ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ପାଠପଢ଼ା ସହ କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମାଧ୍ୟମ: ଅତିଥି
ନଭେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ ବାର୍ଷିକ କ୍ରୀଡ଼ା ଉତ୍ସବ
ନୂଆଗାଁ, ୧୭/୧୧: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତସ୍ଥିତ ଦଧିବାମନ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ଶୈକ୍ଷିକ ବିକାଶରେ କ୍ରୀଡ଼ାର ଗୁରୁତ୍ୱକୁ ନେଇ ଅନୁଷ୍ଠିତ ଏହି ଉତ୍ସବ ନଭେମ୍ବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ଦିବସରେ ମଶାଲ ଶୋଭାଯାତ୍ରା ଓ ଅତିଥିମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା। ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାହାଡ଼ାଝୋଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ କ୍ରୀଡ଼ା ମଶାଲ ଧରି ଶୋଭାଯାତ୍ରାରେ ବାହାରିଥିଲେ। ବଜାର ପରିକ୍ରମା କରି ଶୋଭାଯାତ୍ରା ବିଦ୍ୟାଳୟ ନିକଟରେ ପହଞ୍ଚିବା ପରେ ବାଦ୍ୟବାଜଣା ସହ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଏହାପରେ ଆୟୋଜିତ ଉଦ୍ଘାଟନୀ ସଭାରେ ଶିକ୍ଷା ସହ କ୍ରୀଡ଼ାର ଆବଶ୍ୟକତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଗୋପୀନାଥ ସାହୁ ଯୋଗଦେଇ ବିଦ୍ୟାଳୟର ପ୍ରାରମ୍ଭିକ ଦିନଗୁଡ଼ିକର ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ଖେଳକୁଦରେ ମଧ୍ୟ ମନୋନିବେଶ କରିବା ଆବଶ୍ୟକ ବୋଲି ସେ କହିଥିଲେ। କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ସହଯୋଗ ମନୋଭାବର ବିକାଶ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ସାହୁ ଓ ଅଧ୍ୟକ୍ଷ ତ୍ରିଲୋଚନ କର ଉପସ୍ଥିତ ରହି ଅନୁଷ୍ଠାନର ବିଭିନ୍ନ ସମସ୍ୟା ଏବଂ ଶିକ୍ଷାନୁଷ୍ଠାନର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଅନୁଷ୍ଠାନର ଶିକ୍ଷକ ଓ କର୍ମଚାରୀମାନେ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ଆଚରଣ ଓ ଅନୁଷ୍ଠାନ ପ୍ରତି ଭଲପାଇବାକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଞ୍ଚଳିକ ବିକାଶ ପରିଷଦ ସଭାପତି ନାରାୟଣ ବେହେରା ଯୋଗଦେଇ ଆଜିର ଛାତ୍ରଛାତ୍ରୀ ଆଗାମୀ ଦିନର ଭବିଷ୍ୟତ ବୋଲି କହିଥିଲେ। ଶିକ୍ଷା, ଶୃଙ୍ଖଳା ଓ ଉତ୍ତମ ଚରିତ୍ର ଗଠନ ମାଧ୍ୟମରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ, ଲଳିତ ମୋହନ ସାହୁ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ସେମାନେ ନିଜ ନିଜ ବକ୍ତବ୍ୟରେ ପାଠପଢ଼ା ସହ କ୍ରୀଡ଼ା ଶାରୀରିକ ସୁସ୍ଥତା, ଏକତା ଓ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ବିଶେଷକରି ଟିଭି ଓ ମୋବାଇଲ୍ର ଅନାବଶ୍ୟକ ବ୍ୟବହାର ହ୍ରାସ କରି ନିୟମିତ ଅଧ୍ୟୟନ ଓ କ୍ରୀଡ଼ାଭ୍ୟାସ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଉଦ୍ଘାଟନୀ ସଭାକୁ ଅନୁଷ୍ଠାନର ଛାତ୍ରୀ ଦୀପାଞ୍ଜଳି ଓ ସୋନାଲୀ ପରିଚାଳନା କରିଥିଲେ। ବାର୍ଷିକ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ ସହ ଆଗାମୀ ଦିନର କ୍ରୀଡ଼ା କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।





