ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ

ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନ୍ୟୁଜ: ୦୩/୧୦/୨୬

୨ ଅକ୍ଟୋବର: ଜଳବାୟୁ ପରିବର୍ତ୍ତନର ବଢ଼ୁଥିବା ପ୍ରଭାବ ମଧ୍ୟରେ କୃଷକଙ୍କ ଜୀବିକାକୁ ସୁରକ୍ଷିତ ରଖିବା, କୃଷି ଉତ୍ପାଦନକୁ ସ୍ଥିର କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଜଳବାୟୁ ସହନଶୀଳ କୃଷି ଓ ପ୍ରାକୃତିକ କୃଷି ପଦ୍ଧତି ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବ୍ଲକ୍‌ର ବି.ଏଲ୍.ପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ କୃଷକ ଓ ଗ୍ରାମବାସୀଙ୍କୁ ନେଇ ଜଳବାୟୁ ପରିବର୍ତ୍ତନ ଓ ଏହାର କୃଷି ଉପରେ ପ୍ରଭାବ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା।ପ୍ରଧାନମନ୍ତ୍ରୀ ଧନ ଧାନ୍ୟ ଯୋଜନା (PMDDKY) ଅଧୀନରେ UNDP ସହାୟତାରେ ପଲ୍ଲୀବିକାଶ ପକ୍ଷରୁ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ କୃଷକଙ୍କ ଆୟ ବୃଦ୍ଧି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। FPO ଇକୋସିଷ୍ଟମ୍‌କୁ ଆଧାର କରି କୃଷକଙ୍କୁ ସଂଗଠିତ କରିବା, ଆଧୁନିକ ଓ ଟିକସାଇ କୃଷି ପଦ୍ଧତି ସମ୍ପର୍କରେ ସଚେତନ କରିବା, କୃଷି ଖର୍ଚ୍ଚ କମାଇବା ଏବଂ ବଜାର ସହ କୃଷକଙ୍କ ସଂଯୋଗ ବୃଦ୍ଧି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଅଟେ।ଏହି ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ମାଲିକେଶ୍ୱରୀ କୃଷକ ଉତ୍ପାଦକ ସଂଗଠନ (FPO)ର ସଦସ୍ୟମାନେ ମଧ୍ୟ ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। FPO ସଦସ୍ୟମାନେ ନିଜ ଅଞ୍ଚଳର କୃଷକଙ୍କ ସମସ୍ୟା, କୃଷିରେ ଦେଖାଦେଉଥିବା ପରିବର୍ତ୍ତନ ଏବଂ ଜଳବାୟୁଜନିତ ଆହ୍ୱାନ ସମ୍ପର୍କରେ ଆଲୋଚନାରେ ସାମିଲ ହୋଇଥିଲେ।ଏହି ଅବସରରେ ପଲ୍ଲୀବିକାଶର ପ୍ରକଳ୍ପ ସଂଯୋଜକ ଶ୍ରୀ ଜଗନ୍ନାଥ ବୋସୁ ଗ୍ରାମସଭାରେ ଯୋଗଦେଇ ଜଳବାୟୁ ସହନଶୀଳ କୃଷି, ପ୍ରାକୃତିକ କୃଷି ଏବଂ ଟିକସାଇ କୃଷି ପଦ୍ଧତି ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କେବଳ ପରିବେଶ ମଧ୍ୟରେ ସୀମିତ ନାହିଁ; ଏହା କୃଷି ଉତ୍ପାଦନ, ଖାଦ୍ୟ ନିରାପତ୍ତା ଓ ଗ୍ରାମୀଣ ପରିବାରର ଆୟ ଉପରେ ମଧ୍ୟ ପ୍ରଭାବ ପକାଉଛି।

ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ – ସମୀକ୍ଷା


ବିଶେଷକରି ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ କୃଷକ ବର୍ଷାଭିତ୍ତିକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଅନିୟମିତ ବର୍ଷା, ଦୀର୍ଘ ଶୁଷ୍କ ସମୟ, ଅତ୍ୟଧିକ ବର୍ଷା, ତାପମାତ୍ରାର ପରିବର୍ତ୍ତନ, ଜଳସଙ୍କଟ ଓ ମୃତ୍ତିକାର ଉର୍ବରତା ହ୍ରାସ ଭଳି ସମସ୍ୟା ସେମାନଙ୍କ କୃଷି ଓ ଜୀବିକାକୁ ପ୍ରଭାବିତ କରୁଛି। ଏପରି ପରିସ୍ଥିତିରେ ପାରମ୍ପରିକ ଚାଷ ସହ ଜଳବାୟୁ ଅନୁକୂଳ ଓ ସ୍ଥାନୀୟ ପରିସ୍ଥିତିଭିତ୍ତିକ କୃଷି ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ। ଶ୍ରୀ ବୋସୁ ପ୍ରାକୃତିକ କୃଷି, ଫସଲ ବିବିଧୀକରଣ, ସମନ୍ୱିତ କୃଷି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବ ଇନପୁଟ୍‌ର ବ୍ୟବହାର, ଜଳ ସଂରକ୍ଷଣ ଏବଂ ସ୍ଥାନୀୟ ବିହନ ସଂରକ୍ଷଣ ଭଳି ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପଦ୍ଧତିଗୁଡ଼ିକ ଚାଷୀଙ୍କ କୃଷି ଖର୍ଚ୍ଚ କମାଇବା ସହ ମାଟିର ଉର୍ବରତା ବଜାୟ ରଖିବା ଓ ଜଳବାୟୁଜନିତ ବିପଦର ପ୍ରଭାବ କମାଇବାରେ ସହାୟକ ହୋଇପାରେ ବୋଲି ସେ ଉଲ୍ଲେଖ କରିଥିଲେ।ସେହିପରି, କୃଷକମାନଙ୍କୁ ଏକାଠି କରି FPOକୁ କେବଳ କୃଷକଙ୍କ ଉତ୍ପାଦ ବିକ୍ରୟର ଏକ ମାଧ୍ୟମ ନୁହେଁ, ବରଂ କୃଷି ଜ୍ଞାନ, ଇନପୁଟ୍‌, ପ୍ରଯୁକ୍ତି, ପ୍ରଶିକ୍ଷଣ, ମୂଲ୍ୟ ସଂଯୋଜନ ଓ ବଜାର ସଂଯୋଗର ଏକ ସୁଦୃଢ଼ ମଞ୍ଚ ଭାବେ ବିକଶିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଶ୍ରୀ ବୋସୁ ଗୁରୁତ୍ୱାରୋପ କରିଥିଲେ।ଗ୍ରାମସଭାରେ ଅଂଶଗ୍ରହଣ କରିଥିବା କୃଷକ ଓ ଗ୍ରାମବାସୀମାନେ ନିଜ ଅଞ୍ଚଳର କୃଷି ସମସ୍ୟା, ଜଳ ସମ୍ପଦ, ଫସଲ ଚାଷରେ ଦେଖାଦେଉଥିବା ପରିବର୍ତ୍ତନ ଏବଂ ଜୀବିକା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରକଳ୍ପ ମାଧ୍ୟମରେ ଏହି ସମସ୍ୟାଗୁଡ଼ିକୁ ସ୍ଥାନୀୟ ସ୍ତରରେ ଚିହ୍ନଟ କରି କୃଷକଙ୍କ ସହଭାଗିତାରେ ସମାଧାନର ପଥ ଖୋଜିବା ଉପରେ ଆଲୋଚନା ହୋଇଥିଲା।

ଗ୍ରାମସଭାରେ ଜଳବାୟୁ ସହନଶୀଳ କୃଷି ଉପରେ ଗୁରୁତ୍ୱ – ସମୀକ୍ଷା


ଗ୍ରାମସଭାରେ ଏହା ମଧ୍ୟ ଆଲୋଚନା ହୋଇଥିଲା ଯେ, କୃଷକଙ୍କ ଜ୍ଞାନ, ସ୍ଥାନୀୟ ପାରମ୍ପରିକ କୃଷି ଅଭିଜ୍ଞତା ଓ ଆଧୁନିକ ଜଳବାୟୁ ଅନୁକୂଳ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଅଧିକ ସ୍ଥାୟୀ କୃଷି ବ୍ୟବସ୍ଥା ଗଠନ କରାଯାଇପାରିବ। ଏଥିପାଇଁ ଗ୍ରାମସଭା, FPO, କୃଷକ ଏବଂ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଜଳବାୟୁ ପରିବର୍ତ୍ତନର ଆହ୍ୱାନ ମଧ୍ୟରେ କୃଷକଙ୍କ ଆୟ ବୃଦ୍ଧି, କୃଷିକୁ ଅଧିକ ସ୍ଥାୟୀ କରିବା ଏବଂ ଆଦିବାସୀ ପରିବାରର ଜୀବିକାକୁ ସୁଦୃଢ଼ କରିବା ଦିଗରେ FPO ଆଧାରିତ ଜଳବାୟୁ ସହନଶୀଳ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଗ୍ରାମସଭାରେ ଆଲୋଚନା ହୋଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅନନ୍ତପୁର ଗ୍ରାମ ପଞ୍ଚାୟତ :ସ୍ୱତନ୍ତ୍ର ଗ୍ରାମସଭା