ସମୀକ୍ଷା ନ୍ୟୁଜ ବ୍ୟୁରୋ /କଳାହାଣ୍ଡି ଜିଲ୍ଲା:
ଭବାନୀପାଟଣା, ୦୭।୧୦: କଲେଜ ନିର୍ବାଚନ ତାରିଖ ନିକଟତର ହେବା ସହ କଳାହାଣ୍ଡି ଜିଲ୍ଲାରେ କ୍ୟାମ୍ପସ ରାଜନୀତି ସରଗରମ ହୋଇଛି। ବୁଧବାର ସନ୍ଧ୍ୟାରେ ଭବାନୀପାଟଣା କଲେଜ ଛକ ନିକଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବ୍ୟାନର ଓ ପୋଷ୍ଟର ଚିରାଯିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏବିଭିପି ପକ୍ଷରୁ ଏହି ଘଟଣାରେ ଭବାନୀପାଟଣା ପୌରପାଳିକାର ୭ ନମ୍ବର ୱାର୍ଡର ବିଜେଡି କାଉନସିଲର ଶିବା ସାହୁଙ୍କ ଭୂମିକା ଥିବା ଅଭିଯୋଗ ହୋଇଛି। କାଉନସିଲରଙ୍କ ଇଙ୍ଗିତରେ କିଛି ପୌର କର୍ମଚାରୀ ଏବିଭିପିର ପୋଷ୍ଟର ଚିରିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଘଟଣାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।
ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଚିରାଯାଇଥିବା ବ୍ୟାନରରେ କୌଣସି ନିର୍ବାଚନୀ ପ୍ରାର୍ଥୀଙ୍କ ଫଟୋ ନଥିଲା। ଏଥିରେ କେବଳ ସ୍ୱାମୀ ବିବେକାନନ୍ଦ ଓ ମା’ ସରସ୍ୱତୀଙ୍କ ଫଟୋ ସହ ‘ଏବିଭିପିରେ ଯୋଗଦିଅନ୍ତୁ’ ବାର୍ତ୍ତା ରହିଥିଲା। ଏହା ସତ୍ତ୍ୱେ ପୋଷ୍ଟର ଚିରାଯିବା ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏବିଭିପି ନେତା ଆରିୟା ନାଏକ ଓ ଓମକାର ଦଣ୍ଡସେନା ଏହି ଘଟଣାକୁ ନେଇ ବିଜେଡି ଓ ବିସିଜେଡିକୁ ତୀବ୍ର ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି, “କଲେଜ ନିର୍ବାଚନରେ ପରାଜୟର ଭୟରେ ବିସିଜେଡି ପକ୍ଷରୁ ଏଭଳି କାର୍ଯ୍ୟ କରାଯାଇଛି। ମା’ ସରସ୍ୱତୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଚିତ୍ର ଥିବା ପୋଷ୍ଟରକୁ ଚିରି ଅପମାନ କରାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ଭାବାବେଗକୁ ଆଘାତ ଦେଇଛି।” ଏଭଳି କାର୍ଯ୍ୟକୁ ଛାତ୍ର ସମାଜ କେବେ ଗ୍ରହଣ କରିବ ନାହିଁ ବୋଲି ସେମାନେ କହିବା ସହ “ଏହାର ଉଚିତ ଜବାବ ଆଗାମୀ ଦିନରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଦେବେ” ବୋଲି ଚେତାବନୀ ଦେଇଛନ୍ତି।

ଘଟଣାର ପ୍ରତିବାଦରେ ଏବିଭିପିର ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ-୨୬ ଅବରୋଧ କରି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବିଭିପି ନେତା ଆରିୟା ନାଏକ,ଓମକାରା ଦଣ୍ଡସେନା, ଛନ୍ଦାଚରଣ ବେହେରା, ଦେବାଶିଷ ପଟ୍ଟନାୟକ, ଓମକାର ଦଣ୍ଡସେନା ଓ ସମିପ ରାଉତ ପ୍ରମୁଖ ଟାଉନ ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ କାଉନସିଲର ତାଙ୍କ ଅଜାଣତରେ ୩ ଜଣ ପୌର କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟ କରିଥିଲେ। ଏହି ବୟାନ ପରେ ଘଟଣାରେ କାଉନସିଲରଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ତେବେ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ କାଉନସିଲରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଆସନ୍ତା ୧୫ ତାରିଖରେ କଲେଜ ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ ପୂର୍ବରୁ ଏହି ଘଟଣା ଭବାନୀପାଟଣା କ୍ୟାମ୍ପସ ରାଜନୀତିକୁ ଆହୁରି ତୀବ୍ର କରିଥିବା ଦେଖାଯାଉଛି।




