ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୨୫/୯: ସ୍ଥାନୀୟ ଟାଉନ ହଲଠାରେ ଶୁକ୍ରବାର ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଭାବାସୀ ମାଧ୍ୟମରେ ଟାଉନ ହଲରେ ଉପସ୍ଥିତ ଅତିଥି, ସମବାୟ ସମିତି ସଭାପତି, ପରିଚାଳନା ପରିଷଦ ସଦସ୍ୟ, ସମ୍ପାଦକ ଓ ଅଗ୍ରଣୀ କୃଷକମାନେ ଦେଖିଥିଲେ।
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଶକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ନିବନ୍ଧକ କଳାହାଣ୍ଡି ଅଜିତ କୁମାର ବଗର୍ତ୍ତୀଙ୍କ ସମେତ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ମଞ୍ଚାସୀନ ଥିଲେ। ଉପନିବନ୍ଧକ ସମବାୟ ସମିତି ସ୍ୱରୂପ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
‘ସମ୍ବନ୍ଧ’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକରେ ସଦସ୍ୟତା ବୃଦ୍ଧି କରିବା ସହ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପସ୍କୁ ସୁଦୃଢ଼ କରିବା। ଏଥିସହ ମହିଳା ଓ ଗ୍ରାମୀଣ ଯୁବବର୍ଗଙ୍କୁ ସମବାୟ ଆନ୍ଦୋଳନରେ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯିବ।
ସଦସ୍ୟତାରୁ ବଞ୍ଚିତ ପରିବାର ଚିହ୍ନଟ, ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ପ୍ରଚାର ଓ ମୋବାଇଲ ଆପ୍ ଜରିଆରେ ନାମଲେଖା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସ୍ରେ ମେଗା ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୧୬୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ କାର୍ଯ୍ୟରତ ରହିଛି।





