ବାସୁଦେବ ହାବାଡସିଂ/ ବାଣପୁର / ସମୀକ୍ଷା ନ୍ୟୁଜ: 13/11/26
ଚିଲିକା ସ୍ଥିତ ଭାରତୀୟ ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନ୍ଏସ୍ ଚିଲିକାରେ ଅନୁଷ୍ଠିତ ହୋଇଛି ଐତିହାସିକ ପାସିଂ ଆଉଟ୍ ପରେଡ୍। ନଭେମ୍ବର ୧୩ ତାରିଖରେ ବ୍ୟାଚ୍ ୦୨/୨୬ର ଏହି ଭବ୍ୟ ସମାରୋହରେ ଏକାସାଙ୍ଗରେ ୩ ହଜାର ୩୫୮ ଜଣ ପ୍ରଶିକ୍ଷାର୍ଥୀ ସଫଳତାର ସହ ନିଜର ମୌଳିକ ପ୍ରଶିକ୍ଷଣ ଶେଷ କରିଛନ୍ତି। ଏହା ଆଇଏନ୍ଏସ୍ ଚିଲିକାରେ ଏଯାବତ୍ ପ୍ରଶିକ୍ଷଣ ନେଇଥିବା ସର୍ବବୃହତ୍ ବ୍ୟାଚ୍ ଭାବେ ରେକର୍ଡ ସୃଷ୍ଟି କରିଛି। ଆଇଏନ୍ଏସ୍ ଚିଲିକାରେ ଅନୁଷ୍ଠିତ ଏହି ଗୌରବମୟ ପାସିଂ ଆଉଟ୍ ପରେଡ୍ରେ ମୋଟ ୩୩୫୮ ଜଣ ପ୍ରଶିକ୍ଷାର୍ଥୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨୭୫୬ ଜଣ ଅଗ୍ନିବୀର ଥିବାବେଳେ ୧୪୨ ଜଣ ମହିଳା ଅଗ୍ନିବୀର ରହିଛନ୍ତି। ଏଥିସହ ଭାରତୀୟ ନୌସେନାର ୨୮୬ ଜଣ ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ୩୧୬ ଜଣ ନାବିକ ନିଜର ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଏହି ଭବ୍ୟ ପରେଡ୍ରେ ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ୍ କ୍ରିଷ୍ଣା ସ୍ୱାମୀନାଥନ୍ ମୁଖ୍ୟ ଅତିଥି ତଥା ରିଭ୍ୟୁଇଂ ଅଫିସର ଭାବେ ଯୋଗଦେଇ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ସାଉଥର୍ଣ୍ଣ ନାଭାଲ୍ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍ ସମୀର ସାକ୍ସେନା ପରେଡ୍ ପରିଚାଳନା କରିଥିଲେ। ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। SSR ବର୍ଗରେ ନଚିକେତା ସନାସମ୍, MR ବର୍ଗରେ ଅରବାଜ ଆମିନ୍, ସାମଗ୍ରିକ ମେଧା ତାଲିକାରେ ଶ୍ରେଷ୍ଠ ମହିଳା ପ୍ରଶିକ୍ଷାର୍ଥୀ ଭାବେ ଦୀକ୍ଷା ପୁରସ୍କୃତ ହୋଇଥିଲେ। ସେହିପରି ନାବିକ (GD) ବର୍ଗରେ ଅମର ଶକ୍ତି ଏମ୍. ଏବଂ ନାବିକ (DB) ବର୍ଗରେ ଅର୍ପିତ ସାଙ୍ଗୱାନ୍ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ସମ୍ମାନିତ ହୋଇଥିଲେ। ଦେଶର ସାମୁଦ୍ରିକ ସୁରକ୍ଷା ଦାୟିତ୍ୱ ତୁଲାଇବା ପାଇଁ ନୂତନ ଉତ୍ସାହ ଓ ଦକ୍ଷତାର ସହ ଏହି ୩୩୫୮ ଜଣ ପ୍ରଶିକ୍ଷାର୍ଥୀ ନିଜର ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଆଇଏନ୍ଏସ୍ ଚିଲିକା ପାଇଁ ଏହି ସଫଳତା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।






