ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳନ ହେବାକୁ ଥିବା ବେଳେ ବସ୍ ଚଳାଚଳକୁ ନେଇ ଆସିଛି ବଡ଼ ଖବର। ଓଡ଼ିଶା ବନ୍ଦକୁ ସମର୍ଥନ କରୁନାହିଁ ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ। ତେଣୁ ଆସନ୍ତାକାଲି ରାଜ୍ୟରେ ବସ୍ ସେବା ସ୍ୱାଭାବିକ ଭାବେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ମତରେ, ଦିନକ ପାଇଁ ବସ୍ ଚଳାଚଳ ବନ୍ଦ ରହିଲେ ସାଧାରଣ ଲୋକେ ଯାତାୟାତ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ଏହାସହ ବସ୍ ମାଲିକମାନେ ମଧ୍ୟ ବଡ଼ ଆର୍ଥିକ କ୍ଷତି ସହିବେ। ଏହି କାରଣରୁ ବନ୍ଦକୁ ସମର୍ଥନ ନକରି ବସ୍ ସେବା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ, ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇଛି ଅଟୋ ଚାଳକ ସଂଘ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରହିବ। ଅନଲାଇନ୍ କିମ୍ବା ଅଫଲାଇନ୍—କୌଣସି ପ୍ରକାରର ଅଟୋ ଚାଲିବ ନାହିଁ ବୋଲି ରାଜଧାନୀ ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି।

ଏନେଇ ଗତକାଲି ଅଟୋ ଚାଳକ ସଂଘର ବୈଠକ ବସିଥିଲା। ବୈଠକରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଟୋ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ନିଜ ନିଜ ଅଞ୍ଚଳରେ ଆୟୋଜିତ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଟୋ ଚାଳକମାନଙ୍କୁ ଆହ୍ୱାନ ଦିଆଯାଇଛି।
ଅର୍ଥାତ୍, ଆସନ୍ତାକାଲି ବନ୍ଦ ସମୟରେ ବସ୍ ଚାଲିବ, ହେଲେ ଅଟୋ ଚଳାଚଳ ବନ୍ଦ ରହିବ।





