେବା ପରେ ହସ୍ପିଟାଲ ପରିସରରେ ଲୋକଙ୍କ ଭିଡ଼ ବଢ଼ିବା ସହ ଅସନ୍ତୋଷ ତୀବ୍ର ହୋଇଥିଲା l ପୂର୍ବତନ ବିଧାୟିକା ଦୀପାଳି ଦାସ, ଆଇନଜୀବୀ ପି. ରାମମୋହନ ରାଓ, ଯୁବନେତା ଦୁର୍ଗେଶ ମହାନ୍ତି, ପୌରାଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ, ହରିଶ ଗଣତ୍ରା, ଆଇନଜୀବୀ ଆଲୋକ ତ୍ରିପାଠୀ, ଅରୁଣ ଚୈନୀଙ୍କ ସମେତ ବିଭିନ୍ନ ଦଳର ନେତା, କର୍ମୀ, ଆଇନଜୀବୀ ଓ ସାମାଜିକ କର୍ମୀ ହସ୍ପିଟାଲ ପରିସରରେ ଧାରଣାରେ ବସିଥିଲେ l ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରକାଶ ପାଢ଼ୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍‌ଅଫ୍ ଥିବା ଜଣାପଡ଼ିଥିବାରୁ ଧାରଣାସ୍ଥଳରେ ଅସନ୍ତୋଷ ଆହୁରି ବଢ଼ିଥିଲା l ପରେ ଏଡିଏମ୍‌ଓ ମାଧୁରୀ ପଟେଲ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ l ପରେ ସିଡିଏମ୍‌ଓ ଶ୍ରୀ ପାଢ଼ୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ l
ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟତା ପ୍ରମାଣିତ ହେଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ନିୟମାନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଥିଲେ l ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା l ତେବେ ସାଟେଲାଇଟ୍ ହସ୍ପିଟାଲରେ ଡାକ୍ତରଙ୍କ ଉପସ୍ଥିତି, ରୋଗୀଙ୍କ ପ୍ରତି ବ୍ୟବହାର, ଜରୁରୀକାଳୀନ ଚିକିତ୍ସା ସେବା ଓ ସାମଗ୍ରିକ ପରିଚାଳନାକୁ ନେଇ ପୂର୍ବରୁ ମଧ୍ୟ ବାରମ୍ବାର ଅଭିଯୋଗ ଉଠିଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି l ଅଭିଯୋଗ ପରେ ସାମୟିକ ତତ୍ପରତା ଦେଖାଯାଉଥିଲେ ସୁଦ୍ଧା ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ରହିଛି l ସରକାରୀ ହସ୍ପିଟାଲ ସାଧାରଣ ଓ ଗରିବ ଲୋକଙ୍କ ଭରସାର ସ୍ଥାନ ହୋଇଥିବାରୁ ଏଠାରେ ରୋଗୀ ଓ ସମ୍ପର୍କୀୟଙ୍କ ସହ ସମ୍ବେଦନଶୀଳ ଓ ଶାଳୀନ ବ୍ୟବହାର ସହ ତୁରନ୍ତ ଚିକିତ୍ସା ସେବା ନିଶ୍ଚିତ କରିବା ଜରୁରୀ ବୋଲି ଦାବି ହୋଇଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ