ଜ୍ଞାନ ଚାନ୍ଦ ମଲ୍ଲିକ / ବରିଷ୍ଠ ସାମ୍ବାଦିକ/ ଭୁବନେଶ୍ୱର / ସମୀକ୍ଷା ନ୍ୟୁଜ :
ଓଡ଼ିଶାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ/ଛାତ୍ର ସଂଘ ନିର୍ବାଚନ ହେବାକୁ ଘୋଷଣା ହୋଇଛି। ଏହା ପ୍ରାୟ ୮ ବର୍ଷର ବିରତି ପରେ ହେଉଛି। ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦଶହରା ଛୁଟି ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ ।
ଓଡ଼ିଶାରେ ନିୟମିତ ଛାତ୍ର ସଂଘ ନିର୍ବାଚନ ଶେଷ ଥର ୨୦୧୭ରେ ହୋଇଥିଲା। ୨୦୧୮ରୁ କ୍ୟାମ୍ପସ୍ରେ ବିଭିନ୍ନ ଆଇନ-ଶୃଙ୍ଖଳା ସମସ୍ୟା, ଘୂର୍ଣ୍ଣିଝଡ଼ ଓ ପରେ କୋଭିଡ୍-୧୯ ମହାମାରୀ ଭଳି କାରଣରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ରହିଥିଲା। ଛାତ୍ର ସଂସଦ ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି—ଛାତ୍ରଛାତ୍ରୀଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ସହ ପରିଚିତ କରାଇବା। ଛାତ୍ର ନେତୃତ୍ୱ ଓ ସାର୍ବଜନୀନ ଭାବେ ମତ ପ୍ରକାଶ କରିବାର ଅଭିଜ୍ଞତା ଦେବା। କଲେଜର ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଛାତ୍ର ସଂଘ ମାଧ୍ୟମରେ ପ୍ରଶାସନ ପାଖରେ ଉଠାଇବା। ଏଥର ନିର୍ବାଚନରେ ରାଜନୈତିକ ଦଳର ସିଧାସଳଖ ସମର୍ଥନ କିମ୍ବା ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାକୁ ଅନୁମତି ନଥିବା ନିର୍ଦ୍ଦେଶନାମା ସମ୍ପର୍କରେ ରିପୋର୍ଟ ହୋଇଛି। ଅର୍ଥାତ୍ ନିର୍ବାଚନକୁ କ୍ୟାମ୍ପସ୍କେନ୍ଦ୍ରିକ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି।
ପ୍ରଚାର ଖର୍ଚ୍ଚରେ ସୀମା- ରିପୋର୍ଟ ଅନୁସାରେ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସର୍ବାଧିକ ₹୫,୦୦୦ ମଧ୍ୟରେ ରଖାଯାଇଛି। ଏହାର ଲକ୍ଷ୍ୟ ହେଉଛି ନିର୍ବାଚନକୁ ଅତ୍ୟଧିକ ଟଙ୍କା ଓ ଦଳୀୟ ପ୍ରଭାବରୁ ଦୂରେ ରଖିବା।୨୦୨୬ରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ନିର୍ବାଚନର ପରିବେଶ ଫେରୁଛି। ୧୫ ଅକ୍ଟୋବରରେ ଭୋଟ, ଗଣତି ଓ ଫଳାଫଳ ହେବାକୁ ଧାର୍ଯ୍ୟ କରାଯାଇଛି।

ତେବେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ କେତେକ ନିୟମ ଓ ସର୍ତ୍ତାବଳୀ ରହିଛି । UG ଛାତ୍ରୀଛାତ୍ରଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଜରୁରୀ । ସେହିପରି ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ ।
ସେହିପରି ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ଆବଶ୍ୟକ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପ୍ରାର୍ଥୀ ହୋଇପାରିବେ ନାହିଁ ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବ । ଅତିକମରେ ୭୫% କ୍ଲାସ୍ ଉପସ୍ଥାନ ଥିବା ଆବଶ୍ୟକ । ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ । କହିରଖୁଛୁ କି, ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ। ତେବେ ନିର୍ବାଚନ ତାରିଖ ଘୋଷଣା ପରେ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇ ପଡ଼ିଛି ।





