Headlines

ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ନେତାଜୀ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:

ଗାଇସିଲେଟ, ୧/୯ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଦେଶୀ ଶସ୍ୟ ଓ ପୁରାତନ ଖାଦ୍ୟ ପରମ୍ପରାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଦେବଦତ୍ତ କ୍ଲବର ପରିଚାଳନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ସହକାରୀ କୃଷି ନିର୍ଦ୍ଦେଶକ ଡ. ଅଞ୍ଜନ କୁମାର ନାୟକ, ଉଦ୍ୟାନ କୃଷି ପ୍ରସାର କର୍ମଚାରୀ ଦିଲ୍ଲୀପ କୁମ୍ଭାର, ଗାଇସିଲେଟ ସହକାରୀ କୃଷି ଅଧିକାରୀ ସାଇ ଆଶିଷ ପଣ୍ଡା, ସରପଞ୍ଚ ଅର୍ପିତା ପଣ୍ଡା, ଦେବଦତ୍ତ କ୍ଲବ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ପଣ୍ଡା,ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ, ବିଜ୍ଞାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦେବରଞ୍ଜନ ଦାଶ,ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୁବକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କୁ ଓଡ଼ିଶାର ବିସ୍ମୃତ ହେବାକୁ ବସିଥିବା ପାରମ୍ପରିକ ଖାଦ୍ୟ ଏବଂ ବିଲୁପ୍ତପ୍ରାୟ ଦେଶୀ ଶସ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା।

ପୂର୍ବପୁରୁଷଙ୍କ ଖାଦ୍ୟ ପରମ୍ପରାରେ ବ୍ୟବହୃତ ମାଣ୍ଡିଆ, କାଙ୍ଗୁ, କୁଦୋ, ସୁଆଁ, ଗୁଆଁର ଆଦି ଦେଶୀ ଶସ୍ୟର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ଅଞ୍ଚଳରେ ପ୍ରଚଳିତ ପାରମ୍ପରିକ ଖାଦ୍ୟ, ପିଠାପଣା ଓ ଦେଶୀ ଖାଦ୍ୟ ପ୍ରସ୍ତୁତି ପଦ୍ଧତିକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଧୁନିକ ଖାଦ୍ୟ ଅଭ୍ୟାସ ଯୋଗୁଁ ଅନେକ ପାରମ୍ପରିକ ଖାଦ୍ୟ ଓ ଦେଶୀ ଶସ୍ୟ ଧୀରେ ଧୀରେ ଲୋକଙ୍କ ଖାଦ୍ୟ ତାଲିକାରୁ ଦୂରେଇ ଯାଉଥିବାରୁ ଦେଶୀ ବିହନ, ପାରମ୍ପରିକ ଚାଷ ପଦ୍ଧତି ଓ ଖାଦ୍ୟ ସଂସ୍କୃତି ମଧ୍ୟ ବିପଦରେ ପଡ଼ିଛି ବୋଲି ମତ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ପରିବାର ଓ ସମାଜରେ ଦେଶୀ ଖାଦ୍ୟ ଓ ଶସ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ପାରମ୍ପରିକ ଖାଦ୍ୟ ଓ ଶସ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହାର ସୁରକ୍ଷା ପାଇଁ ଶପଥ ନେଇଥିଲେ। ଅତିଥିମାନେ କହିଥିଲେ ଯେ, ଦେଶୀ ଶସ୍ୟ ଓ ପାରମ୍ପରିକ ଖାଦ୍ୟ କେବଳ ଆମ ଖାଦ୍ୟ ସଂସ୍କୃତିର ପରିଚୟ ନୁହେଁ, ଏହା ଆମ ଗ୍ରାମୀଣ ଜୀବନ, କୃଷି ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଅମୂଲ୍ୟ ଅଂଶ। ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଗଲେ ନୂଆ ପିଢ଼ି ମଧ୍ୟରେ ଦେଶୀ ଶସ୍ୟ ଓ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଏହାର ସୁରକ୍ଷା ଓ ପ୍ରଚାରରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ପରେ ଏହି ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ବିପିନ ବିହାରୀ ନନ୍ଦ ଓ କଂଗ୍ରେସ ପ୍ରଧାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ପରିଶେଷରେ ଶିକ୍ଷକ ନବୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *