ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ନକଲି ସମ୍ବଲପୁରୀ ଶାଢ଼ୀ: ବରଗଡ଼ରେବେଆଇନ କାରବାର ସଙ୍କଟରେ ଅସଲି ହସ୍ତତନ୍ତ ବୁଣାକାର

ନକଲି ସମ୍ବଲପୁରୀ ଶାଢ଼ୀ: ବରଗଡ଼ରେବେଆଇନ କାରବାର ସଙ୍କଟରେ ଅସଲି ହସ୍ତତନ୍ତ ବୁଣାକାର – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ଼ /ସମୀକ୍ଷା ନିୟୁଜ :

ଓଡ଼ିଶାର ସାଂସ୍କୃତିକ ପରିଚୟ ଏବଂ ଗୌରବର ପ୍ରତୀକ ହେଉଛି ସମ୍ବଲପୁରୀ ହସ୍ତତନ୍ତ । ନିଜର ଅପୂର୍ବ ‘ବନ୍ଧକଳା’ ବା ଟାଇ-ଡାଇ କାରିଗରି ପାଇଁ ବିଶ୍ୱ ପ୍ରସିଦ୍ଧ ଏହି ବସ୍ତ୍ର ୨୦୧୨ ମସିହାରେ ଭୌଗୋଳିକ ସୂଚକାଙ୍କ ମାନ୍ୟତା ମଧ୍ୟ ହାସଲ କରିଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ଏହି ହସ୍ତତନ୍ତ ଶିଳ୍ପର ମୁଖ୍ୟ କେନ୍ଦ୍ର ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ସମୟରେ ବରଗଡ଼ ବଜାରରେ ଏକ ବଡ଼ ସମସ୍ୟା ଦେଖାଦେଇଛି, ଯାହା ସ୍ଥାନୀୟ ବୁଣାକାର ଏବଂ ଏହି ପ୍ରସିଦ୍ଧ କଳାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିଛି । ତାହା ହେଉଛି ମେସିନ୍‌-ପ୍ରିଣ୍ଟେଡ୍‌ ବା ନକଲି ସମ୍ବଲପୁରୀ ଶାଢ଼ୀ ଏବଂ ସାର୍ଟର ବ୍ୟାପକ ବିକ୍ରି । ଆଜିକାଲି ବରଗଡ଼ ବଜାରରେ ବାହାର ରାଜ୍ୟରୁ ଯଥା ସୁରଟ ଓ ଅହେମଦାବାଦ ଆସୁଥିବା ଶସ୍ତା ପାୱାରଲୁମ୍ ପ୍ରିଣ୍ଟେଡ୍ କପଡ଼ାକୁ ‘ସମ୍ବଲପୁରୀ କପଡ଼ା’ କହି ବିକ୍ରି କରାଯାଉଛି। ଅସଲି ହସ୍ତତନ୍ତ ଶାଢ଼ୀ ବୁଣିବା ପାଇଁ ଜଣେ ବୁଣାକାରଙ୍କୁ ଦିନ ଦିନ କିମ୍ବା ମାସ ମାସ ଧରି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ I

ନକଲି ସମ୍ବଲପୁରୀ ଶାଢ଼ୀ: ବରଗଡ଼ରେବେଆଇନ କାରବାର ସଙ୍କଟରେ ଅସଲି ହସ୍ତତନ୍ତ ବୁଣାକାର – ସମୀକ୍ଷା

ଯେଉଁଥିପାଇଁ ଏହାର ମୂଲ୍ୟ ସାଧାରଣତଃ ୨,୦୦୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ନକଲି ଛାପା ଶାଢ଼ୀ ଓ ସାର୍ଟଗୁଡ଼ିକ ମେସିନରେ ଖୁବ୍ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ତିଆରି ହେଉଥିବାରୁ ଏହା ବଜାରରେ ମାତ୍ର ୩୦0 ରୁ ୬୦0 ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି । କମ୍ ମୂଲ୍ୟ ଏବଂ ଆକର୍ଷଣୀୟ ଚମକ ଯୋଗୁଁ ସାଧାରଣ ଗ୍ରାହକମାନେ ପ୍ରକୃତ କଥା ନ ବୁଝି ଏହି ନକଲି ଛାପା ସାମଗ୍ରୀଗୁଡ଼ିକୁ କିଣି ନେଉଛନ୍ତି । ଏହା ବ୍ୟତୀତ କିଛି ଅସାଧୁ ବ୍ୟବସାୟୀ ନକଲି କପଡ଼ାରେ ସାର୍ଟ ଓ କୁର୍ତ୍ତା ତିଆରି କରି ତାହାକୁ ଅସଲି ହସ୍ତତନ୍ତର ଦାମ୍‌ରେ ବିକ୍ରି କରି ଗ୍ରାହକମାନଙ୍କୁ ଠକୁଛନ୍ତି । ବରଗଡ଼ ଜିଲ୍ଲାର, ବେହେରା, ବରପାଲି, ବିଜେପୁର ଓ ଭେଡେନ ଭଳି ଅଞ୍ଚଳରେ ହଜାର ହଜାର ବୁଣାକାର ପରିବାର ପିଢ଼ି ପିଢ଼ି ଧରି ଏହି ଜୀବିକା ଉପରେ ନିର୍ଭର କରି ଚଳି ଆସୁଛନ୍ତି। ସୂତା ଏବଂ ରଙ୍ଗର ମୂଲ୍ୟ ବୃଦ୍ଧି କାରଣରୁ ଅସଲି ଶାଢ଼ୀର ଉତ୍ପାଦନ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ବଜାରରେ ନକଲି ଛାପା ଶାଢ଼ୀର ବନ୍ୟା ଯୋଗୁଁ ଅସଲି ହସ୍ତତନ୍ତର ଚାହିଦା ବହୁ ପରିମାଣରେ କମିଯାଇଛି। ନିଜ ରକ୍ତକୁ ପାଣି କରି ବୁଣିଥିବା ଶାଢ଼ୀ ଉଚିତ ମୂଲ୍ୟରେ ବିକ୍ରି ନ ହେବା ଫଳରେ ଅନେକ ବୁଣାକାର ପରିବାର ଆଜି ଆର୍ଥିକ ଅନାଟନ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ବେହେରା ବଜାର ଏସିଆର ବଡ ଶାଢ଼ୀ ବଜାର ହୋଇଥିଲେ ମଧ୍ୟ ଏଠାରେ ମଧ୍ୟ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ। ବରଗଡ଼ ବଜାରରେ ହେଉଥିବା ଚଢ଼ାଉକୁ ଅଧିକ କଡ଼ାକଡ଼ି କରାଯିବା ସହ ଜିଆଇ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏହାସହ ଗ୍ରାହକମାନେ ସମ୍ବଲପୁରୀ ବସ୍ତ୍ରାଳୟ ଭଳି ସରକାରୀ ସମବାୟ ସମିତି କିମ୍ବା ବିଶ୍ୱସ୍ତ ବୁଣାକାରଙ୍କ ଠାରୁ ସିଧାସଳଖ ସାମଗ୍ରୀ କିଣିବା ଉଚିତ, ଯାହା ଦ୍ୱାରା ଆମ ଓଡ଼ିଶାର ଏହି ପାରମ୍ପରିକ ଶିଳ୍ପ ବଞ୍ଚି ରହିପାରିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗରେ ପୋଲିସର ବଡ ଚଢ଼ାଉ