ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୭/୧୦/୨୬ – ଗୁଣିଗାରେଡି କାମରେ ଭରସା କରି ଜଣେ ନବବିବାହିତା ମହିଳା ଗୁଣିଆର ଦୁଷ୍କର୍ମ ଶିକାର ହୋଇଛନ୍ତି । ଅଭିଯୁକ୍ତ ଗୁଣିଆ ବିଶୋଇ ଥାନା ମଧୁପୁର ଗାଁର ଲକ୍ଷ୍ମଣ ଲୋହାରଙ୍କୁ ଆଜି ଗିରଫ କରିଛି ବିଶୋଇ ପୁଲିସ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ସ୍ବାମୀ ଓ ଶ୍ବଶୁରଘର ଲୋକଙ୍କ ପକ୍ଷରୁ ନିର୍ଯାତନା ପାଉଥିଲେ। ସେଥିରୁ ମୁକ୍ତି ପାଇଁ ସେ ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ରହୁଥିବା ଗୁଣିଆ ଲକ୍ଷ୍ମଣଙ୍କ ଆଶ୍ରୟ ନେଇଥିଲେ । ଗୁଣିଆ ଜଣକ ସବୁ ଠିକ୍ଠାକ୍ କରିଦେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଏନେଇ ଗୁଣିଆ କଥାରେ ଗୁରୁବାରଠାରୁ ପୀଡ଼ିତା ଜଣକ ଗୁଣିଆ ଘରେ ରହିଥିଲେ । ଚାରିଦିନ ଧରି ଗୁଣିଆ ତାଙ୍କୁ ଦୁଷ୍କର୍ମ କରିଆସୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ୩୦ ବର୍ଷିଆ ପୀଡିତାଙ୍କ ଅଭିଯୋଗ କ୍ରମେ ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାର ଜୋଡା ଅଞ୍ଚଳର ବାସିନ୍ଦା । ବାପା ମାଆଙ୍କୁ ହରାଇ ସେ ଗୋରୁମହିଷାଣୀରେ ସାଙ୍ଗଙ୍କ ସହିତ ରହୁଥିଲେ । ଗତ ସେପ୍ଟେମ୍ବର ମାସରେ ବିଶୋଇ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଯୁବକଙ୍କର ମଧ୍ୟ ନିଜ ମାଆ ନ ଥିବାରୁ ତାଙ୍କ ସାନ ମାଆ, ବାପାଙ୍କ ସହିତ ଗ୍ରାମରେ ରହୁଥିଲେ । ବିବାହର କିଛି ଦିନ ପରେ ଶାଶୁଘରେ ମହିଳାଙ୍କୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । କିଛି ଦିନ ଜ୍ବର ଲାଗି ରହିବା ସହିତ ସାନମାଆଙ୍କ ନିର୍ଯାତନା ଅସହ୍ୟ ହୋଇ ପଡ଼ୁଥିଲା । ସେପଟେ ଏସବୁ ନେଇ ସ୍ୱାମୀଙ୍କ ସହିତ ତିକ୍ତତା ସୃଷ୍ଟି ହୋଇଥିଲା । ଗୁଣିଆ ସମସ୍ତ କଥା ଶୁଣିବା ପରେ କୁଦୃଷ୍ଟି ପୂର୍ବକ କୁକର୍ମ କ୍ରମେ ସ୍ବାମୀଙ୍କୁ ଫେରାଇ ଆଣିବାରେ ଗୁଣିଆର ଗୁଣ ବିଫଳ ହେବାରୁ ମହିଳାଙ୍କୁ ଘରକୁ ଫେରିଯିବାକୁ କହିଥିଲେ । ତେବେ ପୀଡ଼ିତା ଜଣକ ଜାଣିପାରିଲେ ଯେ ଗୁଣିଆଟି ଠକ, ସନ୍ଦେହ କରି ନିଜେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଡାକିବା ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନା ପକ୍ଷରୁ ଘଟଣା ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନାକୁ ସୂଚନା ଦିଆଯିବା ପରେ ଆଜି ବିଶୋଇ ପୁଲିସ ପହଞ୍ଚି ପୀଡ଼ିତାଙ୍କୁ ନେଇ ଡାକ୍ତରୀମାଇନା କରିଛି । ଏନେଇ ବିଶୋଇ ଥାନାରେ ୨୧୮/୨୬ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡ଼ିଛି ।





