ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ :
ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୮୯୧/୯୨)ନମ୍ବର ଟ୍ରେନ ମୟୂରଭଞ୍ଜ ସମେତ ବାଲେଶ୍ଵର ବାସୀଙ୍କ ପାଇଁ ଭୁବନେଶ୍ଵର ଓ ପୁରୀ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଏକ ପ୍ରମୁଖ ରେଳ
ସେବା ଭାବେ ପରିଚିତ । ଅନେକ ଯାତ୍ରୀ ଏହି ଟ୍ରେନକୁ ଭରସା ଓ ନିର୍ଭର କରୁଥିବା ସମୟରେ ପୁରୀରୁ ଫେରିବା ସମୟରେ ନିୟମିତ ବିଳମ୍ବକୁ ନେଇ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ବିଳମ୍ବ ଗତ କିଛିମାସ ଧରି ବିଶେଷକରି ଡାଉନ୍ ଟ୍ରେନ୍ ଟି ଅତ୍ୟଧିକ ବିଳମ୍ବରେ ଫେରୁଥିବାରୁ ଦୈନନ୍ଦିନ ଯାତ୍ରୀଙ୍କ ସମେତ ଅଫିସ କର୍ମଚାରୀ, ବିଦ୍ୟାର୍ଥୀ, ରୋଗୀ, ମହିଳା ଓ ବୃଦ୍ଧ ତଥା ଅନ୍ୟ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଟ୍ରେନ୍ ଯୋଗେ ମୟୂରଭଞ୍ଜର ରେଳଯାତ୍ରୀ ସକାଳୁ ଭୁବନେଶ୍ଵର ପହଞ୍ଚି ସରକାରୀ କାର୍ଯ୍ୟ ବ୍ୟତୀତ, ପିଲାଙ୍କ ପରୀକ୍ଷା, ଇଣ୍ଟରଭ୍ୟୁ, ଚିକିତ୍ସା ଓ ଅନ୍ୟାନ୍ୟ ଜରୁରୀ କାମ ସାରି ରାତି ସୁଦ୍ଧା ଘରକୁ ଫେରିପାରୁଥିଲେ । ମାତ୍ର ବର୍ତ୍ତମାନ ଏହି ଟ୍ରେନର ନିୟମିତ ବିଳମ୍ବ ଯୋଗୁଁ ଅନେକ ଯାତ୍ରୀଙ୍କୁ ଭୋକ ଉପାସରେ ବିଳମ୍ବିତ ରାତିରେ ନିଜ ଅଞ୍ଚଳର ଷ୍ଟେସନରେ ପହଞ୍ଚିବା ନେଇ ଚିନ୍ତାଗ୍ରସ୍ତ ହେବାକୁ ପଡ଼ୁଛି । କାରଣ ନିଛାଟିଆ ରାସ୍ତାରେ ଘରକୁ ଫେରିବା ସମୟରେ ଯାତ୍ରୀଙ୍କ ସୁରକ୍ଷା ଓ ଜୀବନ ବିପଦ ନେଇ ଖୁବ ବିପଦପୂର୍ଣ୍ଣ ଯାତ୍ରା ଅତିକ୍ରମ କରିବାକୁ ପଡୁଛି । ଏହି ଟ୍ରେନରେ ଫେରିବା ନେଇ କତ୍ତୃପକ୍ଷଙ୍କ ସୁରକ୍ଷିତ ଚିନ୍ତାଧାରା ରହୁନଥିବା ନେଇ ଅଭିଯୋଗ ହେଉଛି ।

ତେବେ ସମସ୍ତ ପରିସ୍ଥିତି ନେଇ ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଉକ୍ତ ଫେରିବା ଉକ୍ତ ରେଳପଥରେ ଯାଆସ କରୁଥିବା ଅନ୍ୟ ମେମୁ, ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍କୁ ଅଗ୍ରାଧିକାର ଦେଇ ଆଗେଇ ଦେବା ପାଇଁ ବିଭିନ୍ନ ଷ୍ଟେସନରେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍କୁ ଅଟକାଇ ଦିଆଯାଉଥିବାରୁ ଦୀର୍ଘଦିନ ଧରି ଏଭଳି ବିଳମ୍ବ ହେବା ନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟିର ଅଭାବକୁ ତୀବ୍ର ସମାଲୋଚନା କରାଯାଉଥିଲେ ହେଁ ଫଳପ୍ରଦ ହେଉନଥିବା ଦୁଃଖଦ । ପୁଣି ଦୀର୍ଘ ଦିନର ଏହି ଅଭିଯୋଗ ନେଇ ରେଳ ବିଭାଗର ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳୁନଥିବା ଚିନ୍ତାଜନକ । ସୁପରଫାଷ୍ଟ ଟ୍ରେନ୍ର ଭଡ଼ା ଦେଇ ଯାତ୍ରୀମାନେ ଯଦି ନିୟମିତ ଭାବେ ବିଳମ୍ବର ଶିକାର ହୁଅନ୍ତି, ତେବେ ଏହାର ସେବା ଓ ସମୟସୂଚୀ ନେଇ ରେଳ କର୍ତ୍ତୃପକ୍ଷ ଗୁରୁତ୍ବର ସହ ପୁନର୍ବିଚାର କରିବା ଆବଶ୍ୟକ ବୋଲି ଯାତ୍ରୀ ମହଲରେ ଦାବି ହେଉଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଟ୍ରେନ୍ର ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଓ ସମୟାନୁବର୍ତ୍ତିତା ଫେରାଇ ଆଣିବା ପାଇଁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ସ୍ମାରକପତ୍ର ଦେଇ ପଦକ୍ଷେପ ଦାବି କରିଥିବା ଜଣାଯାଇଛି । ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ସତ୍ତ୍ବେ ସମସ୍ୟାର ଆଶାନୁରୂପ ସମାଧାନ ହୋଇନଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ତୁରନ୍ତ ଟ୍ରେନ୍ର ନିୟମିତ ଚଳାଚଳ, ପୂର୍ବ ସମୟସୂଚୀ ଓ ସୁପରଫାଷ୍ଟ ସେବାର ମାନ ନିଶ୍ଚିତ କରାଯିବାକୁ ବିଭିନ୍ନ ଯାତ୍ରୀ ସଂଘ ଓ ସାଧାରଣ ଯାତ୍ରୀଙ୍କ ପକ୍ଷରୁ ଦାବି ହୋଇଛି । ଯଥାଶୀଘ୍ର ଏହାର ସାମଧାନ ନହେଲେ ଏହି ବିଳମ୍ବିତ ଓ ଅସୁରକ୍ଷିତ ଯାତ୍ରୀ ତୀବ୍ର ଆନ୍ଦୋଳନରେ ଓହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।






