ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା,୮/୧୦: ଆଜି ଇଣ୍ଡି ମେଣ୍ଡ ଅଂଶୀଦାର ଦଳ ସମୂହ ଆହ୍ୱାନ କ୍ରମେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଖୋରଧା ରେ ଏହାର ପ୍ରଭାବ ଦେଖୁବାକୁ ମିଳିଥିଲା। କଂଗ୍ରେସ ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ କର୍ମୀ ମାନେ ସହରର ବିଭିନ୍ନ ଛକରେ ପିକେଟିଂ କରିବା ସହ ବନ୍ଦକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଭୋଟ ବଞ୍ଚାଅ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ନାରା ସହିତ ଆନ୍ଦୋଳନକାରୀ ମାନେ କେତେକ ସ୍ଥାନରେ ଖୋଲାଥିବା ଦୋକାନ ବନ୍ଦ କରିବାକୁ ନିବେଦନ କରିଥିବା ଦେଖିବାକୁ ମିଳିଥିଲା। ଖୋରଧା ନୂଆ ବସ୍ଷ୍ଟାଣ୍ଡ, ପୁରୁଣା ବସ୍ଷ୍ଟାଣ୍ଡ, ମୁକୁନ୍ଦପ୍ରସାଦ ଛକ, ତୋଟାପଡ଼ା ଛକ ଓ ପିତାପଲି ଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରୁଥିବା ବେଳେ କେତେକ ଛୋଟ ଛୋଟ ଦୋକାନ ନିଜର ବ୍ୟବସାୟ ପସରା ମେଲେଇ ଗରାଖ ଙ୍କ ଆସିବା କୁ ଅପେକ୍ଷା କରିଥିବା ଦୃଶ୍ୟ ବନ୍ଦ ରେ ଦେଖିବାକୁ ମିଳିଥିଲା। ରାସ୍ତାରେ କାଁ ଭାଁ ଯାତାୟାତ କରୁଥିବା ବିଭିନ୍ନ ଯାନବାହନକୁ ଗୋଲାପ ଫୁଲ ଦେଇ ଅଟକାଇବା ସହ ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପାଇଁ ଅନୁରୋଧ କରାଯାଉଥିଲା। ବନ୍ଦ ର ପ୍ରଭାବରେ ଖୋରଧା ସହରରେ ଥିବା ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା।

ଗାଡ଼ି ଚଳାଚଳ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ଫଳରେ ସାଧାରଣ ଲୋକଙ୍କ ଯାତାୟାତ ସହ ବ୍ୟବସାୟିକ କାରବାରରେ ବାଧା ସୃଷ୍ଟି ହୋଇଥିଲା।ତେବେ ଜରୁରୀକାଳୀନ ସେବାକୁ ଓଡ଼ିଶା ବନ୍ଦରୁ ବାଦ ଦିଆଯାଇଥିଲା। ଆମ୍ବୁଲାନ୍ସ, ମେଡିକାଲ ଜରୁରୀ ସେବାରେ ନିୟୋଜିତ ଗାଡ଼ି, ଅଗ୍ନିଶମ ବାହିନୀ ଓ ଔଷଧ ଦୋକାନ, ପୁଲିସ ଗାଡ଼ିକୁ ଯାତାୟାତ ପାଇଁ ସୁବିଧା ଦିଆଯାଇଥିଲା। ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମରେ ଖୋରଧା କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ, ସ୍ବାଗତିକା ପଟ୍ଟନାୟକ, ଶିଶିର ପରିଡ଼ା, ଅମିତ ମହାନ୍ତି, ପ୍ଲାବନ ପଟ୍ଟନାୟକ, ନଗର ସଭାପତି ରଣଜିତ ମହାପାତ୍ର, ଶିଳାଦିତ୍ୟ ପଟ୍ଟନାୟକ, ଜିଲ୍ଲା ଉପସଭାପତି ପ୍ରଦୋଷ ହରିଚନ୍ଦନ, ଜିଲା ସାଧାରଣ ସମ୍ପାଦକ ସାଜିଦ୍ ଖାନ୍, ସୌମ୍ୟ ପଟ୍ଟନାୟକ, ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୌମ୍ୟ ବରାଳ, ମହିଳା ସଭାପତି ଅପସନା ବେଗମ ଓ ଖୋରଧା ବ୍ଲକ ସଭାପତି ତାପସ ମିଶ୍ର ,ସିପିଆଇ ପକ୍ଷରୁ ଅନନ୍ତ ମଙ୍ଗରାଜ ଙ୍କ ସମେତ ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ। ଇଣ୍ଡି ମେଣ୍ଟ ପକ୍ଷରୁ କଂଗ୍ରେସ, ସିପିଆଇଏମ୍, ସିପିଆଇ, ଫରୱାଡ଼ କ୍ଳବ,ଏନ୍ ସିପି,ଏସ୍ ପି,ଆରଜେଡି, ଜେଏମ୍ ଏମ୍ ସାମିଲ ହୋଇଥିଲେ।
ବନ୍ଦ ସମୟରେ ଖୋରଧା ପୁଲିସ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ସହ ବନ୍ଦ ସମୟରେ ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ନଜର ରଖି ବିଭିନ୍ନ ଛକ ମାନଙ୍କରେ ପାଞ୍ଚ ଛ ଜଣ ଲେଖାଏଁ ପୁଲିସ ମୁତୟନ ହୋଇଥିଲେ। ଏମ୍ ଏମ୍ ଡ଼ିଆର ପ୍ରତ୍ୟାହାର, ଏସ୍ ଆଇ ଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାରଙ୍କ ଇସ୍ତଫା ଆଦି ଦାବିରେ ସକାଳ ୬ ରୁ ସନ୍ଧ୍ୟା ୬ ଦୀର୍ଘ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଯୋଗୁଁ ଖୋରଧାରେ ଯାତାୟାତ ଓ ବ୍ୟବସାୟିକ କାରବାର ଉପରେ ପ୍ରଭାବ ପଡ଼ିଥିବା ଦେଖାଯାଇଛି।





