ବିଜୟ କୁମାର ମହାପାତ୍ର / ସାମ୍ବାଦିକ/ସମୀକ୍ଷା ନ୍ୟୁଜ / ପିପିଲି:
ଡେଲାଙ୍ଗ,ତା୧୭।୧୦ ଡେଲାଙ୍ଗ ବେରବୋଇସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା ଓ ସଂସଦୀୟ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ମକ୍ ଆସେମ୍ବଲି (ଛାୟା ବିଧାନସଭା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ,ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ଭୂମିକା ଗ୍ରହଣ କରି ବିଧାନସଭାର କାର୍ଯ୍ୟଧାରାକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ସେମାନେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା, ପ୍ରଶ୍ନୋତ୍ତର ଓ ଯୁକ୍ତିଯୁକ୍ତ ମତ ଉପସ୍ଥାପନ କରିଥିଲେ। ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ମହତ୍ତ୍ୱ, ଆଇନ ପ୍ରଣୟନ ପ୍ରକ୍ରିୟା, ଜନପ୍ରତିନିଧିଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟ ଉପରେ ଜ୍ଞାନ ଲାଭ କରିଥିଲେ। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ବକ୍ତୃତା,କଳା, ତର୍କ କରିବାର ଦକ୍ଷତା, ଶୃଙ୍ଖଳା ଓ ନେତୃତ୍ୱ ଗୁଣବତାର ବୃଦ୍ଧି ପାଇଛି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କେବଳ ପାଠ୍ୟପୁସ୍ତକର ଜ୍ଞାନ ମଧ୍ୟରେ ସୀମିତ ନ ରଖି ବାସ୍ତବ ଜୀବନରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବୁଝିବାର ସୁଯୋଗ ପ୍ରଦାନ କରିଛି। ଶିକ୍ଷକମାନଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁଭୂତିର ଏକ ସୁନ୍ଦର ସମନ୍ୱୟ ସୃଷ୍ଟି କରିଥିଲା। ପିଏମ୍ ଶ୍ରୀ ଯୋଜନାର ଲକ୍ଷ୍ୟ ଅନୁଯାୟୀ, ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଦକ୍ଷ, ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବାରେ ସହାୟକ ହେବ। ଏହି ମକ୍ ଆସେମ୍ବଲି କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷାମୂଳକ କାର୍ଯ୍ୟକଳାପରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଥିବା କହିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କାମିନୀ ପ୍ରଭା ବେହେରା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।






