ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ଗୋପବନ୍ଧୁ ନଗର, ୧୭/୧୧/୨୬ – ଗୋପବନ୍ଧୁ ନଗର ବ୍ଲକ କୁଆମରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ବେହେରା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ଶିଳ୍ପ କଳାବିଭାଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଶିକ୍ଷାଅନୁଷ୍ଠାନ, ଅଞ୍ଚଳ ତଥା ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ଏନେଇ ସେ ପ୍ରଥମେ ବ୍ଲକ ଓ ପରେ ଜିଲ୍ଲା ସ୍ତରରୁ ଉନ୍ନୀତ ହେବା ପରେ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାର ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ସେଠାରେ ତାଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ବନୀ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଭାରେ ଅର୍ପିତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।






