ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ସୁନା ଓ ରୁପାର ଶୁଦ୍ଧତା ପରୀକ୍ଷା ପାଇଁ କଟକ ଗଲେ ଉପଜିଲ୍ଲାପାଳ, ଅଳଙ୍କାର ନିର୍ମାଣ ଦାୟିତ୍ୱ ନେଲା ହେମରାଜ ଜୁଏଲରୀ
ମୟୂରଭଞ୍ଜ ଜିଲ୍ଲାର ଆରାଧ୍ୟା ଦେବୀ ତଥା ଖିଚିଂର ଅଧିଷ୍ଠାତ୍ରୀ ମା’ କିଚକେଶ୍ୱରୀଙ୍କ ବିରଳ ସୁନାବେଶ ଆସନ୍ତା ନଭେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଐତିହାସିକ ଓ ଧାର୍ମିକ ଉତ୍ସବକୁ ଅଧିକ ଆକର୍ଷଣୀୟ ତଥା ଭବ୍ୟ ରୂପ ଦେବା ପାଇଁ ଏବେ ଜୋରଦାର ହୋଇଛି ପ୍ରସ୍ତୁତି। ମା’ଙ୍କ ପାଇଁ ନୂତନ ସୁନା ଓ ରୁପା ଅଳଙ୍କାର ନିର୍ମାଣ ସହ ଦାନ ସୂତ୍ରରେ ମିଳିଥିବା ମୂଲ୍ୟବାନ ଧାତୁର ଶୁଦ୍ଧତା ଯାଞ୍ଚ ପ୍ରକ୍ରିୟାକୁ ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଭୁବନେଶ୍ୱରସ୍ଥିତ ଦେବୋତ୍ତର ଆୟୋଗଙ୍କ ଅନୁମୋଦନ ପରେ କରଞ୍ଜିଆ କୋଷାଗାରରେ ସୁରକ୍ଷିତ ଭାବେ ରଖାଯାଇଥିବା ମା’ଙ୍କ ଦାନସୂତ୍ରୀୟ ସୁନା ଓ ରୁପା ଅଳଙ୍କାରର ତରଳୀକରଣ ଏବଂ ଶୁଦ୍ଧତା ପରୀକ୍ଷା ପାଇଁ ଗତ ୧୭ ତାରିଖରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚପୀଢ଼ ଉପଜିଲ୍ଲାପାଳ ତଥା ମା’ କିଚକେଶ୍ୱରୀ ମନ୍ଦିର ଟ୍ରଷ୍ଟି ଡ. ଦୟାସିନ୍ଧୁ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସକାଳ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଦୀର୍ଘ ବୈଠକରେ ଅଳଙ୍କାର ନିର୍ମାଣର ରୂପରେଖ ଓ ପରବର୍ତ୍ତୀ ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ତରଳୀକୃତ ସୁନା ଓ ରୁପାର ନମୁନାକୁ ଶୁଦ୍ଧତା ପରୀକ୍ଷା ପାଇଁ କଟକସ୍ଥିତ ସ୍ୱୀକୃତିପ୍ରାପ୍ତ ବିଆଇଏସ୍ ହଲମାର୍କିଂ ଏଜେନ୍ସିକୁ ପଠାଯାଇଛି। ନିଜେ ଉପଜିଲ୍ଲାପାଳ ଡ. ପରିଡ଼ାଙ୍କ ସହ କାର୍ଯ୍ୟାଳୟର ସେକ୍ସନ ଅଫିସର ଧୀରେନ କୁମାର ଭୋଇ ଓ ଆସିଷ୍ଟାଣ୍ଟ କଲେକ୍ଟର ନିହାର ରଞ୍ଜନ ସେଠୀଙ୍କୁ ନେଇ ଗଠିତ ଟିମ୍ କଟକ ଗସ୍ତ କରିଛନ୍ତି।

ଅନ୍ୟପକ୍ଷରେ ମା’ଙ୍କ ପାଇଁ ନୂତନ ଅଳଙ୍କାର ନିର୍ମାଣର ଗୁରୁଦାୟିତ୍ୱ ସର୍ବସମ୍ମତିକ୍ରମେ କଟକର ହେମରାଜ ଜୁଏଲରୀକୁ ଅର୍ପଣ କରାଯାଇଛି। ନୂତନ ଭାବେ ନିର୍ମାଣ ହେବାକୁ ଥିବା ରୁପା ମେଢ଼, ମୁକୁଟ ଓ ହାରର ଆକୃତି, ଡିଜାଇନ୍ ଏବଂ ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ମା’ଙ୍କୁ ଦାନସୂତ୍ରରେ ମିଳିଥିବା ସୁନା ଅଳଙ୍କାରର ମୋଟ ଓଜନ ୨ କିଲୋ ୧୬୦ ଗ୍ରାମ ଥିବାବେଳେ ତରଳୀକରଣ ପରେ ଏହାର ଓଜନ ୧ କିଲୋ ୯୮୬ ଗ୍ରାମ ହୋଇଛି। ସେହିପରି ରୁପା ଅଳଙ୍କାରର ମୋଟ ଓଜନ ୨୪ କିଲୋ ୪୯୧ ଗ୍ରାମ ଥିବାବେଳେ ତରଳୀକରଣ ପରେ ଏହାର ଓଜନ ୨୧ କିଲୋ ୯୯୨ ଗ୍ରାମ ରହିଛି। ଧାତୁର ପ୍ରକୃତ ଶୁଦ୍ଧତା ଓ ଗୁଣବତ୍ତା ଜାଣିବା ପାଇଁ ଏହି ନମୁନାର ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ, ତ୍ରୁଟିଶୂନ୍ୟ ଓ ସନ୍ଦେହମୁକ୍ତ ରଖିବା ପାଇଁ ଅଳଙ୍କାର ରଖାଯାଇଥିବା ବାକ୍ସ ଖୋଲିବାଠାରୁ ଆରମ୍ଭ କରି ଓଜନ ନିର୍ଦ୍ଧାରଣ, ତରଳୀକରଣ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକ୍ରିୟାକୁ ଭିଡିଓ କ୍ୟାମେରାରେ ରେକର୍ଡ କରାଯାଇଥିଲା। ମା’ଙ୍କ ଅଳଙ୍କାର ନିର୍ମାଣରେ ସ୍ୱଚ୍ଛତା ଓ ନିର୍ଭରଯୋଗ୍ୟତାକୁ ପ୍ରଶାସନ ସର୍ବାଧିକ ପ୍ରାଧାନ୍ୟ ଦେଇଛି।
ଏହି ବୈଠକରେ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାୟକ, ଦେବୋତ୍ତର ନିରୀକ୍ଷକ ଲମ୍ବୋଦର ମାଝୀ, ଶୁକୃଳି ତହସିଲଦାର ପିନାକୀ ପାର୍ଥସାରଥୀ, ମନ୍ଦିର ପରିଛା ଅଜୟ କୁମାର ସାହୁ, ପୂଜକ ଧବଳେଶ୍ୱର ପାଣିଗ୍ରାହୀ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ, ଡେପୁଟି କଲେକ୍ଟର ଜ୍ୟୋତ୍ସ୍ନାରାଣୀ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର କିରଣ କୁମାର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅରୁଣ କୁମାର ପାଣିଗ୍ରାହୀ, କରଞ୍ଜିଆ ବିଡିଓ ପ୍ରଦ୍ୟୁମ୍ନ ନାୟକ, ରରୁଆଁ ଥାନା ଆଇଆଇସି ଅନାଦି ଚରଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ଓକିଲ ସଂଘର କର୍ମକର୍ତ୍ତା, ସରପଞ୍ଚ, ହେମରାଜ ଜୁଏଲରୀର ପ୍ରତିନିଧି ଅଭିଜିତ ଶର୍ମା ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତା ୨୪ ତାରିଖରେ ମା’ କିଚକେଶ୍ୱରୀଙ୍କ ଏହି ବିରଳ ସୁନାବେଶକୁ ଅଧିକ ଭବ୍ୟ ଓ ଆକର୍ଷଣୀୟ କରିବା ସହ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ଉପରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଡ. ପରିଡ଼ା ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ନେଇ ଖିଚିଂ ସମେତ ସମଗ୍ର ଅଞ୍ଚଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।






