ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୯/୧୦/୨୬ – ସଂକଳ୍ପ ହଲ୍, ବାରିପଦାରେ ବନ୍ୟପ୍ରାଣୀ ସପ୍ତାହ-୨୦୨୬ର ଉଦ୍ଯାପନୀ ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ଇଏସଆଇ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ସମେତ ବିଭିନ୍ନ ବନଖଣ୍ଡର ଡିଏଫଓ, ବନ ଅଧିକାରୀ, ସିଭିଲ ସୋସାଇଟି ସଦସ୍ୟ, କଳାକାର, ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକୃତି ଓ ବନ୍ୟପ୍ରାଣୀ ସୁରକ୍ଷା ସହ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସହଅବସ୍ଥାନ ଉପରେ ଗୁରୁତ୍ବାରୋପ କରିଥିଲେ । ବନ୍ୟପ୍ରାଣୀ ସପ୍ତାହ ଅବସରରେ ପ୍ରକୃତି ପଦଯାତ୍ରା, ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ, ‘ତାଶା’ ଅଧୀନରେ ବିଦ୍ୟାଳୟ ଗୁଡିକରେ ପ୍ରକୃତି ଶିକ୍ଷା, ସିମିଲି କାଫେ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ, ସାଇକେଲ ରାଲି, ବିଶ୍ବଜନ୍ତା ବାଘୁଣୀ ଖଇରୀଙ୍କ ଜନ୍ମବାର୍ଷିକୀ ପାଳନ ସହ ବିଦ୍ୟାଳୟ ସ୍ତରୀୟ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ସମାରୋହରେ ସର୍କଲ ସ୍ତରୀୟ ‘ସିଟ୍ ଆଣ୍ଡ୍ ଡ୍ର’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବିଭାଗର ଡିଭିଜନସ୍ତରୀୟ ପୁରସ୍କାର ବିଜେତାଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସୁବିନ୍ଦର ସୁରାୟ ପ୍ରଥମଶ୍ରେଣୀ ଫରେଷ୍ଟର -୨୦୨୬, ରାଇରଙ୍ଗପୁରର ପ୍ରଦୀପ କିଶୋର କବି ଓ ବେତନଟୀର ସାମାଜିକ କର୍ମୀ ଦେବେନ୍ଦ୍ର ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ପ୍ରଦୀପ୍ତ କବି ବାମନଘାଟି ଉପଖଣ୍ଡ ଛଡା ଶିମିଳିପାଳର ଏକ ଚର୍ଚ୍ଚିତ ବ୍ୟକ୍ତି ।

ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ ୨ଥର ଦାୟିତ୍ୱ ତୁଲାଇଥିବା ଏହି ବିଶିଷ୍ଟ ବ୍ୟକ୍ତି ଶିମିଳିପାଳ ଅଭୟାରଣ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଥିପାଇଁ ତାଙ୍କ ସ୍ୱଲିଖିତ ପୁସ୍ତକ “ଶିମିଳିପାଳ କିଛି ସ୍ମୃତି କିଛି ଅନୁଭୂତି” (୨୦୧୮) ଜନାଦୃତ କ୍ରମେ ‘ଫିଚର ସମ୍ମାନ’ରେ ସମ୍ମାନୀତ ହୋଇଛି । ଏହା ବ୍ୟତୀତ ୨୦୨୧ ରେ ଶ୍ରୀ କବି ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ, ପ୍ରକୃତି ବନ୍ଧୁ ସମ୍ମାନ, ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର, ଲୁଇପା ମହୋତ୍ସବରେ ‘ଶମୀବୃକ୍ଷ ସମ୍ମାନ’, ବାଣୀପୀଠ ମହୋତ୍ସବ, ବଡ଼ସାହି ତରଫରୁ ‘ସବୁଜ ଶ୍ରୀ’ ସମ୍ମାନ ଭଳି ଅନ୍ୟାନ୍ୟ ସମ୍ମାନ ପାଇଁ ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ସେହିଭଳି ଶ୍ରୀ ଦେବେନ୍ଦ୍ର ବେତନଟୀ ବ୍ଲକ ଆମଗଡ଼ିଆ ପଞ୍ଚାୟତ ଭଗବାନପୁର ଗ୍ରାମର ପିତା- ଚକ୍ରଧର ଆଚାର୍ଯ୍ୟ ଓ ମାତା- ଗୀତାଞ୍ଜଳି jଆଚାର୍ଯ୍ୟଙ୍କ ଏକ ମାତ୍ର ପୁତ୍ର । ପିଲାଟି ଦିନରୁ ବିଦ୍ୟାଳୟରେ ପଢିବା ସମୟରେ ସମାଜ ପାଇଁ କିଛି କରିବାର ଇଚ୍ଛା ନେଇ ଆଗକୁ ବଢିଛନ୍ତି । ନୀଳମଣି ମହାବିଦ୍ୟାଳୟ, ରୂପ୍ସା ରେ ଉଚ୍ଚଶିକ୍ଷାରେ ଅଧ୍ୟୟନ କରିବା ସମୟରେ ଜାତୀୟ ସେବା ଯୋଜନାରେ ଅଂଶଗ୍ରହଣ କରି ସମାଜସେବା, ନିଶା ନିବାରଣ, ପରିବେଶ ସୁରକ୍ଷା, ରକ୍ତଦାନ ଛଡା ପରିବେଶ ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ତଥା ସମାଜସେବା ପାଇଁ ନିକଟରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ପୁରସ୍କୃତ ହୋଇଥିଲେ । ସମାରୋହରେ ଉଭୟଙ୍କୁ ଉପଖଣ୍ଡ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ଅକ୍ଟୋବର ୨ରେ ଆୟୋଜିତ ଆର୍ଟିଷ୍ଟ କ୍ୟାମ୍ପରେ ଯୋଗଦେଇଥିବା କଳାକାରଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଉକ୍ତ ସମାରୋହରେ ମନ୍ତ୍ରୀ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନୂତନ ୱେବସାଇଟ୍ ଲୋକାର୍ପଣ କରିଥିବା ବେଳେ ଉପ-ବନ ସଂରକ୍ଷକ ପ୍ରଦୀପ ପ୍ରକାଶ ଉପସ୍ଥିତ ସମୂହଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





