ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ବୁଢ଼ୀପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଅଣ୍ଟି (୫୮)ଙ୍କ ଅକାଳ ବିୟୋଗ ଘଟିଛି। ଗୁରୁବାର ରାତିରେ ଅମ୍ବାଭୋନା-ଦ୍ୱାରୀ ରାସ୍ତାରେ ଥିବା କେଦାରନାଥ ଗ୍ୟାସ୍ ଅଫିସ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅମ୍ବାଭୋନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ତିଳୋତ୍ତମା ଅଣ୍ଟି ଗୁରୁବାର ରାତିରେ ଅମ୍ବାଭୋନାରୁ ନିଜ ସ୍କୁଟି (ଓଡି ୧୫ ଏଇ ୪୨୪୨) ଯୋଗେ କୌଣସି କାମରେ କୁଠାରପାଲି ଯାଉଥିଲେ। ଏହି ସମୟରେ କେଦାରନାଥ ଗ୍ୟାସ୍ ଅଫିସ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତା ତିଳୋତ୍ତମା ଅଣ୍ଟି ବୁଢ଼ୀପାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବଦାନ ଓ ଦାୟିତ୍ୱବୋଧ ପାଇଁ ସେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି।ତାଙ୍କ ପଛରେ ସ୍ୱାମୀ ଅର୍ଜୁନ ଭୋଇ, ପୁଅ ଜଗ ଓ ଝିଅ ଶୈଳବାଳାଙ୍କ ସମେତ ଅନ୍ୟାନ୍ୟ ପରିବାରବର୍ଗ ରହିଛନ୍ତି। ପୁଅ ଜଗ ମାଆଙ୍କୁ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି। ତିଳୋତ୍ତମା ଅଣ୍ଟିଙ୍କ ଅକାଳ ବିୟୋଗରେ ଅମ୍ବାଭୋନା ବ୍ଲକ ମିଳିତ ଶିକ୍ଷକ ସଂଘ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀଙ୍କୁ ହରାଇ ଶିକ୍ଷକ ମହଲ ମର୍ମାହତ ହୋଇପଡ଼ିଛି। ଅଜଣା ଗାଡ଼ିର ଧକ୍କାରେ ଜଣେ ଶିକ୍ଷୟିତ୍ରୀଙ୍କ ଜୀବନ ଚାଲିଯିବା ଘଟଣା ଅଞ୍ଚଳରେ ସଡ଼କ ସୁରକ୍ଷାକୁ ନେଇ ପୁଣି ଚିନ୍ତା ସୃଷ୍ଟି କରିଛି।






