୧୯ ଏକର ୧୮ ଡିସମିଲ ପଥର ଚଟାଣ ବି ବାଦ ପଡିଲାନି..
ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:
ଟିଟିଲାଗଡ଼ ସହର ତଥା ଆଖ ପାଖ ଅଂଚଳ ସମେତ ସମଗ୍ର ଉପଖଣ୍ଡ ରେ ସରକାରୀ ଜମି ଜାଲିଆତି କରିବା ସହିତ ଜବରଦଖଲ କରି ମାଡି ବସିଥିବା ଘଟଣା ର ଗୋଟିଏ ପରେ ଗୋଟିଏ ଘଟଣା ଏବେ ସାମ୍ନା କୁ ଆସୁଛି l ଟିଟିଲାଗଡ଼ ସହର ଜନୈକ ଅସାଧୁ ବ୍ୟବସାୟୀ ଟିଟିଲାଗଡ଼ ଅଂଚଳ ର ବହୁ ସରକାରୀ ଜମି କୁ ମାଡି ବସି ସିମେଣ୍ଟ ର ପ୍ଲେଟ ଦେଇ ବାଡ଼ ତିଆରି କରି ଜବର ଦଖଲ କରି ରଖିଥିବା ଅଭିଯୋଗ ଏବେ ସହରର ପାନ ଦୋକାନ ଠୁ ନେଇ ଚା ଦୋକାନ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଛି l ତେବେ ଯଦି ଉକ୍ତ ଚର୍ଚ୍ଚା ଗୁଡିକ ସତ୍ୟ ହୋଇଥିଲେ ଟିଟିଲାଗଡ଼ ଅଂଚଳ ରେ କିଭଳି ସରକାରୀ ଜମି ଗୁଡିକୁ ପ୍ରତିପତ୍ତିଶାଳୀ ବ୍ୟବସାୟୀ ମାନେ ମାଡ଼ିବସିଛନ୍ତି ତାହା ଯେ କେହି ବି ସହଜ ରେ ଅନୁମାନ କରିପାରିବେ l

ଅଭିଯୋଗ ଅନୁଯାୟୀ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ତଥା ମାତୃ ଓ ଶିଶୁ ଡାକ୍ତରଖାନା ସମ୍ମୁଖରେ ୧୯ ଏକର ୧୮ ଡିସମିଳ ସରକାରୀ ଜାଗା ଯାହା ପଥର ଚଟାଣ ଭାବରେ ରହିଛି ତାହାକୁ ଅର୍ଥ ବଳରେ ତଥା ଅସାଧୁ ଅଧିକାରୀ ମାନଙ୍କୁ ହାତ କରି ନିଜ ଅଧୀନରେ ରଖିବାରେ ସଫଳ ହୋଇଛନ୍ତି l ଟିଟିଲାଗଡ଼ ବ୍ଲକ ମନିଗାଁ ପଂଚାୟତ ଅଧିନସ୍ଥ ପିପିଲପଦର ଗାଁ ରେ ରହିଥିବା ଖାତା ନମ୍ବର ୧୧୫ ତଥା ପ୍ଲଟ ନମ୍ବର ୨୪/୮୬୯ରେ ଥିବା ସରକାରୀ ପଥର ଚଟାଣ ଗୁଡିକୁ କବ୍ଜା କରି ରଖିଛନ୍ତି l ଯାହାକି ଭୁ ଲେଖ ରେ ସ୍ପଷ୍ଟ ଭାବରେ ଏହା ପଥର ଚଟାଣ ଏବଂ ଆବାଦୀ ଅଯୋଗ୍ୟ ଅନାବାଦୀ ଭାବରେ ରହିଛି l ଖାତା ନମ୍ବର ୧୧୫ ଅନୁଯାୟୀ ପ୍ରାୟ ୨୯ ଗୋଟି ପ୍ଲଟ ରହିଛି l ହେଲେ ଅଧାରୁ ଅଧିକ ପଥର ଚଟାଣ ଏବେ ଅଣଓଡ଼ିଆ ଙ୍କ କବ୍ଜା ରେ ରହିଥିବା ବେଳେ ଆଉ କେତେକ ଅସାଧୁ ଅଣଓଡ଼ିଆ ବ୍ୟବସାୟୀ ମାନେ ଚଞ୍ଚକତା କରି ନିଜ ନାମରେ ଲିଜ ପଟ୍ଟା ତ କେହି କେହି ପୁରା ପଟ୍ଟା ତିଆରି କରି ନେଇଥିବା ଅଭିଯୋଗ ହେଉଛି l କିଛି ପ୍ଲଟ ଗତ ୨୦୨୧ ମସିହାରେ ମିସ କେଶ ନାମରେ ଅନ୍ୟ କିଶମ ର ପରିବର୍ତନ ହୋଇଥିବା ବେଳେ ଆଉ କେତେକ ଅନ୍ୟ ଖାତା କୁ ଯାଇଥିବା ନେଇ ଅଭିଯୋଗ ହେଉଛି l ଟିଟିଲାଗଡ଼ ଅଂଚଳ ରେ ଅନେକ ଗରିବ, ଦିନହୀନ ତଥା ଭୂମି ହୀନ ରହିଥିବା ବେଳେ ସେମାନଙ୍କୁ ଵାସ ଗୃହ ପାଇଁ ବସୁନ୍ଧରା ଯୋଜନା ରେ ଚାରି ଡିସମିଳ ସରକାରୀ ଜାଗା ପାଇବାକୁ ସାତ ସପନ ପାଲଟୁଥିବା ବେଳେ ଏହି ଭଳି ଶତାଧିକ କୋଟି ପତି, ପ୍ରଭାଵଶାଳୀ ବ୍ୟବସାୟୀ ମାନକୁ କେମିତି ଏକର ଏକର ସରକାରୀ ଜାଗା ଜବରଦଖଲ କରିବାକୁ ଅନୁମତି ମିଳିବା ସହିତ ପରବର୍ତୀ ସମୟରେ ଉକ୍ତ ଜମି ଗୁଡିକର ପଟ୍ଟା ପାର୍ଚ୍ଚା ହାତେଇବା ରେ ସକ୍ଷମ ହେଉଛନ୍ତି ତାହା ତଦନ୍ତ ସାପେକ୍ଷ l ଏମିତି କି ବେଆଇନ ଭାବରେ ଚାଷ ଜମି ଗୁଡିକ ରେ ମାଟି ବାଲି ଦେଇ ପୋତି ସେଗୁଡିକୁ ପ୍ଳଟିଙ୍ଗ କରି କୋଟି କୋଟି ଟଙ୍କା ରେ ବିକ୍ରି କରୁଥିବା ବେଳେ ଉକ୍ତ ପ୍ଳଟିଙ୍ଗ ଜମି ଭିତରେ ମଧ୍ୟ ଏକର ଏକର ସରକାରୀ ଜମି ରହିଛି l ତେବେ ଟିଟିଲାଗଡ଼ ଅଂଚଳ ରେ ଏକ ବଡଧରଣର ଜମି କେଳେଙ୍କାରୀ ଚାଲିଥିବା ବେଳେ ରାଜ୍ୟ ସରକାର କୋଟି କୋଟି ଟଙ୍କା ର ରାଜସ୍ବ ବି ହରାଇଚାଲିଥିବା ଅଭିଯୋଗ ହୋଇଆସୁଛି l ସ୍ଥାନୀୟ ଉପଜିଲ୍ଲାପାଳ, ତଥା ତହସିଲଦାର ସମେତ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଙ୍କ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ତଦନ୍ତ କଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିପାରିବ ବୋଳି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l






