ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ:
ଓଡ଼ିଶାର ‘ଭାତହାଣ୍ଡି’ ଭାବେ ପରିଚିତ ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସାରା ରାଜ୍ୟ ପାଇଁ ଗର୍ବ । ଏଠାକାର ସବୁଜ ଶସ୍ୟ ଶ୍ୟାମଳା କ୍ଷେତ ଏବଂ ପରିଶ୍ରମୀ ଚାଷୀ ଭାଇମାନେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରନ୍ତି । କିନ୍ତୁ ବିଗତ କିଛି ସମୟ ହେବ, ବରଗଡ଼ର ଚାଷୀମାନେ ଏକ ବଡ଼ ସଂକଟ ଦେଇ ଗତି କରୁଛନ୍ତି । ତାହା ହେଉଛି ଜଳସେଚନ ଓ ଜଳ ଯୋଗାଣ ସମସ୍ୟା । ଯେଉଁ ଜିଲ୍ଲା ସାରା ରାଜ୍ୟକୁ ଅନ୍ନ ଯୋଗାଏ, ଆଜି ସେଠାକାର ଚାଷୀ ନିଜ କ୍ଷେତକୁ ଟୋପାଏ ପାଣି ଦେବା ପାଇଁ ସଂଘର୍ଷ କରୁଛି ।ବରଗଡ଼ ଜିଲ୍ଲାର ଚାଷ ମୁଖ୍ୟତଃ ହୀରାକୁଦ ଜଳଭଣ୍ଡାରର କେନାଲ ସିଷ୍ଟମ ଉପରେ ନିର୍ଭର କରେ । କିନ୍ତୁ ବାସ୍ତବ ଚିତ୍ର ହେଉଛି, କେନାଲଗୁଡ଼ିକର ସଠିକ୍ ସଂସ୍କାର ଏବଂ ପୁନରୁଦ୍ଧାର ଅଭାବରୁ ଲାଷ୍ଟ-ମାଇଲ୍ ବା ଶେଷ ମୁଣ୍ଡରେ ଥିବା ଚାଷଜମିକୁ ଆଦୌ ପାଣି ପହଞ୍ଚି ପାରୁନାହିଁ । କେନାଲ ଆରମ୍ଭରେ ଥିବା ଜମିଗୁଡ଼ିକ ପ୍ରଚୁର ପାଣି ପାଉଥିବା ବେଳେ ଶେଷ ମୁଣ୍ଡର ଚାଷୀମାନେ କେବଳ ଚାତକ ଭଳି ଚାହିଁ ରହୁଛନ୍ତି ।ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରବଣ ଅଞ୍ଚଳ ଯେପରିକି ବିଜେପୁର, ଗାଇସିଲେଟ୍ ଓ ସୋହେଲା ବ୍ଲକର ପ୍ରାୟ ୨୫,୦୦୦ ଏକର ଜମିକୁ ଜଳସେଚିତ କରିବା ପାଇଁ ହଜାରେ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ।

କିନ୍ତୁ ବାରମ୍ବାର ପାଇପ୍ ଫାଟିବା, ବେପରୁଆ ନିର୍ମାଣ କାର୍ଯ୍ୟ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ବୃହତ ପ୍ରକଳ୍ପ ଚାଷୀଙ୍କ ପାଇଁ ବରଦାନ ବଦଳରେ ଅଭିଶାପ ପାଲଟିଛି । ଭଟଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଯେଉଁ ଚାଷୀମାନେ ଧାନ ବଦଳରେ ସୂର୍ଯ୍ୟମୁଖୀ, ଚିନାବାଦାମ କିମ୍ବା ପନିପରିବା ଚାଷ କରୁଛନ୍ତି, ସେମାନଙ୍କ ସମସ୍ୟା ଆହୁରି ଜଟିଳ । ମେଗା ପ୍ରକଳ୍ପ ଅଧୀନରେ ଥିବା ଅଞ୍ଚଳ ଦର୍ଶାଇ ସେମାନଙ୍କୁ ନିଜସ୍ୱ ବୋରୱେଲ୍ ଖୋଳିବାକୁ ଅନୁମତି ମିଳୁନାହିଁ । ସରକାରୀ ପାଣି ଆସୁନାହିଁ ଏବଂ ନିଜେ ବୋରୱେଲ୍ କରିବାକୁ ବ୍ୟାନ ଥିବାରୁ ଏହି ଚାଷୀମାନେ ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହେବାକୁ ବସିଲେଣି।ଅନିୟମିତ ବର୍ଷା ଯୋଗୁଁ ଜିଲ୍ଲାର ଅଣ-ଜଳସେଚିତ ଅଞ୍ଚଳରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ତଳକୁ ଖସୁଛି । ଯେଉଁଠି ବୋରୱେଲ୍ ଅଛି, ସେଠାରେ ଲୋ-ଭୋଲ୍ଟେଜ୍ ଓ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ମୋଟର ଚାଲିପାରୁ ନାହିଁ । ଫଳରେ ରବି ଓ ଖରିଫ ଉଭୟ ଋତୁରେ ଫସଲ ଶୁଖି ନଷ୍ଟ ହେଉଛି । ଚାଷୀ ହେଉଛି ଦେଶର ମେରୁଦଣ୍ଡ । ବରଗଡ଼ର ଚାଷୀ ଯଦି ପାଣି ବିନା ହାତ ବାନ୍ଧି ବସିବ, ତେବେ ଆଗାମୀ ଦିନରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ବିପନ୍ନ ହେବ । ସରକାର ଏବଂ ଜଳସେଚନ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।





