ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ:
ଆଜି ଅଭିନେତା ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ମାମଲାରେ ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ପରେ ରାଜପାଲ ଯାଦବ ଭାବପ୍ରବଣ ହୋଇ ନିଜ ଦୁଃଖ ଓ ଆର୍ଥିକ କ୍ଷତି ବିଷୟରେ କହିଥିଲେ। ଏ ସବୁ ଭିତରେ ରାଜପାଲ ଯାଦବ କହିଥିଲେ ଯେ ଯେ ‘ଅତା ପତା ଲାପତା’ ଫିଲ୍ମରେ ତାଙ୍କର ବହୁତ ବଡ଼ ଆର୍ଥିକ କ୍ଷତି ହୋଇଥିଲା। ତାଙ୍କ କହିବା ଅନୁସାରେ, ଫିଲ୍ମ ପାଇଁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, କିନ୍ତୁ ଫିଲ୍ମରୁ ଆଶାନୁରୂପ ଆୟ ହୋଇନଥିଲା। ଏହି ପ୍ରକଳ୍ପରେ ତାଙ୍କର ପ୍ରାୟ ୧୭ କୋଟି ଟଙ୍କା କ୍ଷତି ହୋଇଥିବା ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଆଇନଗତ ମାମଲା ତାଙ୍କ ଜୀବନରେ ବହୁତ କଷ୍ଟ ଆଣିଛି। ଏପରିକି ତାଙ୍କୁ ଯେଉଁ ନିଷ୍ପତ୍ତି ଦିଆଯିବ, ସେଥିପାଇଁ ସେ ପ୍ରସ୍ତୁତ ବୋଲି କୋର୍ଟରେ କହିଥିଲେ। ଫିଲ୍ମ ନେଇ ମଧ୍ୟ ରୋଚକ କଥା ଶୁଣାଣି ଶେଷରେ CJI ସୂର୍ଯ୍ୟକାନ୍ତ ହାଲୁକା ଭାବରେ ରାଜପାଲଙ୍କୁ ନୂଆ ଫିଲ୍ମ କରି ଲୋକଙ୍କୁ ପୁଣି ମନୋରଞ୍ଜନ କରିବାକୁ କହିଥିଲେ। ଏହାର ଉତ୍ତରରେ ରାଜପାଲ କହିଥିଲେ ଯେ ୨୦୧୦ରୁ ୨୦୨୬ ପର୍ଯ୍ୟନ୍ତ ନିଜ ଜୀବନର ଏହି ଅନୁଭବକୁ ନେଇ ଫିଲ୍ମର ନାମ ‘Solah Sawan Jhel Ke’ ରଖିବାକୁ ଭାବିଛନ୍ତି।

କୋର୍ଟର ଆଜିର ନିର୍ଦ୍ଦେଶ: ରାଜପାଲ ଯାଦବ କୋର୍ଟରେ ୧.୧୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିଥିଲେ। ଅବଶିଷ୍ଟ ୮୫ ଲକ୍ଷ ଟଙ୍କା ଦେବା ପାଇଁ କୋର୍ଟ ତାଙ୍କୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ମାମଲାଟି ‘ଅତା ପତା ଲାପତା’ ଫିଲ୍ମ ପାଇଁ ନିଆଯାଇଥିବା ଋଣ ଏବଂ ପରେ ଚେକ୍ ବାଉନ୍ସ ସହିତ ଜଡ଼ିତ। ସୁପ୍ରିମ୍ କୋର୍ଟ ଏହି ମାମଲାରେ ପୂର୍ବରୁ ତାଙ୍କ ଦଣ୍ଡ ସମ୍ପର୍କରେ କଠୋର ମତ ଦେଇଥିଲେ। ଆଜି ରାଜପାଲ ଯାଦବ ନିଜ ଆର୍ଥିକ କ୍ଷତି, ଦୀର୍ଘ ଆଇନଗତ ଲଢ଼େଇ ଓ ଏହାର ପ୍ରଭାବ ବିଷୟରେ କୋର୍ଟରେ ନିଜ କଥା ରଖିଥିଲେ; ସେପଟେ କୋର୍ଟ ତାଙ୍କୁ ଟଙ୍କା ପରିଶୋଧନ ପାଇଁ ଆଉ ଏକ ସୀମିତ ସୁଯୋଗ ଦେଇଛନ୍ତି।





