ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ :
ତାମିଲନାଡୁରୁ ଅଚେତ ଅବସ୍ଥାରେ ଟ୍ରେନ୍ରେ ଫେରୁଥିବା ଯୁବକଙ୍କ ରାୟଗଡ଼ାରେ ମୃତ୍ୟୁ, କନ୍ଧମାଳରେ ଶୋକର ଛାୟା
ବାଲିଗୁଡ଼ା, କନ୍ଧମାଳ:ତା 13/11/26 ପରିବାରର ଆର୍ଥିକ ଅନଟନ ଦୂର କରିବା ସହ ସାନ ଭାଇମାନଙ୍କ ପାଠପଢ଼ାରେ ସହଯୋଗ କରିବାର ସ୍ୱପ୍ନ ନେଇ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ନିଜ ଗାଁକୁ ଫେରିବା ପୂର୍ବରୁ ରାୟଗଡ଼ା ସରକାରୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ମୃତ ଯୁବକ ହେଉଛନ୍ତି ମିହିର ଦିଗାଲ। ତାଙ୍କ ପିତାଙ୍କ ନାମ ନବେଶ୍ୱର ଦିଗାଲ। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ତେରଲାପଙ୍ଗା ଗ୍ରାମ, ପୋଷ୍ଟ ସୋଲାଗୁଡ଼ା। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଘରର ଭରଣପୋଷଣ କରିବା ସହ ସାନ ଭାଇମାନଙ୍କ ପାଠପଢ଼ାରେ ସହଯୋଗ କରିବା ଉଦ୍ଦେଶ୍ୟରେ ସେ ତାମିଲନାଡୁ ରାଜ୍ୟର Thirumal Heat setting No-14/1,parapalayam mangalam Road ତାମିଲନାଡୁ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ। ନିଜ ପରିବାରର ମୁହଁରେ ହସ ଫୁଟାଇବା ପାଇଁ ସେ ନିଜ ଜନ୍ମମାଟି ଛାଡ଼ି ପର ରାଜ୍ୟକୁ ଯାଇଥିଲେ। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ, ତାମିଲନାଡୁରେ କାମ କରୁଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଚେତ ଅବସ୍ଥାରେ ଟ୍ରେନ୍ ଯୋଗେ ଓଡ଼ିଶା ଅଣାଯାଉଥିଲା। ଟ୍ରେନ୍ ଯୋଗେ ଫେରିବା ସମୟରେ ସେ ମୁନିଗୁଡ଼ା ରେଳ ଷ୍ଟେସନରେ ପହଞ୍ଚିଥାନ୍ତେ ଏବଂ ସେଠାରୁ ନିଜ ଗାଁ ତେରଲାପଙ୍ଗା, ବାଲିଗୁଡ଼ା ଅଞ୍ଚଳକୁ ଫେରିଥାନ୍ତେ। ମାତ୍ର ଟ୍ରେନ୍ ମଧ୍ୟରେ ତାଙ୍କର ଅତ୍ୟନ୍ତ ଗୁରୁତର ଅବସ୍ଥା ଦେଖି ଟ୍ରେନ୍ କର୍ମଚାରୀମାନେ ତାଙ୍କୁ ମୁନିଗୁଡ଼ା ପର୍ଯ୍ୟନ୍ତ ନ ନେଇ ରାୟଗଡ଼ା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ତୁରନ୍ତ ତାଙ୍କୁ ରାୟଗଡ଼ା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସମୟରେ ତାଙ୍କର ମୃତ୍ୟୁ ଘଟିସାରିଥିବା ଘୋଷଣା କରିଥିଲେ। ରାୟଗଡ଼ ଡାକ୍ତରଖାନାରେ ପୋଷ୍ଟମାର୍ଟମ କରାଯିବା ପରେ ଶବ ହସ୍ତାନ୍ତର କରାଯିବ ବୋଲି ଡାକ୍ତର କହିଥିବା ବିଶେଷ ସୂଚନା ମିଳିଛି |

ଯେଉଁ ଯୁବକ ନିଜ ପରିବାରର ଆର୍ଥିକ ଅନଟନ ଦୂର କରିବା ଏବଂ ସାନ ଭାଇମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଘର ଛାଡ଼ିଥିଲେ, ଶେଷରେ ସେ ନିଜ ଗାଁରେ ପହଞ୍ଚିବା ପୂର୍ବରୁ ହିଁ ଜୀବନ ହାରିଦେଲେ। ଏହି ଘଟଣା ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ଦାଦନ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ କନ୍ଧମାଳ ଜିଲ୍ଲାରୁ ଅନେକ ଶ୍ରମିକ ପରିବାରର ଆର୍ଥିକ ଅନଟନ ଯୋଗୁଁ ତାମିଲନାଡୁ, କେରଳ, ରାଜସ୍ଥାନ ଭଳି ବିଭିନ୍ନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ନିଜ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାରର ସୁଯୋଗ ନଥିବାରୁ ଅନେକ ଯୁବକ ପରିବାରକୁ ଛାଡ଼ି ପର ରାଜ୍ୟରେ କଠିନ ପରିଶ୍ରମ କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଦାଦନ ଶ୍ରମିକଙ୍କ ଅସୁସ୍ଥତା, ଦୁର୍ଘଟଣା ଓ ମୃତ୍ୟୁ ଖବର ସାମ୍ନାକୁ ଆସୁଛି |ସ୍ଥାନୀୟ ଅଞ୍ଚଳରେ ବାହାର ରାଜ୍ୟରୁ ବସ୍ ଆସି ବାଲିଗୁଡ଼ା ଅଞ୍ଚଳର ଶ୍ରମିକମାନଙ୍କୁ କାମ ଦେବା ନାଁରେ ଅନ୍ୟ ରାଜ୍ୟକୁ ନେଉଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି |ଅନ୍ୟପକ୍ଷରେ, ଶ୍ରମିକମାନେ ନିଜ ପରିବାରର ଆର୍ଥିକ ଅସୁବିଧା, ପିଲାମାନଙ୍କ ପାଠପଢ଼ା, ଖାଦ୍ୟ ଓ ବସ୍ତ୍ରର ଆବଶ୍ୟକତା ପୂରଣ ପାଇଁ ନିଜ ଇଚ୍ଛାରେ ବାହାର ରାଜ୍ୟକୁ ଯାଉଥିବା କହୁଛନ୍ତି। ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ | କନ୍ଧମାଳ ଜିଲ୍ଲାରେ କଳକାରଖାନା, ଶିଳ୍ପ ପ୍ରତିଷ୍ଠାନ ଓ ସ୍ଥାନୀୟ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଆଜିର ସମୟର ଏକ ବଡ଼ ଆବଶ୍ୟକତା। ଦାଦନ ଶ୍ରମିକଙ୍କ ପଞ୍ଜୀକରଣ, ସ୍ୱାସ୍ଥ୍ୟ ସୁରକ୍ଷା, ଯାତାୟାତ ସମୟରେ ଆବଶ୍ୟକ ସହାୟତା ଏବଂ ମୃତ୍ୟୁ ଘଟିଲେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରଶ୍ନ ଉଠୁଛି, ନିଜ ରାଜ୍ୟରେ ଯଦି ରୋଜଗାରର ସୁଯୋଗ ମିଳନ୍ତା, ତେବେ କାହିଁକି ଯୁବକମାନେ ନିଜ ପରିବାର ଓ ଜନ୍ମମାଟି ଛାଡ଼ି ହଜାର ହଜାର କିଲୋମିଟର ଦୂରକୁ ଦାଦନ ଖଟିବାକୁ ଯାଆନ୍ତେ? ଦାଦନ ଯନ୍ତ୍ରଣାର ଅନ୍ତ କେବେ? ନିଜ ମାଟିରେ ରୋଜଗାର, ନିଜ ପରିବାର ସହ ସୁରକ୍ଷିତ ଜୀବନ କେବେ ମିଳିବ? ଏହି ପ୍ରଶ୍ନ ଆଜି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଜନସାଧାରଣଙ୍କ ମନରେ ଉଠୁଛି।





