ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୧୨/୧୧: ଯୁବଶକ୍ତିଙ୍କ ନେତୃତ୍ୱ, ସୃଜନଶୀଳତା ଓ ନବସୃଜନ ଚିନ୍ତାଧାରା ହିଁ ବିକଶିତ ଭାରତ ଗଠନର ମୂଳ ଆଧାର। ଏହି ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭’ ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁବୋତ୍ସବ ଗୁରୁବାର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୁବପିଢ଼ିଙ୍କୁ ଦେଶ ଗଠନର ପ୍ରମୁଖ ବାହକ ଭାବେ ଅଭିହିତ କରିଥିଲେ। ଯୁବକ ଯୁବତୀମାନେ ନିଜର ପ୍ରତିଭା, ଦକ୍ଷତା, ନବସୃଜନ ଚିନ୍ତାଧାରା ଓ ନେତୃତ୍ୱ ଗୁଣର ବିକାଶ କରି ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର ହେବାକୁ ସେ ଆହ୍ୱାନ ଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୁବ ନେତୃତ୍ୱର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଗୁଣନିଧି ନାୟକ ଯୁବସମାଜ କେବଳ ଭବିଷ୍ୟତର ନେତୃତ୍ୱ ନୁହେଁ, ବରଂ ବର୍ତ୍ତମାନର ବିକାଶ ଯାତ୍ରାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ପୋଡ଼ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା, ସାମାଜିକ ଦାୟିତ୍ୱବୋଧ, ଦେଶପ୍ରେମ ଓ ସକାରାତ୍ମକ ମନୋଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ସହରର ଟାଉନ ହଲ୍ ଏବଂ ଇଟିସି ତାଲିମ କେନ୍ଦ୍ରଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ୧୫ରୁ ୨୯ ବର୍ଷ ବୟସର ୩୫୦ରୁ ଊର୍ଦ୍ଧ୍ୱ ଯୁବ ପ୍ରତିଭା ଅଂଶଗ୍ରହଣ କରିଥିଲେ। ଲୋକନୃତ୍ୟ, ଚିତ୍ରାଙ୍କନ, କବିତା ଲିଖନ ଓ ପଥପ୍ରାନ୍ତ ନାଟକ ଭଳି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକା ଅଞ୍ଚଳର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇଥିଲେ ପ୍ରତିଯୋଗିତା ଅନୁଯାୟୀ ଲୋକନୃତ୍ୟରେ ୧୩୦ ଜଣ, ପଥପ୍ରାନ୍ତ ନାଟକରେ ୧୦୯ ଜଣ, ଚିତ୍ରାଙ୍କନରେ ୩୬ ଜଣ ଏବଂ କବିତା ଲିଖନରେ ୩୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତା ୧୩ ତାରିଖରେ ଟାଉନ ହଲ୍ଠାରେ ହେବାକୁ ଥିବା ଲୋକଗୀତ ପ୍ରତିଯୋଗିତାରେ ୧୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ମାଇ ଭାରତ ଯୁବ ସଂଯୋଜକ ବଂଶ ଶର୍ମା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା ମଞ୍ଚାସୀନ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିବାବେଳେ ଡ. ଉମେଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି ଯୁବୋତ୍ସବ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳତା, ଦେଶପ୍ରେମ ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ ବିକଶିତ ଭାରତ ଗଠନର ସଂକଳ୍ପକୁ ଆଗେଇ ନେବାରେ ପ୍ରେରଣା ଯୋଗାଇଛି।





